ଜଳନ୍ତା ଜୁଇ

 

 

 

 

 

 

 

 

 

 

 

ଜଳନ୍ତା ଜୁଇ

ଜୀଅଁନ୍ତା ମଡ଼ା

 

ଉତ୍ସର୍ଗ

 

ମାଆ ସରସ୍ଵତୀଙ୍କର ବରପୁତ୍ର,

ଆଧୁନିକ ଉତ୍କଳର ଶ୍ରେଷ୍ଠ କଳାକାର,

କବିଚନ୍ଦ୍ର କାଳୀଚରଣ ।

 

ତମକୁ କଳାକାର ନ କହି କଳାକର କହିବାକୁ ମନ ଡାକେ । ତମର ଭାତ, ବେକାର, ଅଭିଯାନ ଓ ଜୟଦେବ ଯେ ଥରେ ଦେଖିଛି, ସେଇ ବୁଝିବ ଉତ୍କଳ ଗଗନରେ ତମେ କେଡ଼େ ଉଜ୍ଜ୍ଵଳ କଳାନିଧି । ମଡ଼ା ମୁହଁରେ ତମେ ହସ ଫୁଟେଇ ପାର....ହାଡ଼ ଦେହରୁ ଛୁଟେଇ ପାର ଭାଷା....ମରଣର ଚିତା ମନ୍ଥନ କରି ଅକାଳ କଙ୍କାଳକୁ ଉଠେଇ ପାର ସାତତାଳ ଗହୀରରୁ ।....

 

ଦୁଃଖିନୀ ମୋର ମରିଥିଲା । ତା’ର ସେଇ ସଢ଼ାପଚା ଖିନ୍‍ଖିନା ଶବ ମିଳେଇ ମିଳେଇ ଯାଉଥିଲା ଦିନୁଦିନ । କଅଁଳ ହାତ ଆଉଁସି ଦେଇ ମିଠା ହସଟିଏ ହସି ତମେ ସେଇ ଶବ ଦେହରେ ଜୀବନ୍ୟାସ ଦେଇଛ । ଦୁଃଖିନୀ ଆଜି ଜୀଇଁ ଉଠିଛି । ଫେରି ଆସିଛି ଆରପାରିରୁ । ଜଳନ୍ତା ଜୁଇରେ ଟହଟହ ହୋଇ ହସି ଉଠିଛି ତା’ର ଜୀଅଁନ୍ତା ମୁଁହଟି–

 

ସେଇଥିପାଇଁ–ସେଇଥିପାଇଁ ହେ ଦକ୍ଷ କାରିଗର ! ହେ କବି ! ହେ ମୋର ଦୁଃଖିନୀର ଜନକ ! ତମରି ହାତରେ ଟେକି ଦେଉଛି “ଜଳନ୍ତା ଜୁଇ” ଆଉ ଅନ୍ତରର ଅଶେଷ କୃତଜ୍ଞତା ସହ ମଥା ନୋଉଁଛି ଆଜି ତମ ଚରଣରେ–

 

ସ୍ନେହ ମୁଗ୍‍ଧ

ଲେଖକ

Image

 

କବିଚନ୍ଦ୍ରଙ୍କ ଲେଖନୀରୁ :–

 

ବାବା !

 

‘ଜଳନ୍ତା ଜୁଇ’ ପଢ଼ିଲି–ମନ ଦେଇ ପଢ଼ିଲି । ଉପନ୍ୟାସ ନୁହେଁ–ଗପ ବି ନୁହେଁ, ଏ ତୋ’ ଜୀବନର ଖଣ୍ଡିଏ ଛିଟିକା ଚଳଚିତ୍ର ପ୍ରେକ୍ଷାଳୟରେ ସଜଡ଼ା ହେଇଛି । ମୁଁ ଲେଖାର ଭାଷା ଦେଖି ନାହିଁ–ଦେଖିବାକୁ ମନ କରିନାହିଁ ମଧ୍ୟ । ଭାବ ପାଖରେ ଭାଷା ହାର୍ ମାନେ–ମୋର ତ କାହିଁକି ଏଇପରି ଧାରଣା ।

 

‘ସେବା’ ତୋ’ର ନୁହେଁ–ଅବଶ୍ୟ ଏ ଖାଲି ମନବୋଧିଆ କଥା–ସାନ୍ତ୍ଵନାର ଗୋଟାଏ ଛଳନା । କିନ୍ତୁ ମୁଁ ଜାଣେ ‘କଥା’ କେବଳ ‘କଥା’ । ବ୍ୟଥା ତ ଯାଏ ନାହିଁ ସେଥିରେ । ବରଂ ଲଥା ପଡ଼େ ଚିରା ଦରଭାରେ ।

 

ତୋ’ର ଏ ଲେଖା ଦେଖି ସଭିଏଁ ପସନ୍ଦ କରିବେ ନାହିଁ ବୋଧହୁଏ । କିନ୍ତୁ ମନରେ ଯାହାର ମନ ଅଛି–ଯେ ମଥାରେ ସ୍ନେହ ପ୍ରେମର ଅମର ରକ୍ତଚିତା ଘେନି ପାରିଛି; ସେ ବୁଝିବ ଦରଦୀର ଦରଦ କେଉଁଠି । ଏଭଳି ଲେଖା–କଳ୍ପଣା ପ୍ରାୟ ଏଇ ନୂଆ । ଏଥିରେ ଯୋଡ଼ାଯୋଡ଼ି, ଭିଡ଼ାଭିଡ଼ି, ଘୋଡ଼ାଘୋଡ଼ି–କିଛି ନାହିଁ । ଅଛି କେବଳ ସରଳ ମନର ତରଳ କଥା କେଇପଦ ।

 

ତୁ ନିଜେ ବି ତ ଲେଖିଚୁ କାହାରି ମତାମତ, ଆଲୋଚନା ଅବା ସମାଲୋଚନାକୁ ପଶରା ନାହିଁ ବୋଲି । ମୁଁ ବି ସେଇଆ କହୁଛି–ନିଚ୍ଛକ ସତ୍ୟ ପ୍ରକାଶରେ ବାଧା କେଉଁଠି ?

 

‘ଆହୁତି’ ତୋ’ ଜୀବନରେ ସତରେ ଆହୁତି ହେବ ବୋଲି ଠୁଳେ ହେଲେ ମନରେ ଠାବ ଦେବା ମୋ ପକ୍ଷରେ ଅସମ୍ଭବ । ତୋ’ର ଏ ନିରୋଳ ପ୍ରେମଭରା ମନ–ଗନ୍ତାଘରର ସାଇତା ଧନ ପଦାରେ ବାଢ଼ି ଦେଇ ତୁ ଟିକିଏ ହେଲେ ଶାନ୍ତି ପାଆ, ଏତିକି ମୋର କାମନା ।

 

ଲେଖା କେମିତି ହୋଇଚି, କବିତା କେତେ ଧାଡ଼ି ରସରସିଆ ହୋଇଚି କି ନାହିଁ....ଏ ବିଚାର ଏଠି ନୁହେଁ । ମୁଁ କେବଳ ଦେଖିଛି ଦୁଇଟି ଚକୁଆ ଚକୋଇ । ବେଳ ବୁଡ଼ିଗଲା । ନଈ ଏପାରି ସେପାରିରେ ଦୁହେଁ । ପାଖରେ ଯେ ଅଛି ତା’କୁ ଆଖିରେ ଦେଖୁଚି । ଦୂର ଦିଗ୍‍ବଳୟ–ଯେଉଁଠି ଆକାଶ ପୃଥିବୀ ଦେହ ମିଶାମିଶି ହୋଇ ଅନନ୍ତର ସୃଷ୍ଟି କରିଛନ୍ତି–ସେଇମିତି ଦୂର ବାଟର ଚକୋଇକି ଆକ୍ଷି ପାଉ ନାହିଁ ମୋର ।

 

ଜୀବନରେ ଏ ବି ଗୋଟାଏ ଦିନ । ଶାନ୍ତି । ଶାନ୍ତି କେହି ଦେଇ ପାରିବ ନାହିଁ ତୋତେ । ତୋ’ ମନ–ଲେଖାରୁ ମୁଁ ଅନ୍ତତଃ ଏତିକି ବାରୁଛି । ତେବେ ମୋ ଅନୁମାନରେ ଶାନ୍ତି କେବଳ ଲୁହ ଭିତରେ ଖୋଜିଲେ କେଜାଣି ମିଳିବ ପରା !

 

ମୋଟ ଉପରେ ପାଣ୍ଡୁଲିପିଟି ପଢ଼ି ମୋର ମନେ ହେଲା ଏଇଟି ଏକ ପଥହରା ବଣ ବାଟୋଇ କାନରେ ନିଝୁମ୍‍ ରାତିର ଅଚିହ୍ନା ବେଣୁସ୍ଵନ !

 

ଥା’ବାବୁ ! ମାଆହରା ଶିଶୁଟିର ଚାନ୍ଦ ମୁଖରେ ତୋ’ ସ୍ନେହ ପିତୁଳିର ପ୍ରତିଲେଖ ଫୁଟି ଟିକିଏ ହେଲେ ତୋ’ର ଛାତି ଭାର ଉଶ୍ଵାସ ହେଉ ।

 

ଜଗନ୍ନାଥ ବଲ୍ଲଭ, କଟକ

ତୋ’ ଦୁଃଖରେ ଦୁଃଖୀ

ତା ୨୧ । ୧ । ୫୫

କାଳୀଚରଣ

Image

 

 

 

 

“ମୋର ସକଳ ଗର୍ବ ଚୁର୍ଣ୍ଣ କରିଛ

ସବୁତ ନେଇଛ ଛଡ଼ାଇ,

ଆଶାର ତୁଙ୍ଗ ଶିଖରେ ଚଢ଼ାଇ

ଭୂଇଁରେ ଦେଇଛ ଗଡ଼ାଇ ।’’

 

(କାନ୍ତ କବି)

Image

 

 

 

 

 

 

 

 

 

 

 

ମିଳନ– ୬-୨-୧୯୪୫

ବିଦାୟ– ୧୫-୧୨-୧୯୪୭

 

ସଂଜ

ମରଣର ଦୁଇଦିନ ପରେ

 

ମୋର ଚିର ଆଦରର ରାଜରାଣୀ ସେବା !

 

“ସାଗରପାରେ ସପନପୁରେ ରାଜକୁମାରୀ ଘର’’......ଦିନେ ଯେ ଥିଲା ବାସ୍ତବ, ଆଜି ସେ ସ୍ୱପ୍ନ; ଦିନେ ଯେ ଥିଲା ଧୂସର ସନ୍ଧ୍ୟାର ମାନମୟୀ ଅଭିସାରିକା, ଆଜି ସେ କଳ୍ପନା ଜଗତର କୁହେଳିଘେରା ମାୟାର ଧୂପଛାୟା; ଦିନେ ଯେଉଁ ରକ୍ତଗୋଲାପର ଅମଳ ଅଧରରେ ଥାପି ଦେଉଥିଲି ଅଗଣା ପ୍ରେମଚୁମ୍ବନର କମ ଛାପ, ଆଜି ସେ ଜଳନ୍ତା ଜୁଇରେ ଜଳିପୋଡ଼ି ମୁଠାଏ ଧୂଳିସାର ଭସ୍ମ !!

 

ରାଣୀ ମୋର ! ସତେ ସତ ବଳିଲା ତୋର ଏକୁଟିଆ ଛାଡ଼ିଯିବାକୁ ମୋତେ ? କେତେ ସ୍ନେହ, କେତେ ସୋହାଗ, ଆଦର, ଅଭିମାନ ଭିତରେ ତୋଳି ଆଣିଥିଲି ତୋତେ । ସବୁ ମାୟାମମତା ପ୍ରେମର ବନ୍ଧନ ଦଣ୍ଡକରେ ତୁଟାଇ ଦେଇ, ଏତେବଡ଼ ବିଶ୍ୱ ଭିତରେ ମୋତେ ନିଃସ୍ଵ କରିଦେଇ, ଧୂଳିର ସାଥୀ ଶିଶୁ ‘ପ୍ରଭାତ’ କୁ ମାତ୍ର ଦୁଇଟି ବର୍ଷର ଆଦର ଦେଇ ସତେ ତୁ ଚାଲିଗଲୁ ? ଚାଲିଗଲୁ କେଉଁ ଅଜଣା ଅଦେଖା ଘରକୁ ?

 

ଅଶାନ୍ତ ମରଣ–

 

କି ଅଶୁଭ ବେଳରେ ମୁଁ ଏଥର ତୋ’ଉପରେ ରାଗି ବସିଲି । ଦୁଇମାସ କାଳ ତୋ ପାଖକୁ ଦି’ପଦ ଚିଠି ବି ଲେଖି ନାଇଁ । ତୋ’ର ଗୋଲାପୀ ମୁହଁଟି ଦେଖି ନଥିଲି ଦୀର୍ଘ ଦୁଇମାସ ଧରି । କିଏ ବୁଝିବ ମୋ ଅନ୍ତରର ଦୁଃଖ–ହୃଦୟର ବେଦନା ? କେମିତି ଏ ଦୁଇଟିମାସ ମୁଁ ଛାତି ପଥର କରି ତୋ’ ଆଗମନକୁ ଚାହିଁ ରହିଥିଲି ତା’ କେବଳ ଅନ୍ତର୍ଯ୍ୟାମୀହିଁ ଜାଣନ୍ତି । ଏ ଦୁଇମାସ ମତେ ଦୁଇଟି ଯୁଗ ଭଳି ଲାଗିଛି । କେତେ ଆଶା ବାନ୍ଧିଥିଲି, ରଙ୍ଗୀନ୍ ସ୍ଵପ୍ନ ଦେଖିଥିଲି, ଅଭିମାନର କେତେ ତୁଙ୍ଗ ହିମାଳୟ ଗଢ଼ିଥିଲି । ତୁ ଫେରି ଆସିଥାନ୍ତୁ, ମୋର ଅନ୍ଧାର ଘର ଆଲୋକିତ କରି ଶୂନ୍ୟ ହୃଦୟପୂର୍ଣ୍ଣ କରି ତୁ ଯେତେବେଳେ ହସ ହସ ମୁହଁରେ ମୋ କୋଳରେ ବସି କହିଥାନ୍ତୁ–‘ମୋ ଅପରାଧର କ’ଣ କ୍ଷମା ନାହିଁ ?’ ସେତେବେଳେ ଆନନ୍ଦରେ ଲାଜରେ ଏଇ ଯୋଡ଼ା ପୋଡ଼ା ଆଖି ମୋର ଝରାଇ ଥାଆନ୍ତା ଅସରା ଲୁହଧାରା–ଆଉ ଲୁହ ଧୂଆ କପୋଳରେ ତୋର ମୁଁ ଆଙ୍କି ଦେଇ ଥାଆନ୍ତି ଅଲିଭା ଅଗଣା ଅସରନ୍ତି ଚୁମ୍ବନ । କିନ୍ତୁ–

 

“ଆଶାର ମିଳନ ଆଶାରେ ରହିଲା

ମନ ଛବି ଅଙ୍କା ବନକ ସରିଲା ।’’

 

ସ୍ଵପ୍ନ–ସପନ ହେଲା । କଳ୍ପଣା ହେଲା କଳ୍ପଣା ! ପୁଣି ଏଡ଼େ ହତଭାଗ୍ୟ ଯେ ମରଣ ଶେଯରେ ସୁଦ୍ଧା ତୋତେ ଶେଷଥର ପାଇଁ ଟିକିଏ ହେଲେ ଦେଖି ପାରିଲି ନାଇଁ ମୁଁ । ଶୁଣିଲି ତୁ ଆଖି ବୁଜିବା ଆଗରୁ ମୋତେ କେତେ ବିକଳ ହୋଇ ଖୋଜିଛୁ । ଜାଣେ ମୁଁ–ତୁ ଖୋଜିଥିବୁ, କାନ୍ଦିଥିବୁ–ଏ ଅଭାଗାକୁ କେବଳ ଥରଟିଏ ଦେଖିବୁ ବୋଲି ତୁ ନିଶ୍ଚୟ କେତେ କଲବଲ ଡହଳବିକଳ ହୋଇଥିବୁ । କିନ୍ତୁ ତା’ ହେଲାନାହିଁ–ହୋଇ ପାରିଲା ନାଇଁ ।

 

ସତେ ମୁଁ କେଡ଼େ ନିଷ୍ଠୁର । ତୋ’ର ଏ ଡହଳବିକଳ ପୋଡ଼ାଜଳା କାହାଣୀ ଶୁଣିବା ଆଗରୁ ମୁଁ ମରି ପାରିଲି ନାହିଁ । କି କୈଫିୟତ ଦେଇ ଆଜି ତୋ ପାଖରେ କ୍ଷମାଭିକ୍ଷା ମାଗିବି ବୁଝିପାରୁ ନାଇଁ । ମିଟରେ ! ତୁ ଆଜି ଶରୀରୀ କି ଆଶରୀରୀ ଜାଣେ ନା । ତେବେ ଅଶରୀରୀ ହୋଇଥିଲେ, ଥରେ ମୋ ଅନ୍ତର ଭିତରକୁ ଆଖି ପକାଇଲେ ଦେଖିବୁ–ସେଠି ଅହରହ ଜଳୁଛି ଅନୁତାପର ଜୀବନ୍ତ ଜୁଇ । ତୋ’ ଦୁଃଖକଥା ଭାବିଲାବେଳକୁ ଛାତି ମୋର ଫାଟିଯାଉଛି । କଲିଜା ଛିଡ଼ି ପଡ଼ୁଛି ଟିକି ଟିକି ହେଇ । ତୁ ଯଦି ଏମିତି ଛଟପଟ ହେଇ ନ ମରି ମୋ’ରି କୋଳ ଉପରେ ମଥା ରଖି ମରିଥାନ୍ତୁ ଆଉ ମୋର ଦୋଷ ପାଇଁ ମୋତେ ଅନନ୍ତ ନରକ ଯନ୍ତ୍ରଣାର ଅଭିଶାପ ଦେଇ ଯାଇଥାନ୍ତୁ, ତା’ ମୁଁ ହସି ହସି ସହିଥାନ୍ତି । କିନ୍ତୁ ହାୟ ! ଏତେ ସ୍ନେହ, ଅଭିମାନ, ଦରଦ, ସହାନୁଭୂତିରେ ତୋତେ ବଢ଼ାଇଥିଲି ଶେଷକାଳରେ ଟିକିଏ ଦେଖି ବି ପାରିଲି ନାହିଁ ! ତୋ’ର ଆଖିର ବୁନ୍ଦାଏ ଲୁହ ହେଲେ ପୋଛି ପାରିଲି ନାହିଁ !! କି ତୋ’ର ସେ ବିଦାୟ–ପାଣ୍ଡୁର ଗଣ୍ଡ ଦେଶରେ ଶେଷଥର ପାଇଁ ଟିକିଏ ହାତ ବୁଲାଇ ପାରିଲି ନାଇଁ !!!

 

ସୁନ୍ଦର ଟିକି ମୁଁହଟି ତୋ’ର କେମିତି ମଳିନ ହୋଇ ଯାଇଥିବ । ମଥାର କୁନ୍ତଳ କିପରି ଅଲଗା ହୋଇ ତୋ’ରକ୍ତ ଅଧରକୁ ବିବର୍ଣ୍ଣ କରିଥିବ । ମୁକ୍ତାନିନ୍ଦୀ ଦାନ୍ତଗୁଡ଼ିକ ଶେଷରେ ମୁଦି ହୋଇ ଯାଇଥିବ । ଖାଲି ଆଖି ଦୁଇଟିରେ ଶେଷ ପଲକରେ ତୁ ଚାହିଁଥିବୁ ଥରେ ଦେଖିବାକୁ ଏ ଭାଗ୍ୟହରାକୁ । ହାୟ, ସେତକ ବି ହେଲାନାଇଁ, ଦୁଃଖିନି । ଶେଷରେ ଆଖି ମୁଦିବା ଆଗରୁ ମୋତେ ନିଶ୍ଚୟ ଅଭିଶାପ ଦେଇ ଯାଇଥିବୁ । ଭଗବାନଙ୍କୁ ଡାକୁଛି ତୋ’ର ସେ ବୁକୁଫଟା ଅଭିଶାପ ମୋ କପାଳରେ ସଫଳ ହେଉ–ମୁଁ ଏମିତି ମଲାବେଳକୁ କାହାରିକି ଦେଖି ନ ପାରେ ।....

 

ତା’ପରେ ଶେଷ ନିଶ୍ଵାସଟି ବାହାରି ଯାଇଥିବ । ସେଠୁ ହୋଇ ଯାଇଥିବୁ ଶବ । ତୋ’ର ଭରା ଯୌବନ, ମାଂସଳ, ବକ୍ଷ, ଚୂର୍ଣ୍ଣ କୁନ୍ତଳ, ଗୋଲାପୀ ଅଧର, ରକ୍ତିମ କପୋଳ–ସବୁ ହୋଇଯାଇଥିବ ଦୀନ, ହୀନ, ମଳିନ । କିଏ ସେଇ ନିଷ୍ଠୁର ତୋ’ ଛୋଟ ଛୋଟ ହାତରୁ କାଢ଼ି ନେଇଥିବ ସୁନାଚୁଡ଼ି ଗୁଡ଼ିକ, ବେକରୁ କାଢ଼ିଥିବ ତୋ’ ଶରଧାର ହାରଟି, କାନରୁ କାଢ଼ିଥିବ କାନଫୁଲ ଯୋଡ଼ିକ ? ପୁଣି କିଏ ସେଇ ଭାଗ୍ୟବାନ ତୋ’ର ଶବ ଦେହର ଉଦାର ଭାଲରେ ଦେଇଥିବ ଶେଷ ସିନ୍ଦୁର ବିନ୍ଦୁଟି ? ମନେ ପଡ଼ୁଛି କେତେଥର ମୁଣ୍ଡ ବାନ୍ଧିଲାବେଳେ ଥଟ୍ଟା କରି ତୋ’ ସିନ୍ଦୁର ଲିଭାଇ ଦେଉଥିଲି । ଆଉ ତୁ ରାଗିଯାଇଁ ମୋ କୋଳରେ ଲୋଟିପଡ଼ି କହୁଥିଲୁ–‘ଛି, ତମେ ଯେ ମୋର ଦେବତା, ତମରି ଆଗରେ ଏମିତି ସିନ୍ଦୁର ନାଇ ମୁଁ ଯାଏଁ । ଏତିକି ଆଶୀର୍ବାଦ କର । ‘ସତ ହେଲା ତୋ କଥା ସୁନ୍ଦରୀ । ଏ କାଙ୍ଗାଳକୁ ଭସାଇ ଦେଇ ଶେଷ ସିନ୍ଦୁର ନାଇ ତୁ ଆଜି ଛାୟା ଭିତରେ କାୟା ମିଶାଇ ଦେଲୁ !

 

...ତା’ପରେ–ବୁଢ଼ାବଳଙ୍ଗ କୂଳର ବାଲିଘାଟ ମଶାଣିରେ ସୁକୁମାର ତନୁଲତା ତୋ’ର ପରିଣତ ହୋଇଥିବ ଛାର ମୁଠିଏ ଭସ୍ମରେ । ଏଇ ସେହି ବୁଢ଼ାବଳଙ୍ଗ–ଯୋଉଁଠି ପିଲାଦିନେ ବାପା ଦାଦାଙ୍କ ସାଙ୍ଗରେ ଗାଧୋଇବାକୁ ଆସି କେତେ ଖେଳିଥିବୁ, କେତେ ହସିଥିବୁ, ନାଚିଥିବୁ ଆନନ୍ଦରେ । ସେଇଠି–ସେଇ କୁଳୁଗୀତ ଭରା ନଈକୂଳରେ ଜଳି ଉଠିଥିବ ଲାଲ ଜୁଇ ଆଉ ସେହି ଜଳନ୍ତା ଜୁଇରେ ନିଷ୍ଠୁର ହୋଇ, ପଥର ହୋଇ ଥୋଇ ଦେଇଥିବେ ତୋ’ କଅଁଳ ଛନଛନ ସୁନାର ତନୁଟିକି । କେମିତି–ସହିଲୁ ସେ କଷ୍ଟ ? କେମିତି ସହିଲୁ ସେ ଡହଡ଼ହ ଜଳନ୍ତା ନିଆଁର ତାଉ ? ମନେ ପଡ଼ୁଛି, ତୋ ଛାତିରେ ଥରେ ବ୍ରଣଟିଏ ହୋଇଥିଲା । କେତେ କଷ୍ଟ, କେତେ ଦରଜ, କେତେ ଜଳାପୋଡ଼ା । ଟିକିଏ ହାତ ଛୁଆଇଁ ଦେଉ ନ ଥିଲୁ । ଆଉ ଆଜି ? –ଏ ରଡ଼ନିଆଁରେ ତୋ’ ଦେହସାରା ଜଳିପୋଡ଼ି ପାଉଁଶ ହୋଇଗଲା । ତୋ’ ସୁନାର ଦେହଟି ଅଙ୍ଗାର ହୋଇଗଲା ଘଡ଼ିକେ !! ହଁ,ଭୁଲିଗଲି, ତୋ’ର ସେ ହସହସ ଗୋଲାପ ମୁଁହରେ କିଏ ଆଗକରି ନିଆଁ ଦେଇଛି ଜାଣୁ ? ତୋ’ରି ସେ ଦୁଇ ବରଷର କଅଁଳିଆ ପୁଅ ‘ପ୍ରଭାତ’–ଯାହାକୁ ଅନ୍ତର ଚିପୁଡ଼ି ରକ୍ତ ନିଗାଡ଼ି ଜନ୍ମ ଦେଇଥିଲୁ ତୁ । ଏଡ଼େ ନିଷ୍ଠୁର ସେ, ବଡ଼ ହେଲେ ତା’କୁ ପଚାରିବି କେମିତି ସେ ତା’ ମା’ର ସୁନା ମୁଁହରେ ଦେଲା ଜଳନ୍ତା ନିଆଁ–ଯୋଉ ମୁଁହରୁ ସେ ଖାଇଥିଲା କେତେ ସ୍ନେହ ଶରଧାର ଅଜସ୍ର ଚୁମା ।

 

କାଠ ସଜଡ଼ା ହୋଇଥିଲା । ତା’ଉପରେ ଆଣି ମୁହଁ ମଡ଼ାଇ ଶୁଆଇ ଦେଲେ ତୋତେ । ଉପରେ ପୁଣି ଗରକାଠ ନଦା ହେଲା । ଶଗଡ଼େ ଭଳି କାଠରେ ଚିପି ହୋଇଗଲା ତୋ’ର କଅଁଳ ଦେହ । ମୁଖାଗ୍ନି ଧରି କୁନି ପୁଅ ଚିତା ପ୍ରଦକ୍ଷଣ କଲା । ଥରେ–ଦୁଇଥର–ତିନିଥର । ତା’ପରେ...... ତା’ପରେ.......

 

ହୁ ହୁ ହେଇ ଜଳି ଉଠିଲା ଲୋ

ରଡ଼ନିଆଁ ତାଉ ତାଉ

ମାଟି ଦେହ ତହିଁ ଝଟକି ଉଠିଲା

ସୁନାଭଳି ଦାଉ ଦାଉ ।

ନିମିଷେ–ନିମିଷେ–ନିମିଷେ ମାତର

ଜଳିଗଲା ତାହାପରେ

ଚାହୁଁ ଚାହୁଁ ସବୁ କଳା ପଡ଼ିଗଲା

ପୋଡ଼ିଗଲା ଧୀରେ ଧୀରେ ।

ପହିଲେ ଜଳିଲା ଅଙ୍ଗୁଳିଗୁଡ଼ିକ

କଅଁଳ ନରମ ଅତି

ମୋଡ଼ି ମୋଡ଼ି ହୋଇ ଜଳି ଆସିଲା ଲୋ

ହାତ,ଗୋଡ଼,ପାଦ,ଛାତି ।

ଏଡ଼େ କମନୀୟ,ଏତେ ଲୋଭନୀୟ

ଛାତିର ସେ ସୁନାଫୁଲ

ଚାହୁଁ ଚାହୁଁ କେଣେ ଜଳିଗଲା ଆହା

ଦିଶେ କଳା କଲବଲ !!

ମଧୁଭରା ସେ ତୋ ବଧୁଲି ଅଧରୁ

ଲୁଚିଲା ମଧୁର ହସ

ନିମିଷେ ମାତର ଲାଗିଲା ନାଇଁ ତ

ଜୁଇ କଲା ଶିରୀ ଶେଷ

ସପନ ମିଳନ ସପନ ହେଲା ଗୋ

ମେଲା ଆଖି ଦେଖେ ଛାଇ

ମନ ପାଶୋରିବା ଦୁରେଥାଉ ଆଳି

ଲୁହ ତା’ ପାଶୋରି ନାହିଁ ।

 

ହତଭାଗ୍ୟ ମୁଁ । ଏଇ ଜୁଇଶିଖା ଦେଖିବାର ସୌଭାଗ୍ୟ ବି ମୋର ନ ଥିଲା । ମୁଁ ଆସି ଦେଖିବାବେଳକୁ ଚିତାର ଶେଷ ଛାଇ ବି ଲିଭି ଆସିଛି । ରାଈଶୀତଳା ପାଇଁ ଦାଦାଙ୍କ ସାଙ୍ଗରେ ଯାଇଥିଲି । ଜୁଇଗାତରେ ପାଣି ପକାଇ ନିଆଁ ଲିଭାଇ ଆଣିଲି ମାତ୍ର ତୋ’ର ଦୁଇଖଣ୍ଡ ହାଡ଼ । ତାହା କୋଉ ଅଙ୍ଗର ଅବଶେଷ ମୁଁ ଜାଣେନାହିଁ । ହୁଏତ ହୋଇପାରେ ତୋ ପଞ୍ଜରାର ହାଡ଼, ଯୋଉଠି ଥିଲା ସେଦିନ ନାରୀର ଗର୍ବ ଗୌରବର ସାମଗ୍ରୀ କମନୀୟ କନକ ଶଙ୍ଖ ଆଉ ଯୋ ଥିଲା ମୋର କେଡ଼େ ସ୍ନେହ ଆଦରର ଧନ । ଆଜି ତା’ର ଏଇ ପରିଣତି । ଏଇ ଅଙ୍ଗାର, ପାଉଁଶ, ସରୁ ସରୁ ହାଡ଼ !! ...ଏଇଠି ଘଟିଛି ତୋ’ର ଏ ଭଙ୍ଗଗଢ଼ା ଦୁନିଆଁର ଲୀଳା ଅବସାନ ।

 

ଅନାଥ ଶିଶୁ–

 

ସେବା । ହୃଦୟରେ ଭାବ ପୁରିଗଲେ ଭାଷା ମିଳେନା ତାହା ପ୍ରକାଶ କରିବାକୁ । ମୁଁ କେବେ ଦିନେହେଲେ ସ୍ୱପ୍ନରେ ବି ଭାବି ନ ଥିଲି ଯେ ତୁ ଏତେଶୀଘ୍ର ମୋତେ ଏକୁଟିଆ ଛାଡ଼ି ଆଗତୁରା ଚାଲିଯିବୁ । ଆଶାଥିଲା ତୋରି କୋଳରେ ମଥା ରଖି ତୋ’ର ସେ ସଜାଫୁଟା କଅଁଳ ମୁଁହକୁ ଚାହିଁ ଚାହିଁ ଦିନେ ନିଶ୍ଚିନ୍ତରେ ମରିବି । କିନ୍ତୁ ହେଲା ଠିକ୍ ଓଲଟା । ଏଡ଼େ ସ୍ଵାର୍ଥପର ତୁ । ମୋତେ ଏତେ ବଡ଼ ନୀରସ ଦୁନିଆଟାରେ ଏକୁଟିଆ ସାହାସ ସମ୍ବଳହୀନ ଭାବରେ ଛାଡ଼ିଦେଇ ଏକାଏକା ବାଟ କାଟିଲୁ ନା ? ମନେ ପଡ଼ୁଛି ଦିନେ ବସନ୍ତର ମଳୟ ରାତିରେ ଜହ୍ନ ଆଲୁଅ ତଳେ କୋଳରେ ମୋର ବସିଥିଲୁ ଆଉ ହସି ହସି ପଚାରିଥିଲୁ–‘ମୁଁ ମରିଗଲେ ଏମିତି ଆଉ କାହାକୁ ନେଇ ସ୍ନେହ କରିବ ?’ ...କାନ୍ଦି ପକାଇଥିଲି ସେଦିନ, ଆଉ ତୋ’ର ପୃଥୁଳ ବକ୍ଷକୁ ଆଲିଙ୍ଗନ କରି, ସୁଗୋଲ ଗାଲରେ ଅଗଣନ ଆଦରର ଚୁମା ଆଙ୍କି କହିଥିଲି–‘କାଳତୁଣ୍ଡୀଟା । ରାତିଟାରେ ଏମିତି କଥା କହନ୍ତି ନା:’ ଅଭିମାନ କରି କହିଥିଲୁ–ହଁ, ଏଡ଼େ ଶରଧା କାହିଁକି ? ମୁଁ ଆଜି ମଲେ ତମେ ତ ପୁଣି କାଲି ବାହା ହେବ । ହେଲେ ମୋ କୁନିଆ ଅଣହେଳା ହେବ । ନୂଆ ଘରଣୀ ଆସିଲେ ଆଉ କ’ଣ ମୋ ବାବୁକୁ ପଚାରିବ ନା ମୋତେ ମନେ ପକେଇବ ?’ ମିଟ । ଛାତି ଫାଟିଯାଉଛି ଏ ସବୁ କଥା ମନେପଡ଼ି । ତଥାପି ଲେଖୁଛି । ସେଦିନ କାଳତୁଣ୍ଡୀ କହି ପାଟି ବୁଜି ରଖିଥିଲି ଆଉ କହିଥିଲି–‘ଛି, ତୁ ମରିଗଲେ ଆଉ ମୁଁ ବଞ୍ଚିପାରିବି ?’ ...କିନ୍ତୁ ଆଜି ତୋ ତୁଣ୍ଡ ସୁତୁଣ୍ଡ ହେଲା, ତୁ ମରିଗଲୁ । ମୁଁ କିଂତୁ ଜୀଅଁନ୍ତା ମଡ଼ା ହୋଇ ପଡ଼ି ରହିଲି । ଖାଲି ସାରା ଜୀବନଟା ଏମିତି ଜଳିପୋଡ଼ି ଛାତିର ରକ୍ତରେ ଆଖିର ଲୁହ ଗଡ଼ାଇ ତୋତେ ଝୁରି ହେଉଥିବି ଆଉ ସାଥିହରା କପୋତ ଗାଇଲା ପରି ଗାଉଥିବି–ସେଇ ପୂରିଲା ଗୋ ରାଣୀ ! ମାଣ ପୁରିଲା ଗୋ ରାଣୀ । ଉଠ୍, ଉଠ୍, ଉଠ୍ ।

 

ଆଉ ପ୍ରଭାତ ? ସତେ କଣ’ ମୁଁ ତାକୁ ଅଣହେଳା କରିବି ? ହନ୍ତସନ୍ତ କରିବି ? ତଥାପି–ତଥାପି ଯେତେ ସ୍ନେହ କଲେ ବି ମୁଁ ତ ଆଉ ତା’ର ମା’ ନୁହେଁ । ମା’ ଛେଉଣ୍ଡ ଛୁଆଟା ଜୀବନରେ ହୁଏ ତ ସବୁ ପାଇପାରେ, କିନ୍ତୁ ମା’ ସ୍ନେହ ଆଉ ପାଇବ କି ? ସତ କହିଛୁ ମୋତେ ହଜାର ଘରଣୀ ମିଳିବେ, କିନ୍ତୁ ତାକୁ ଆଉ ମା’ ମିଳିବ ନାହିଁ । ଆହା, କେଡ଼େ ସ୍ନେହ କରିଥିଲୁ । ଦଣ୍ଡେ ନ ଦେଖିଲେ ତାକୁ ବାୟାଣୀ ହେଇଯାଉ । କୁନିଆ ପାଇଁ କେତେ ବରାଦ କରୁଥିଲୁ ତୁ । ସେ ବରାଦ ଯୋଗାଇବାରୁ ଟିକିଏ କିଛି ଊଣା ହେଲେ କେତେ କଳି କରୁ । ଏତେ ରୋଗରେ ପଡ଼ି ମଧ୍ୟ ତାକୁ ନନେଇ ବାଲେଶ୍ଵର ଗଲୁନାଇଁ । ତାକୁ ଟିକିଏ ଆଖିର ଆଢ଼ୁଆଳ କଲେ ତୁ ଅନ୍ଧୁଣୀ ହୋଇଯାଉ; କିନ୍ତୁ ଆଜି ? କୋଉଠି ଦୁଇଦିନ ହେଲା ଯାଇଁ ନିଶ୍ଚିନ୍ତରେ ରହିଛୁ ? କୁନିଆ ତୋ’ର କାନ୍ଦି କାନ୍ଦି ଗଡ଼ୁଛି ତୋ’ରି ପାଇଁ । କାହିଁ, ଥରେ ତ ଡାକୁ ନାହୁଁ ତାକୁ ? ସେବା ରେ ! କୁନିଆ ମତେ କାନ୍ଦି କାନ୍ଦି ପଚାରୁଛି ‘ବାବା ! ମା’ କାହିଁ ?’ କହ ସେବା ! କହ ଥରେ କି ଉତ୍ତର ତାକୁ ଦେବି ? ଅବୋଧ ଶିଶୁ–ସେ ତ ଆଉ ବୁଝୁନାଇଁ ତୁ ଏମିତି ପାଷାଣ ହୃଦୟ କରି ଆମକୁ ନଈ ମଝିରେ ଭସାଇ ଦେଇ ତୋ’ ସୁଖରେ ତୁ ଚାଲିଗଲୁ । କହ ମିଟ ! ରାଣୀ ମୋର ! ଧନ ମୋର ! କହ ଥରେ ତା’ ପାଇଁ ମୁଁ କ’ଣ କରିବି ? କେମିତି ମୁଁ ଏ ଦି’ବରଷର ଦୁଧଖିଆ ଛୁଆଟିକି ପାଳି ଦୁନିଆଁରେ ମଣିଷ କରି ଗଢ଼ିବି ? ଅନାଥ ଅରକ୍ଷିତ ସ୍ନେହ–କାଙ୍ଗାଳ ହୋଇ ସେ ଏତେ ବଡ଼ ଦୁନିଆରେ ପଡ଼ି ରହିଲା । ତା’ର ମା’ ନାଇଁ–କେହି ନାଇଁ । ଆହା ପଦ ଶୁଣିବା ଜୀବନରେ ତାର ସରିଗଲା । ଏଇ ମୋ ଭାଗ୍ୟ । ଏଇ ଭଗବାନଙ୍କର ପରୀକ୍ଷା ।

 

ପାଗଳ ପ୍ରଳାପ–

 

ଅଭିମାନିନୀ ! ଶେଷରେ ତୁହି ଜିତିଲୁ, ମୁଁ ହାରିଗଲି । ଆଜିଯାଏଁ କହି ନ ଥିଲି, ଭାବିଥିଲି ତୁ ଫେରିଥିଲେ ଦିନେ ନିରୋଳା ରାତିରେ ତୋତେ କୋଳରେ ଧରି ଗୋଟିଗୋଟି କରି ସବୁ କହିଥାନ୍ତି ମୋ ଘୋଷା, ରାଗ, ଅଭିମାନର କାରଣ, କିନ୍ତୁ ହେଲା ନାହିଁ । ମୋ ଦୁଃଖ ନ ଶୁଣି, ମୋତେ ବାବା, ମା, ଆଈ, ମାମା ଏପରିକି ସାରା ଦୁନିଆ ଆଗରେ ଦୋଷୀ କରି, ଦାଣ୍ଡ ମଝିଟାରେ ଛିଡ଼ା କରିଦେଇ ତୁ ଚାଲିଗଲୁ । କେଉଁ ନିର୍ଲଜ ମୁଁହରେ ମୁଁ ସେମାନଙ୍କ ପାଖରେ ଦୋଷ କ୍ଷମା ମାଗିବି ? ଭଗବାନ ହିଁ କେବଳ ଜାଣନ୍ତି ଅନ୍ତରର କଥା । ମୁଁ ତ କେବେ ସେମାନଙ୍କ ଉପରେ ରାଗି ନ ଥିଲି । ଦୁନିଆରେ ତୋ’ ଛଡ଼ା ଆଉ ମୋର କିଏ ଥିଲା ଯାହା ଉପରେ ରାଗିବି, ଗାଳି ଦେବି, ଅଭିମାନ କରିବି, ଅଳିଝଳି କରିବି ? ଆଉ ଏ ଥରକ ମୁଁ ରାଗିଥିଲି କି ଅଭିମାନ କରିଥିଲି ତା ସେ ଅନ୍ତର୍ଯ୍ୟାମୀ ଜାଣନ୍ତି ।

 

ତୁ ଜାଣୁ ମୁଁ ତୋତେ ଦଣ୍ଡେ ନ ଦେଖିଲେ ଅନ୍ଧ ହୋଇଯାଏ । ମୁହୂର୍ତ୍ତେ ପାଇଁ ତୁ ମୋଠାରୁ ଦୂରକୁ ଚାଲିଗଲେ ଅନ୍ତର କାନ୍ଦି ଉଠେ । ସେଇଥିପାଇଁ ଚଉଦୁଆରରେ ଥିବାବେଳେ ମୁଁ କର୍ମକ୍ଷେତ୍ରରୁ ଫେରି ଯେତେବେଳେ ଦେଖେ ତୁ ଘରେ ନାହୁଁ–ଯାଇଛୁ ମାମାଙ୍କ ଘରକୁ, ସେତେବେଳେ ମୁଁ ହଠାତ୍ ରାଗିଯାଏ । ତା’ର କାରଣ ମୁଁ ଚାହୁଁଥିଲି ଦିନଯାକର ଦୁଃଖ, କଷ୍ଟ, ଶ୍ରମ ଲାଘବ ପାଇଁ ଥରେ ତୋ’କୋଳରେ ବସି ଗୋଟିଏ ନରମ ଚୁମା ଖାଇବାକୁ । ସେତକ ନପାଇ ମୁଁ ରାଗିଯାଏ । ଠିକ୍ ରାଗ ନୁହେଁ–ରୁଷା ମୋର ସେ ସିନା ! ପାଗଳି ! ତୁ ବୁଝୁନା ।.......ମନେ ଅଛି ନା ତୁ ଯେତେବେଳେ ମୋତେ ଏକୁଟିଆ ଛାଡ଼ି ବାଲେଶ୍ୱର ଚାଲିଯାଉ ମୁଁ କିପରି ଦୁଃଖ ଜୀବନର ନୀରସ ଦିନଗୁଡ଼ିକ ଗଣିଗଣି କଟାଏ, ଆଉ କେତେ ବ୍ୟାକୁଳ ହୋଇ ତୋ ପାଖକୁ ଘନଘନ ଚିଠି ଦିଏଁ । ଏ ସବୁ କାହିଁକି ? କେବଳ ତୋତେ ଅତ୍ୟଧିକ ସ୍ନେହ କରୁଥିଲି ବୋଲି ତ ? ତୁ ଯେ ଥିଲୁ ମୋର ଅଲିଅଳ ରାଜଜେମା, ପୁନେଇଁର ମୁକୁଳା ଚାନ୍ଦ, ନନ୍ଦନର ସୁଗନ୍ଧ ପାରିଜାତ ଆଉ ଏ ଅନ୍ଧ ଭଅଁରର ଏକମାତ୍ର ସଜଫୁଟା ଗୋଲାପ । ତୁ କିନ୍ତୁ ବୁଝିଲୁ ନାହିଁ ଏ ସବୁ । ଅବଶୋଷ ରହିଗଲା । ଏଇତକ ତୋତେ ଶେଷବେଳେ ଖୋଲି କହି ଦେଇଥିଲେ ମନଟା କେତେ ହାଲକା ହୋଇଯାଇଥାନ୍ତା । ତୁ ଅନ୍ତତଃ ଡହଳବିକଳ ନ ହୋଇ ଶାନ୍ତିରେ ମରିପାରିଥାନ୍ତୁ ।

 

ହାୟ ! ଆଜି ଏତେ କଥା–ଏତେ ଗୋପନ ବ୍ୟଥାର କରୁଣ ସ୍ୱର ଆଉ କାହାକୁ ଶୁଣାଇବି ? କିଏ ମୋର ଅଧୀର ପ୍ରାଣରେ ଶାନ୍ତ୍ୱନା ଦେବ ? କିଏ ମୋର ଆଖି ଲୁହ ପୋଛିଦେବ ଆଜି ତା’ ପଣତ କାନିରେ ? ଦୁନିଆ ଆଖିରେ ଯେ ଆଜି ମୁଁ ଦୋଷୀ । ବାବାଙ୍କୁ କେମିତି ଏ ଲାଜକଥା କହିବି ? ସେ କ’ଣ ବିଶ୍ୱାସ କରିବେ ? ମୋ ହୃଦୟର ଧନ, ଜୀବନର ଜପାମାଳୀ ସ୍ନେହର ପ୍ରାଣପ୍ରିୟାକୁ ସେ ନେଇଗଲେ ବୋଲି ଯେ ମୁଁ ଅଭିମାନ କରି ଘୋଷା ହୋଇଥିଲି ତା’ ସେ କିପରି ବୁଝିବେ ? ମିଟରେ ! ସ୍ୱର୍ଗରେ ଅଛୁ ତୁ, ଆଉ ମୁଁ ନରକରେ ଘାଣ୍ଟି ହେଉଛି । ତଥାପି କହ ଥରେ ମୁଁ ତୋତେ ଭଲପାଏ କି ନା ? ମୋର ଉପର ଲେଖା କଥା ଅନ୍ତର ଚିପୁଡ଼ା ଖାଣ୍ଟି ସତ ନା ଲୋକ ଦେଖାଣିଆ, ମନଭୁଲାଣିଆ କପଟ ? ଦେବି ! କହ ଥରେ–ମନଖୋଲି ଥରେ କହ ମୁଁ ପ୍ରକୃତରେ ତୋ’ର ପ୍ରେମପାଗଳ କି କପଟୀ, ଲମ୍ପଟ, ଦଗାଦାର ? ଦୁନିଆ ଆଗରେ ମୁଁ ଭଲେଇ ହେବାକୁ ଯିବି ନାଇଁ । ଭଗବାନ ଜାଣନ୍ତି ଅନ୍ତରର କଥା । ଭଗବାନ ହିଁ କେବଳ କହିବେ ମୁଁ ମଣିଷ ନା ପଥର ।

 

ମୋର ମଣି ହଜିଛି । ତନ୍ଦ୍ରା ତୁଟିଛି । ସ୍ୱପ୍ନ ଭାଙ୍ଗିଛି । ପୁଣି ଆଜି ହାତରେ ଶୁନ୍ୟଥାଳ ଧରି ମୁଁ କବିଙ୍କ ଭଳି ଲହୁଲୁହ ଢାଳି ଗାଇଗାଇ ବୁଲିବି–‘ଦୂରେ ଦୂରେ ଦୂରେ–ପରାଣପ୍ରିୟା ରହିଲା, ଯାଇଁ କାହାର ଅନ୍ତଃପୁରେ’ .....ପ୍ରିୟା ମୋର ନାଇଁ । ପକ୍ଷିଣୀ ଆଜି ମୋତେ ଅଠାକାଠିରେ ପକାଇ ଦେଇ ସେପାରିକୁ ଉଡ଼ି ଚାଲିଯାଇଛି । ଆଉ ଫେରୁ ନାଇଁ–ଫେରିବ ନାଇଁ । ହୃଦୟର ଆବେଗ ଦେଇ, ଆଖିର ଲୁହ ଦେଇ, କଣ୍ଠର କରୁଣସ୍ୱର ଦେଇ କେତେ ଡାକିଲି, କିନ୍ତୁ ସେ ଫେରିଲା ନାଇଁ । ଏତେ ଦିନର ପ୍ରାଣଭରା ସ୍ନେହ, ଅନ୍ତରଭରା ଆଦର, ହୃଦୟର ଶତ ମାୟା ମୋହ ବନ୍ଧନ–ସମସ୍ତ ଛଡ଼ାଇ ଚାଲିଗଲା–ଚାଲିଗଲା ପାଷାଣୀ । ବିଶାଳ ନୀଳ ଆକାଶ କୋଳରେ କ୍ଷଣକେ ଲୀନ କରିଦେଲା ତା’କୁସୁମ କୋମଳ ଅଙ୍ଗ ।.....

 

ସେବା ! ସାଥୀ ମୋର ! କହ ମୁଁ କେମିତି ବଞ୍ଚିବି ? ଯେ ଦିନେ ନଦେଖିଲେ ଅଥୟ ହେଉଥିଲା, ଯେ ଘଡ଼ିଏ ଆଖି ଆଗରୁ ଛାଡ଼ି ପାଗଳ ହୋଇ ଯାଉଥିଲା । ସେ କେମିତି ଆଜି ଏକୁଟିଆ ବଞ୍ଚି ରହିବ ବର୍ଷ ବର୍ଷ ଧରି ? ପଥ ତ ଅନେକ ଦୂର । କେତେ ବାଟ ବା ଆସିଛି ମୁଁ ? କହ କିଏ ମୋର ନୀରସ ପଥର ସାଥୀ ହୋଇ ବାଟ କଢ଼ାଇ ନେବ ? ମୁଁ କ’ଣ ଏତେଗୁଡ଼ାଏ ବାଟ ଏକା ଏକା ଚାଲିପାରିବି ? କାତ ମୋର ଭାସିଗଲା । ନୌକା ମୋର ଝଡ଼ିବର୍ଷାରେ ବଳଙ୍ଗ ନଈରେ ବୁଡ଼ିଗଲା । କହ ମିଟ । କହ କେମିତି ମୁଁ ଏକାଏକା ଏ ଦୁସ୍ତର ନଈ ପାରିହେବି ?

 

ସତେ ତୁ ଆଉ ଫେରିବୁ ନାଇଁ ? ମୁଁ ରାଗିଲି ବୋଲି ତୁ ଅଭିମାନ କରି ମୋତେ ଦେଖା ନ ଦେଇ ଚାଲିଗଲୁ ? ଏଡ଼େ ପାଷାଣୀ ତୁ । ବୁଝିଲୁ ନାଇଁ ମୋ ହୃଦୟର ବ୍ୟଥା ? ଶୁଣିଲୁ ନାଇଁ ଥରେ ମୋ ମରମର ଗୋପନ କଥା ? ହଉ, ରାଗିଛୁ ଯଦି, ମୁଁ ଦୋଷ ମାଗୁଛି, ଫେରିଆ ଭଲା । ମୋ ସୁନାଟି ପରା ! ଏମିତି ଟି’କ କଥାରେ ରାଗନ୍ତି ନା ? ହଁ, ଆଗରୁ ତ ଏମିତି କେତେଥର ରାଗିଥିଲୁ । ଦୋଷ ମାଗିବା କଥା କହିଲେ ହସିହସି ଆସି କୋଳରେ ମୋର ଲୋଟିଯାଉ । ଆଜି ତୋ’ର କ’ଣ ହେଲା ? କୁଆଡ଼େ ତୁ ଆଜି ସ୍ଵପ୍ନ ହୋଇଗଲୁ ? କୋଉ ଦରିଆପାରିରେ ଆଜି ତୁ ସୁନା ଘର ତୋଳି ନିଶ୍ଚିନ୍ତ ରହିଲୁ ? ତିନି ବରଷକାଳ ତୋତେ ଯେ ମନ ପ୍ରାଣ ଦେଇ ଏତେ ଭଲ ପାଇଥିଲି ସବୁ କ’ଣ ଏକାବେଳକେ ଭୁଲିଗଲୁ ?

 

ରାଣୀ ମୋର । ଆଜି ଆଉ ସେ ଦାବି ନାଇଁ–ସେ ଅଧିକାର ନାଇଁ ମୋର । କେବଳ ଅନୁନୟ ବିନୟ କରି କହୁଛି, ଥରକ ପାଇଁ ଆ–ଏ ଅନ୍ଧ ଯୋଗୀଟାର ଶୂନ୍ୟ ଥାଳରେ ଭିକ ମୁଠିଏ ଭରି ଦେଇ ଯା’ ଆଉ ଦେଖି ଯା’ ତୋର ସେଇ ବିଦେଶୀ ପ୍ରିୟ ଆଜି କିପରି ଧାରାଶ୍ରାବଣ ଝରାଉଛି । ତୋ’ରି ଅଭିଶାପ–ତୋ’ରି ଶେଷ ଲୁହ ମୋ ଉପରେ ବଜ୍ର ପକାଇ ଦେଇ ଯାଇଛି, ମୁଁ ମରିବି, ତୋଠାରୁ ଆହୁରି କଲବଲ ହୋଇ ଡହଳବିକଳ ହୋଇ ପାଣିମୁନ୍ଦିଏ ନ ପାଇ କୋଉଠି କୋଉ ବାଟ କାଡ଼ର ନର୍ଦ୍ଦମା ଭିତରେ ପଡ଼ି ମୁଁ ମରିବି । ସେଇଦିନ ଅବା ଶାନ୍ତି ପାଇପାରେ । ଆ’ରେ ଦୁଃଖିନି । ଆ’ରେ ମୋ ଗଳାରହାରା । ଅନ୍ଧର ଲଉଡ଼ି ! ପ୍ରାଣପ୍ରିୟା ! ଥରେ ତୋ’ର ଏ ହତଭାଗା ସାଥୀର ଦୁଃଖ ଦେଖିଯା’ । ହାତ ପତେଇ କ୍ଷମା ମାଗୁଛି । ଥରେ କ୍ଷମା ଦେଇଯା’ । ଏତେ ସ୍ନେହ ଆଦର କରିଥିଲୁ । ସବୁ ଏକାବେଳକେ ପାସୋରି ଦେଲୁ ? ଥରକ ପାଇଁ ପଦୁଟିଏ କଥା କହି ଯା–‘ମୁଁ କ୍ଷମା ଦେଇଛି’–ଏଇ ପଦିଏ କ’ଣ ଆଉ ଶୁଣିବି ନାଇଁ ତୋର ସେ ଅଭିମାନଭରା ମୁହଁରୁ ?

 

ବାବା ମା–

 

କେତେଥର କହିଛୁ ‘ଯଦି ମୁଁ ମରିଯାଏ ତମର ବା ଯିବ କ’ଣ ? ମୋ ବାପାମା’ଙ୍କର ସର୍ବସ୍ୱ ଯିବ’। ଆଜି ଲୋକ ମୁଖରୁ ବି ସେଇକଥା ଶୁଣୁଛି । ଦାଣ୍ଡଲୋକେ ସାଇପଡ଼ିଶା ସମସ୍ତେ ସେଇଆ କହୁଛନ୍ତି; କିନ୍ତୁ ଅନ୍ତର ମୋର ସେଥିରେ ରାଜି ହେଉନାହିଁ । ମୁଁ ଜଣେ ବାବା ମା’–ଯେ ନାହିକାଟି ଜନ୍ମଦେଇଥିଲେ, ରକ୍ତ ଦେଇ ଗଢ଼ିଥିଲେ, ଏକୋଇର ବଳା ବିଶିକେଶନ ଭଳି କେତେ ସ୍ନେହ ଆଦରରେ ଏଡ଼ୁଟିରୁ ଏଡ଼ୁଟିଏ କରିଥିଲେ ତାଙ୍କର ଦୁଃଖ ଅତି ଗଭୀର । ହୃଦୟ ତାଙ୍କର ଭାଙ୍ଗି ପଡ଼ିଲା । ମନ ତାଙ୍କର ଚିର ଦିନ ପାଇଁ ପୋଡ଼ି ଜଳିଗଲା ; କିନ୍ତୁ ତା’ ବୋଲି ମୋର ଦୁଃଖ ତ କମ୍‍ ନୁହେଁ । ମୋର କ’ଣ ଛାତି ଫାଟି ଯାଉନାହିଁ ? ମୋ ଆଖି ଆଗରେ ଯେ ପଡ଼ି ରହିଲା ଏକ ଦୀର୍ଘ ଅସମାପିକା, ହଁ, ତୁ କହିବୁ ମୁଁ ବାହା ହେବି, ତା’ହେଲେ ବି ମୁଁ ତ ଆଉ ତୋତେ ପାଇବି ନାଇଁ । ତୋ’ ହସହସ ସୁନ୍ଦର ମୁହଁ ତ ଆଉ ଦେଖି ପାରିବି ନାଇଁ, ତୋ’ର ରକ୍ତଗୋଲାପ ଅଧରରେ ତ ଆଉ ମନପୂରା ଚୁମାଟିଏ ଦେଇ ପାରିବି ନାଇଁ । ଦୁନିଆ ଲୋକେ ସିନା ଏକଥା ବୁଝିବେ ନାଇଁ, ତୁ କ’ଣ ଏଥିରେ ଅବିଶ୍ଵାସ କରିବୁ ?

 

ତେବେ ବାବା, ମା’ନିଶ୍ଚୟ ଭାଙ୍ଗିପଡ଼ିବେ । ପୁଣି ମୋ ରାଗ ତାଙ୍କୁ ବେଶୀ ବାଧିଛି । ତେଣୁ ତୋ’ ମରିବା ପରେ ମୋତେ ଆଶୀର୍ବାଦ ଛଳରେ ବାବା ଦେଇଛନ୍ତି ଅଭିଶାପ । ମୁଁ ସେଥିପାଇଁ ଛଳ କରିନାଇଁ କି ଆଉ କେବେ ଜୀବନରେ କରିବି ନାଇଁ । ମୋ ରାଗ ଅଭିମାନର ସାମଗ୍ରୀ ଶେଷ ହୋଇଗଲା । ଯାହା ଲାଗି ରାଗୁଥିଲି ସେ ଆଜି ଦୁନିଆର ଆରପାରିରେ । ଆଗରୁ ତ କହିଛି ମୋ ରାଗିବାର କାରଣ । ଅତି ଭଲ ପାଇବାରୁ ଅଭିମାନର ଆରମ୍ଭ । ଅଭିମାନର ମାତ୍ରା ବଢ଼ି ବଢ଼ି ରାଗରେ ପରିଣତି । ଏ ଗୋପନ କଥା ତ ବାବା ମା’ ବୁଝିବେ ନାଇଁ । ସେମାନେ ମୋତେ ଏକ ପାଷାଣ, ପାଷଣ୍ଡ ନିଷ୍ଠୁର ବୋଲି ଭାବୁଥିବେ ।

ଏକା ମୁଁ ନୁହେଁ ଦୁନିଆରେ ଏମିତିକା ଆଡ଼ପାଗଳା ଲୋକ ଅନେକ ଅଛନ୍ତି । ବାଇଆ ଅଜା ଏମିତି ସବୁଦିନେ ବଡ଼ବାବାଙ୍କ ଉପରେ ରାଗୁଥିଲେ–‘ସେ ବେଶୀ ପାଠ ପଢ଼ିଲା ନାଇଁ, ଭଲ କବିତା ଲେଖିଲା ନାଇଁ, ଦୀନ ଦଳିତ ସେବା କଲାନାଇଁ’ । ତାଙ୍କର ଏଇ କଥାରୁ ରାଗର ପରିଚୟ ମିଳୁଛି କି ଭଲ ପାଇବାର ଆଭାସ ମିଳୁଛି ତା’ପାଇଁ ଭିନ୍ନ ଲୋକ ଭିନ୍ନ ମତ ଦେବେ । ମୁଁ ସେହିପରି ସବୁବେଳେ ତୋ’ର ଦୋଷ ଦେଖେଇ, ଅବିଗୁଣର ନିନ୍ଦା କରି ଚାହୁଁଥିଲି ତୋତେ ଗଢ଼ିବାକୁ ଗୋଟିଏ ମଣିଷ ଭଳି ମଣିଷ କରି । ତୋତେ ମୁଁ କରିଥାଆନ୍ତି ଦଶଜଣରେ ଆଦର୍ଶ, ଦୁନିଆ ଆଖିରେ ଲୋଭନୀୟ ଆଉ ଚିରଦିନ ପାଇଁ ସରସ, ସୁନ୍ଦର, କାନ୍ତ, କୋମଳ । ତା’ହୋଇ ପାରିଲାନାଇଁ । ସ୍ଵପ୍ନ ମୋର ହୋଇ ପାରିଲାନି ବାସ୍ତବ । ବରଂ ଯୋଉ ଟିକକ ବାସ୍ତବ ଥିଲା, ଯୋଉ ଟିକକ ସତ୍ୟ ଥିଲା ତା ପୁଣି ହୋଇଗଲା ସ୍ଵପ୍ନ । ଦୁନିଆ ଲୋକେ, ବାବା, ମା’ଏମାନେ ବାହାରଟା ଦେଖୁଛନ୍ତି ସିନା ଅନ୍ତର ଭିତରେ ଦେଖୁଛି କିଏ ?

 

ତେବେ ଏତିକି ମୋର ଦୋଷ–ଆଜି ମୁକ୍ତକଣ୍ଠରେ ମାନୁଛି–ମୋର ପାଗଳାମି ଥିଲା ଟିକିଏ ଅତ୍ୟଧିକ । ସାରା ଜୀବନଟା ଦୁଖକଷ୍ଟରେ ପେଷି ହୋଇ ମୁଁ ଏମିତି ନିଷ୍ଠୁର ହୋଇଯାଇଛି ଯେ ମୁଁ ଚାହିଁଲି ସମସ୍ତଙ୍କୁ ମୋରି ପରି ଦୁଃଖକଷ୍ଟ ସହିବାକୁ । ବୁଝିପାରିଲି ନାଇଁ ମୁଁ ତୋ’ର ବୟସର ଚାପଲ୍ୟ, ମନର ପିଲାଳିଆ ଭାବ ଓ ତୋ’ର ପାରିପାର୍ଶ୍ୱିକ ଅବସ୍ଥା । ଭାତ ଖାଇ ଯିଏ ହାତ ଧୋଇ ଜାଣି ନଥିଲା ତା’ଉପରେ ଘରକରଣାର ଏତେବଡ଼ ବୋଝ ଲଦି ଦେଉଥିଲି । ରାଜଲଳନାର ଲାବଣ୍ୟଭରା ଯୌବନ ଉପରେ ମୁଁ ଥାପି ଦେଉଥିଲି ମୋ ଦିନତାର ତୁଙ୍ଗ ହିମାଳୟ । ଏଡ଼େ ମୂର୍ଖ ମୁଁ, ଏଡ଼େ ଅନ୍ଧ ମୁଁ, ଆଜି ବୁଝୁଛି ମୋର ଭ୍ରମ । ମାନିନି ! ମୋତେ କ୍ଷମା କରିବୁ । ତୋ’ର ଭଲ କରିବାକୁ ଯାଇଁ ମୁଁ ଯେଉଁ ଦୋଷ କରିଛି ତା’ର କ’ଣ ମାଫି ନାଇଁ ?

 

ଶେଷ ଦେଖା–

 

ସୁନ୍ଦରୀ ! ମରିବୁ ବୋଲି ଏଥର ବାଲେଶ୍ୱର ଯିବା ଆଗରୁ ଭଲକରି ଟିକିଏ ଦେଖା ହୋଇ ନ ଥିଲା କି ମନ ପୁରାଇ ଟିକିଏ କଥାବାର୍ତ୍ତା ବି ହୋଇ ନ ଥିଲା । ସେଇ ଚାରିମାସ ତଳେ ମୁଁ ଆଠ ଦିନ ଛୁଟି ନେଇଥିଲି ଗାଁ ସ୍କୁଲ ପାଇଁ କାମ କରିବାକୁ ଆଉ ଯିବା ଆଗ ଦିନ ଗାଁ ଢିଙ୍କି–କଳି ନିଷ୍ପତ୍ତି କରି ରାତି ଦୁଇଟାରେ ଘରକୁ ଫେରିଥିଲି । ସେତେବେଳକୁ ତୁ ଶୋଇ ଯାଇଥିଲୁ ଏଇ ମୋର ଶୟନ କକ୍ଷର ପଲଙ୍କ ବକ୍ଷରେ । ବଡ଼ ଶ୍ରାନ୍ତକ୍ଳାନ୍ତ ହୋଇ ଫେରିଥିଲି ସେଦିନ । ତୋ’ ତନ୍ଦ୍ରା ବିଜଡ଼ିତ ଗୋଲାପ ମୁଖମଣ୍ଡଳରେ ଦେଇଥିଲି ଗୋଟିଏ ଅଳସ ଚୁ–ମ୍ବ–ନ...ତୁ ଚମକି ପଡ଼ି କହିଥିଲୁ–‘ଛି,ଏଡ଼େ ଦୁଷ୍ଟ । ଏ ଚୋରିକାମ କେଉଁଠୁ ଶିଖିଲ ? ମୁଁ ଭାରି ଡରି ଯାଇଥିଲି । ଦେଖିଲ ମୋ ଛାତି କିପରି ଦପ୍‍ଦପ୍ ପଡ଼ୁଛି । ଏମିତି ଅଥୟ ହୁଅନ୍ତି ନା ?’...ହସିହସି ପ୍ରାଣଭରି କରିଥିଲି ଆଲିଙ୍ଗନ । ସେଇ ମୋର ଶେଷ ପ୍ରଣୟ–ଶେଷ ମଧୁମିଳନ । ଆଉ ଯେଉଁଦିନ ଚଉଦୁଆରେ ବାବା ମା’ ଏକ ଜିଦ୍ ଧରିଲେ ତୋତେ ବାଲେଶ୍ୱର ନେବାକୁ, ସେଦିନ (୨୨.୧୦.୦୭) ରାତି ସାରା ମୁଁ ଅଲଗା ଘରେ ଶୋଇଶୋଇ କାନ୍ଦିଛି । ତହିଁ ଆର ଦିନ ସକାଳୁ ବଡ଼ ରାଗରେ ଅଭିମାନରେ ମୁଁ ଚାଲି ଆସିଛି ଗାଁକୁ । ପଦେ ବି ତୋତେ କଥା କହିନାହିଁ । ଆଡ଼ ଆଖିରେ ତୋତେ ଚାହିଁ ନାଇଁ । ଛଳଛଳ ଆଖିରେ ତୋ’ର ଭାବୀ ବିରହ ସହି ନ ପାରି ଚାଲି ଆସିଛି ।

 

ଯାହାହେଉ, ସେଇଦିନ ଶେଷ ଦେଖା । ଆଉ ସେ ଶେଷ ଦେଖାଟା ଏମିତି ଅଦେଖାରେ–ଏମିତି ପ୍ରାଣହୀନ ନୀରସ ଭାବରେ । ତା’ପରେ ଦୀର୍ଘ ଦୁଇମାସ ଗଲା ତୋତେ ଆଉ ମୁଁ ଦେଖିନାଇଁ । ୧୬.୧୨.୦୭ ମଙ୍ଗଳବାର ସକାଳେ ବୁଢ଼ାବଳଙ୍ଗ ନଈକୂଳର ବାଲିଘାଟ ମଶାଣିରେ ଜଳନ୍ତା ଜୁଇରେ ଦେଖିଲି ତୋ ହାଡ଼ କେଇଖଣ୍ଡ !! ଏଇଠି ଜୀବନର ତିନି ବରଷର କେତେ ସୁଖଦୁଃଖ ମାନଅଭିମାନର ସରସ ସ୍ମୃତି ଉପରେ ପଡ଼ିଗଲା ଗୋଟାଏ ମୋଟା କଳା ପରଦା ।

 

ବିରହୀ ଯକ୍ଷ–

 

ସେବା ! ତୋ ସାଙ୍ଗରେ ମୋର ମିଳନ ମାତ୍ର ତିନୋଟି ବରଷ । ସେଥିରୁ ପ୍ରଥମ ଦୁଇବରଷ ତୋତେ ରଖିଥିଲି ପାଖେ ପାଖେ । ଦିନେ ତୁ ବାଲେଶ୍ୱର ଗଲେ ମତେ ଯୁଗ ଭଳି ଲାଗେ । ପହିଲି ବର୍ଷର ପହିଲି ଥରକ ପାଇଁ ତୁ ଯେତେବେଳେ ବାପଘରକୁ ଯାଉ ମୁଁ ସେ ଦିନଗୁଡ଼ିକର ପ୍ରତି ମୁହୂର୍ତ୍ତ ବି ଗଣି ଗଣି କଟାଇଛି । ପହିଲି ଥରର ପ୍ରଥମ ଦିନ କଥା ଏବେ ବି ମନେ ଅଛି । ଚଉଦୁଆରର ସେହି ବସାଘରେ ତୋର ଫୁଟିଲା ପଦ୍ମଫୁଲ ପରି ମୁଁହରେ ମୁଁହ ରଖି କେତେ ଅଶ୍ରୁଢ଼ାଳିଛି । ମୁଁ କାନ୍ଦିଛି, ତୋତେ କନ୍ଦାଇଛି । କେଡ଼େ କଷ୍ଟରେ, କେଡ଼େ ବିକଳ ପ୍ରାଣରେ, କେଡ଼େ ଛାତିଫଟା ଦୁଃଖ ଭିତରେ ସେଦିନ ତୋତେ ମୁଁ ବିଦାୟ ଦେଇଥିଲି ତା ଆଜି ବି ସ୍ପଷ୍ଟ ନାଚିଯାଉଛି ପୋଡ଼ା ଆଖି ଆଗରେ ମୋର । ସେତେବେଳେ ଯାହାକୁ ମାତ୍ର କୋଡ଼ିଏଟି ଦିନ ପାଇଁ ଛାଡ଼ିବାକୁ ମୁଁ ଏତେ କଷ୍ଟ ମଣୁଥିଲି–ବିରହ ବେଦନା ସହି ନ ପାରି ପିଲାଙ୍କ ପରି ଏତେ କଇଁ କଇଁ ହେଇ କାନ୍ଦୁଥିଲି ତା’କୁ ଆଜି ଚିରଦିନ ପାଇଁ ଛାଡ଼ି ମୁଁ ଯେ କେମିତି ବଞ୍ଚିବି ତା’ହିଁ ଭାବୁଛି ।

 

ଡାକ୍ତରଖାନାରେ ତୁ ଥିଲୁ ପ୍ରସୂତି ଅବସ୍ଥାରେ । ମୋତେ ହେଲା ଭୟଙ୍କର ଜର ଚଉଦୁଆରରେ । କେତେ କଲବଲ ହୋଇ ମୁଁ ତୋତେ ଖୋଜିଛି । ଦୁର୍ବଳତା ଦବାଇ ନ ପରି ମୋର ଛୋଟ ଭଉଣୀକି କେଡ଼େ ବିକଳ ହେଇ ପଚାରିଛି–‘ତୋ ନୂଆବୋହୂ କାହିଁ ?’ ଆଜି ସେକଥା ଭାବିଲେ ଛାତି ଥରି ଉଠୁଛି ।...ତା’ପରେ ଗାଁରେ ଗୋଟିଏ ବରଷ । କେବଳ ତୋତେ ଛାଡ଼ି ରହି ପାରିବି ନାହିଁ ବୋଲି ଏତେ କଷ୍ଟ କରି ସବୁଦିନେ କଟକ ଯିବା ଆସିବା କରେ । ଦିନେ ଅକସ୍ମାତ୍ କଟକରେ ରହିଗଲେ ତା’ତହିଁ ଆରଦିନ ଆସି ତୋ ହସ ହସ ମୁଁହ ନ ଦେଖିବା ଯାଏ ମୁଁ ଅନ୍ଧ ହୋଇଯାଏ ।

 

ମନେଅଛି–ବର୍ଷାଦିନ, ଖରାଦିନିଆ ରାସ୍ତା ଭାଙ୍ଗି ମହାନଦୀରେ ଆସିଲା ବନ୍ୟା । ଆଉ ଯିବା ଆସିବା ହୋଇପାରିବ ନାହିଁ ଦେଖି ମୁଁ ରହିବାକୁ ଗଲି ମାଳିହତାର ସେଇ ବନ୍ଧୁଙ୍କ ମେସରେ । ମାତ୍ର ସେଠାରେ ଦୁଇଦିନ ପୁରା ନ ରହି ପଳାଇ ଆସିଥିଲି ଘରକୁ । ତୁ ସେଦିନ ହସି ହସି ଗର୍ବ କରି କହିଥିଲୁ– ‘କି, ଗୋଲାପ ଫୁଲକୁ ଛାଡ଼ି ରହିପାରିଲ ନାହିଁ କି ? ଭ୍ରମରଗୁଡ଼ା ଏଡ଼େ ପ୍ରେମ ପାଗଳ ?.....‘ମୁଁ ଦିଗ୍‍ବିଦିଗ ଶୂନ୍ୟ ହୋଇ ଆଗ ଦେଇଥିଲି ଚୁମା । ତା’ପରେ ବରଷାର ଘନ ଅନ୍ଧକାର ଭିତରେ କରିଥିଲି ନିବିଡ଼ ଆ–ଲି–ଙ୍ଗ–ନ... ସେ ଆଜି ଖାଲି କଥାର କଥା । କାହାଣୀର ବିଷୟବସ୍ତୁ !!

 

କିନ୍ତୁ ଶେଷ ବରଷଟି ମୁଁ ନିଷ୍ଠୁର ହୋଇ ଦୂରକୁ ଚାଲିଗଲି । ଯିବାକୁ ବାଧ୍ୟ ହେଲି । ଖଡ଼ଗପୁରରେ ମୁଁ ତୋ ଅଭାବ କେତେ ଅନୁଭବ କରେ । ବିରହ ସହି ନ ପାରି କେତେ ଛଟପଟ ହୁଏ ଆଉ ଆକାଶର ଚାନ୍ଦକୁ ଚାହିଁ, ବଗିଚାର ଫୁଲକୁ ଚାହିଁ କେତେ ତୋ କଥା ମନେ ପକାଇ ଝୁରେ ତା’ କେବଳ ମୁଁ ଜାଣେ । ଶନିବାରକୁ ଶନିବାର କେବଳ ଦୁଇ ପ୍ରହର ରାତ୍ରିପାଇଁ ମୁଁ ପାଗଳ ହୋଇ ପଳାଇ ଆସେ ଏତେ ବାଟ ଏକା ତୋ’ରି ଆଶାରେ । ମନେ ପଡ଼ୁଛି କେତେଥର ରାତି ଅଧରେ ଆସି ତୋତେ ଉଠାଇଛି । ସେତେବେଳକୁ ତୁ ଖାଇ ନ ଥାଉ । ରାନ୍ଧିବାଢ଼ି ଚେଇଁ ଚେଇଁ ଶୋଇଥାଉ ଆଉ ପଲକହୀନ ଚକ୍ଷୁରେ ଚାହିଁ ରହିଥାଉ ମୋର ଆସିବା ପଥକୁ । ଟିକିଏ କୋଉଠି ଖଡ଼୍‍କିନା ହେଲେ ତୁ ଭାବୁ ମୁଁ ଆସି ଦୁଆରେ ଧକ୍‍କା ମାରୁଛି । ଚାହିଁ ଚାହିଁ ବଡ଼ ଅଧୀରା ହୋଇ ଉଠୁ । ଅଳସ ଆଖିରେ ତୋର ଆସିଯାଏ ଟିକିଏ ତନ୍ଦ୍ରା । ସ୍ୱପ୍ନ ଦେଖୁ–ରାତି ବାରଟାବେଳେ ଗାଡ଼ିରୁ ଓହ୍ଲାଇ ଜଣେ କେହି ଦୂର ବିଦେଶୀ ବିରହୀ ଯୁବକ ପ୍ରିୟା ପାଇଁ ପାଗଳ ହେଇ ଏକା ଏକା ଅନ୍ଧାର ରାତିରେ ଡର ଭୟ ନ ମାନି ପ୍ରିୟା କୋଳକୁ ତା’ର ଧାଇଁ ଆସୁଛି, ଆଉ ତୋ’ର ମାନସ କୁଞ୍ଜର ରୁଦ୍ଧ ଦୁଆରେ ଧକ୍‍କା ମାରି ଡାକୁଛି–‘ସେବା ! ସେବା !’ ...ଚମକିପଡ଼ି କାନ ପାରି ଶୁଣୁ ମୋରି ଅଥୟ କଣ୍ଠସ୍ୱର । ପାଗଳିନୀ ହୋଇଯାଉ । ଆନନ୍ଦରେ ଆତ୍ମହରା ହୋଇଉଠୁ । ଉଆଁସ ନିଶିର ଅଭିସାରିକା ତୁ । ଫୁଲଶରର ଉତ୍ପୀଡ଼ନ ସହି ନ ପାରି ଆଖିବୁଜି ଢଳିପଡ଼ୁ ମୋରି କୋଳରେ । ସେଇଠି ବହେ ପ୍ରେମର ଫଲ୍‍ଗୁ–ସଙ୍ଗୀତର ନିର୍ଝର–କବିତାର ମୃଦୁ ହିଲ୍ଲୋଳ । ମନେଅଛି–ମନେ ରହିଥିବ ସେ ମଧୁର ଜୀବନର ସରସ ସ୍ମୃତିଗୁଡ଼ିକ ଚିରଦିନ ପାଇଁ ।

 

ରାଜରାଣୀ ତୁ, ମୁଁ ଦୀନ କାଙ୍ଗାଳ । କି ଉପହାର ବା ତୋ ପାଇଁ ଆଣିଥାଏ ? ସାମାନ୍ୟ ଗୋଟାଏ ବାସନାତେଲ, ସାବୁନ, ମୁଣ୍ଡବନ୍ଧା ଫିତା ବା କାଚଗ୍ଳାସ । ଏତେ ନଗଣ୍ୟ ଉପହାର ବି ତୁ ହସିହସି ସାଇତି ରଖୁ । ତୋତେ ଶେଷରେ ମୁଁ ଭଲ ବୁଝିଲି । ମୋ ଦରିଦ୍ରତା ତୁ ତ କେବେ ଦାଣ୍ଡରେ ପକାଉ ନ ଥିଲୁ ବରଂ ଘୋଡ଼ାଇ ରଖୁଥିଲୁ ସବୁବେଳେ । ମୁଁ ଯଦି ଜାଣିଥାନ୍ତି ତୁ ଏତେ ଶୀଘ୍ର ମରିଯିବୁ ତେବେ ତୋତେ ଏଇ ଶେଷ ବରଷଟି କେବେ ହେଲେ ପାଖରୁ ଅନ୍ତର କରି ନ ଥାନ୍ତି । ଯେତେ ଦୂର ବିଦେଶକୁ ଗଲେ ବି କାନି ପଣତରେ ବାନ୍ଧି ବୁଲିଥାନ୍ତି ତୋତେ । ଯୋଗୀ ହୋଇ ଭିକ ମାଗିଥାନ୍ତି ପଛେ ତୋ କୋଳରୁ କେବେ ଦୁରକୁ ଚାଲିଯାଇ ନ ଥାନ୍ତି । ନିଷ୍ଠୁର ଭଗବାନ–ମୋର ସୁଖର ସଂସାର ଭାଙ୍ଗି ଦେଲେ । ଆଜି ମୁଁ ତାଙ୍କ ଦରବାରରେ ଅତି ବିନୀତ ହୋଇ କବିଙ୍କ ଭାଷାରେ ପଚାରୁଛି–

 

‘‘କି ସୁଖରୁ ମହାପ୍ରଭୋ ! ଦେଲ ଘଉଡ଼ାଇ

ଏଡ଼େ ଦଣ୍ଡ ଦେଲ ମୋତେ କେଉଁ ପାପ ପାଇଁ ?

କାହା ସୁଖ କେବେ ମୁହିଁ ଭାଙ୍ଗିଥିଲି ପ୍ରଭୁ !

ସହିବାକୁ ହେଲା ମୋତେ ଏ ଯାତନା ସବୁ ?’’

 

ଶ୍ରାବଣ ସଂଜ–

 

ଦିନେ ଗୋଟିକର ମଧୁର ଅନୁଭୂତି ପରେ ଯେତେବେଳେ ମୁଁ ପୁଣି ବିଦେଶ ଯିବାକୁ ବାହାରେ ସେତେବେଳେ ଆଖି ତୋର ହୋଇ ଉଠେ ଛଳଛଳ । କେତେ କାକୁତି ମିନତି ହୋଇ ବିକଳ କଣ୍ଠରେ ଅନୁନୟ କରୁ–‘ଆଜି ରାତିଟା ରହିଯାଅ । କାଲି ଯିବ’ । ପାଷାଣ ମୁଁ । ଯୌବନର ମାଦକତା ବୁଝେ ନା । ନୀରସ କର୍ତ୍ତବ୍ୟର ଗୁରୁତ୍ୱ ଆଣି ବାଢ଼ି ବସେ ତୋ’ ଆଗରେ । ତୋ ସୁନ୍ଦର ଆଖିରୁ ମୁକ୍ତା ଖସି ମୋ ବୁକୁ ଭିଜାଏ । ଗାଲ ଦୋ’ଟି ତୋର ଛାଇ ହୋଇଯାଏ ଅଶ୍ରୁଧାରରେ । ପାଷାଣ ବୁକୁ ଉପରେ ମୋର ଲୋଟିପଡ଼ି ତୁ କେତେ ଦୀର୍ଘ ନିଃଶ୍ୱାସ ପକାଉ । ନିଷ୍ଠୁର ମୁଁ । ତୋ ଢଳ ଢଳ ଆଖିକି ନ ଚାହିଁ ଫେରିଯାଏ ସେ ଦୂର ବିଦେଶକୁ ତୋତେ ଏକୁଟିଆ ଛାଡ଼ି ଦେଇ !!

 

ସ୍ପଷ୍ଟ ମନେ ପଡ଼ୁଛି–ସେଦିନ ହେଉଥାଏ ଅଝରଝର ବରଷା । ଦିନରେ ବି ରାତି ଭଳି ଅନ୍ଧକାର ଘନେଇଁ ଆସୁଥାଏ । ବିଜୁଳି, ଘଡ଼ଘଡ଼ି, ବର୍ଷା, ପବନ–ଚାଲିଥାଏ ଅବିରାମ–ଅବିଶ୍ରାନ୍ତ । ସେତେବେଳକୁ ଜହ୍ନିଫୁଲ ମେଞ୍ଚାଏ ତୋଫା ହୋଇ ଫୁଟି ଉଠିଥାଏ ଆମ ବାଡ଼ି ରଞ୍ଜାରେ । କଳା କଳା ଧୂଆଁଗୁଡ଼ାକ ଗୁଡ଼େଇ ଗୁଡ଼େଇ ହୋଇ ଧୀରେ ଧୀରେ ଉଠୁଥାଏ ଆମ ଓଦା ପିଢ଼ା ଉପରୁ । ତୁ ଗୋଡ଼ ଉପରୁ ଲୁଗା କାଢ଼ି ସଞ୍ଜ ବଳୁଥାଉ ଆଉ ଅଭିମାନ କରି କହୁଥାଉ–‘ମୋ ରାଣ ତମକୁ । ଆଜି ଏମିତିକା ପାଗଟାରେ ଯାଅନା, ନିଜେ ତ ବର୍ଷାରେ ତିନ୍ତିଯିବ ଆଉ ଜଣକୁ ଆଖି ଲୁହରେ ତିନ୍ତାଇ ମାରିବ ।’ ....ତୋ ମିନତି ନ ରଖି ମୁଁ ଘରୁ ଗୋଡ଼ କାଢ଼ିଥିଲି । ବାହାରର ବର୍ଷା ଭଳି ଆଖିରୁ ତୋର ଝରିଥିଲା ସେଦିନ ଧାରାଶ୍ରାବଣ । ତଥାପି ଏତେ ଦୁଃଖରେ ବି ତୁ ସଞ୍ଜ ଦେଇ ଚଉରା ପାଖରେ ମନାସିଥିଲୁ ମୋର ଶୁଭ ।

 

ମିଛ ମରଣ–

 

ତାହାର ମାତ୍ର ଦୁଇଟି ଦିନ ପରେ ଶୁଣିଲୁ ଗୋଟାଏ ଉଡ଼ା ଖବର ଯହିଁରେ ହଲକ ତୋ’ର ଶୁଖିଗଲା–ରକ୍ତ ପାଣି ହୋଇଗଲା–ପ୍ରାଣବାୟୁ ଉଡ଼ିଗଲା ଭଳି ଲାଗିଲା । ସତେ ଯଦି ମୁଁ ସେଦିନ ମରିଥାନ୍ତି ତେବେ ଆଜି ତୋ’ ଲାଗି ଲୁହ ଝରାଉଥାନ୍ତା କିଏ ? ମୋ ମରିବାଟା ହେଲା ମିଛ, କିନ୍ତୁ ତୋ’ ମରିବା ହେଲା ନିରାଟ ନିଦାରୁଣ ସତ । ମୁଁ ଯେତେବେଳେ ଟେଲିଗ୍ରାମ ପାଇ ଫେରିଆସେ ସେତେବେଳେ ତୋ’ର ପିଣ୍ଡରେ ପ୍ରାଣ ପଶିଲା । ମଳିନ ମୁଖରେ ହସ ଫୁଟିଲା । ଥଟା କରି ସେଦିନ କହିଥିଲି–‘କି,ଏତେ ଦୁଃଖ କାହିଁକି ? ମୁଁ ମରିଥିଲେ ତୋ ଯୋଗ୍ୟପୁଅ ପ୍ରଭାତ ତୋତେ ପୋଷି ନ ଥାନ୍ତା କି ? ତା’ର ଉତ୍ତରରେ ତୁ କହିଥିଲୁ–‘ପେଟ ମୋର ଉପାସ ରହି ନ ଥାନ୍ତା ଯେ କିନ୍ତୁ ମନଟା ?...ମନଭୋକ ମୋର ଆଉ ତମ ଛଡ଼ା ଦୁନିଆରେ କିଏ ମେଣ୍ଟାଇ ପାରିବ ?’...ଲାଜରା ହୋଇ ଦେଇଥିଲି ଗୋଟିଏ ଛୋଟ ଚୁ–ମା... ।

 

ଆଜି କିନ୍ତୁ ସବୁ ଓଲଟପାଲଟ ହୋଇଗଲା । ରାବଣ ଯେତେବେଳେ ମାୟା ରାମର କଟାମୁଣ୍ଡ ନେଇ ସୀତାଙ୍କୁ ଦେଖେଇଥିଲା ସେତେବେଳେ ସୀତା ଅଧୀରା ହୋଇ ପଡ଼ିଥିଲେ । ରାମ ପରେ ସିତାଙ୍କର ଏ ଅଧିରତା ଶୁଣି ତାଙ୍କ ଭଲ ପାଇବାର ପରାକାଷ୍ଠା କଲେ ମନେ ମନେ ଭାରି ଗର୍ବ ଅନୁଭବ କରିଥିଲେ । କିନ୍ତୁ ସେଇ ରାମ ଏପରି ସତୀ ପତିପ୍ରାଣା ସୀତାଙ୍କୁ ଛାତି ପଥର କରି ଦିନେ ଗହନ ବନକୁ ତଡ଼ି ଦେଇଥିଲେ । ଆଜି ଆମର ଠିକ୍ ସେଇକଥା । ତୁ ମୋ ମିଛ ମଲା ଖବର ଶୁଣି ଏତେ ଅସ୍ଥିର ହେଉଥିଲୁ । ମୁଁ କିନ୍ତୁ ଆଜି ପାଷାଣ ପରି ତୋ ସତ ମଲା ଖବର ଶୁଣି ବଞ୍ଚି ରହିଛି !!

 

ପାପର ଫଳ–

 

ସେବା ! ଦିନେ ଥିଲୁ ତୁ ତରୁଣର ସ୍ଵପ୍ନ, ଭାବୁକର ଚିନ୍ତାଧାରା, କବିର କଳ୍ପନା । ମଝିରେ ଦିନ କେଇଟା ପାଇଁ ହୋଇ ଉଠିଲୁ କବିତା ଭଳି ରସମୟ; ସବିତା ଭଳି ଉଜ୍ଵଳ; ବନଲତା ଭଳି ବାସ୍ତବ, ଜୀବନ୍ତ, ସତ୍ୟ, ସୁନ୍ଦର । ପୁଣି ଆଜି ଯେଉଁ ସ୍ଵପ୍ନକୁ ସେଇ ସ୍ଵପ୍ନ । ଆଉ ଜାଗରଣର ଅବକାଶ ନାହିଁ । ଅମାନିଶିର ଅନ୍ଧକାର କୋଳରେ ଜ୍ୟୋସ୍ନାର ସ୍ତିମିତ ରେଖା ଫୁଟି ଉଠିବା ବିଡ଼ମ୍ବନା । ରୂପ ଯାଇଛି । ଅରୂପ ପାଇଁ ଆଜି ମୁଁ ମ୍ରିୟମାଣ–ବାଚାଳ–ଅନ୍ଧ । ଜାଣେ ନା ଏ ଅଦିନ ମେଘର ଅକାଳ ବଜ୍ର ମୁଁ ସହିପାରିବି କି ନା । ବଡ଼ ବତାସ ହେଲେ ବରଗଛ ସହିବ ସିନା କଦଳୀ ଗଛ ସହିବ କି ? ଦୁଃଖିନି ! ମୁଁ ଜାଣେ ତୁ ଶାନ୍ତିରେ ମରି ପାରି ନାହୁଁ । ମୋତେ ଖୋଜି ଖୋଜି ଅତି ବିକଳ ହୋଇ ହା ହା କରି ପ୍ରାଣ ତୋ’ର ଛାଡ଼ିଯାଇଛି । କ’ଣ କରିବି ? ନାଚାର ମୁଁ, କେତେଥର ତୋତେ କହିଛି–

 

“କପୋତିର କରୁଣ ସଙ୍ଗୀତ କଣ୍ଠେ ଯଥା ମରି ମରି ଯାଏ,

ମୁଁ ଗୋ ତଥା ତବ ବକ୍ଷପରେ ମଥା ରଖି ମରିବାକୁ ଚାହେଁ ।’’

 

ମୁଁ ଆଗ ମଲେ ତୋ’କୋଳରେ ମଥା ରଖି ମରିବି କିମ୍ବା ତୁ ଆଗ ମଲେ ମୋ କୋଳରେ ମଥା ରଖି ମରିବୁ–ଏଇ ଥିଲା ଆମର କଥା । କିନ୍ତୁ ହେଇପାରିଲା ନାଇଁ । ବିଧାତାର କ୍ରୁର ଅଭିଶାପ । ଚକୋର ଚକୋରୀ ଭଳି ଆମେ ଦି’ଜଣ ଶେଷବେଳେ ଅଲଗା ହୋଇଗଲେ । ତୁ ହତଭାଗିନୀ କି ମୁଁ ହିନିକପାଳିଆ କିଛି ବୁଝିପାରୁ ନାହିଁ । ଆମ ମିଳନବେଳେ କେତେ ବନ୍ଧୁ ଶୁଭ ଇଚ୍ଛା ଜଣାଇଥିଲେ; କେତେ ଗୁରୁଜନ ଆଶୀର୍ବାଦ ଓ ପାଦଧୂଳି ଦେଇଥିଲେ; କେତେ ଶୁଭକାମୀ ଭାଇ ଭଉଣୀ ବିଶ୍ଵପିତାଙ୍କୁ ପ୍ରାର୍ଥନା କରିଥିଲେ ଆମର ଦୀର୍ଘଜୀବନ, ସୁଖଶାନ୍ତି ଓ ମନୋବାସନା ପୂର୍ଣ୍ଣ କରିବା ପାଇଁ; ପୁଣି କେତେ ଦେବା ଦେବୀଙ୍କ ଚରଣତଳୁ ଫୁଲ ତୁଳସୀ ଆଣି ବାବା ମା’ ଖୁଆଇ ଦେଇଥିଲେ ଆମ ମିଳନକୁ ବଜ୍ରଦୃଢ଼ କରିବାକୁ । ଏତେ ଶୁଭଇଚ୍ଛା, ଆଶୀର୍ବାଦ, ଅକ୍ଷୟ କବଚର କ’ଣ ଶେଷରେ ଏଇ ପରିଣତି ହେଲା ? କାହିଁ, ଆମ ମିଳନ ପାଇଁ ତ ଆମେ କାହାକୁ କନ୍ଦାଇ ନ ଥିଲେ କି କାହା ଆଖିର ଲୁହରେ, ଛାତିର ରକ୍ତରେ ତ ଆମେ ବାଣ ରୋଷଣୀ ଖଞ୍ଜାଇ ନ ଥିଲେ କିମ୍ବା କାହାର ସୁନାଘର ଚୂନା କରି ତା’ ଧନ ଦଉଲତରେ ତ ଆମେ ଭୋଜିଭାତ କରି ନ ଥିଲେ । ତେବେ ଏ ଦଶା ହେଲା କାହିଁକି ? କାହିଁକି ଆମେ ଏମିତି ଡହଳବିକଳ ହେଇ ଅଧବାଟରେ ଛଡ଼ାଛଡ଼ି ହୋଇଗଲେ ?

 

କବି କହେ ଜଣେ ନ କାନ୍ଦିଲେ ଆଉ ଜଣେ ହସେନା । ପ୍ରକୃତରେ ଆମ ହସିବା ପାଇଁ କ’ଣ ଆଉ କିଏ କାନ୍ଦିଛି ? ମୋର ତ କାହିଁକି ସେପରି ମନେ ହୁଏ ନା । ମୋ ଜୀବନରେ ମୁଁ ଜାଣି ଜାଣି ତ କେବେ କାହାର ଅନିଷ୍ଟ କରିନାଇଁ । ତେବେ କାହିଁକି ଆମକୁ ଏ ଦଣ୍ଡ ହେଲା ? ମନେ ପଡ଼ୁଛି ବିବାହ ଆଗରୁ ଅଶୁଭର ଗ୍ରହ ଭଳି କୁଆଡ଼ୁ ଆସିଥିଲା ଖଣ୍ଡେ ବେନାମୀ ଚିଠି । କିଏ ଜଣେ ହିତାକାଙ୍‍କ୍ଷୀ......ନା ନା ହିତାକାଙ୍‍କ୍ଷୀ ନୁହନ୍ତି ଜଣେ ସ୍ୱାର୍ଥସେବୀ ନିଜ ସଂକୀର୍ଣ୍ଣ ସ୍ଵାର୍ଥସିଦ୍ଧି ଲାଳସାରେ କେତେ କ'ଣ ଏଣୁତେଣୁ ତୋ ବଦ୍‍ଗୁଣ ଗାଇ ପକାଇଥିଲେ ଆଉ ସାବଧାନ କରି ଦେଇଥିଲେ ମୋତେ ତୋତେ ନ ଆଣିବାକୁ । ତାଙ୍କର ସେ ସାବଧାନକୁ ମୁଁ ହସି ହସି ଉଡ଼ାଇ ଦେଇଥିଲି ସେଦିନ । ସତେ କ’ଣ ସେ ଅଭିଶାପ ଦେଲେ ? ଆଉ ଦେଲେ ବା ତା’ ଆମ ଉପରେ ପଡ଼ନ୍ତା କାହିଁକି ? ଆମେ ତ ତାଙ୍କର ଅମଙ୍ଗଳ କରି ନାହୁଁ କି ଅଶୁଭ ପାଞ୍ଚି ନାହୁଁ ।

 

କେବଳ ଗୋଟିଏ କଥା–ଆମର ଜାତକ ଦେଖା ହୋଇ ନଥିଲା । ଜ୍ୟୋତିଷ ଶାସ୍ତ୍ର ଯେ ଏକାବେଳକେ ମିଛ ତା ନୁହେଁ । ଆଜି ମୁଁ ଏଟା ବୁଝୁଛି । ସେତେବେଳେ କିନ୍ତୁ କୁସଂସ୍କାର ବୋଲି ଭାବୁଥିଲି । ତେବେ ‘ସର୍ବମଙ୍ଗଳ ଜଗନ୍ନାଥ’ ବୋଲି ମୁଁ ସେତେବେଳେ ଜାତକ ଦେଖା ବନ୍ଦ କରାଇଥିଲି । ଏଇଟା କ’ଣ ମୋର ଭୁଲ୍‍ ? ଜଗନ୍ନାଥ କ'ଣ ସର୍ବଶୁଭମୟ ନୁହନ୍ତି ? ତେବେ ଏ ଅଶୁଭ ଘଟିଲା କାହିଁକି ? ନା, ଶେଷରେ ଭାବୁଛି ଏ ସବୁ ମୋ’ରି ହନ୍ତସନ୍ତ ଜୀବନର ଭାଗ୍ୟଦୋଷ । ପିଲାଦିନୁ ବାପା ମା’ ହରାଇ ଖାଲି ଦୁଃଖ ଉପରେ ଦୁଃଖ ସହି ସହି ଟିକିଏ ମୁଣ୍ଡ ଟେକି ଉଶ୍ଵାସର ନିଶ୍ୱାସ ମାରିବା ବେଳକୁ ପୁଣି ଏ ବଜ୍ରାଘାତ । ଭଗବାନଙ୍କର ପରୀକ୍ଷା । ଏଡ଼େ ନିଠୁର ମନ ତାଙ୍କର । ଅସହାୟା ବୁଢ଼ୀଟିର ସର୍ବସ୍ଵ ଚାଈଟିକୁ ଶେଷରେ ଯେ ମାରିଦିଅନ୍ତି, ତାଙ୍କର ଏ ପରୀକ୍ଷା ନୁହେଁ ତ ଆଉ କ’ଣ ?

 

ତଥାପି ମନ ବୁଝୁନାଇଁ । ଅନ୍ଧ ଭଳି ଭାଗ୍ୟକୁ ନିନ୍ଦିବା ମୂର୍ଖତା । ଭାଗ୍ୟ ବା କର୍ମ ବିଧିନିର୍ଦ୍ଦିଷ୍ଟ ନୁହେଁ । ମଣିଷ ଯାହା କରେ ସେଇ ତାର କର୍ମ । ଏବେ ମୁଁ ମୋ ଦୋଷ, ଦୁର୍ବଳତା ବା ଅପକର୍ମ କେଉଁଠି ତା’ ବେଶ ବୁଝିପାରୁଛି । ବାଉନ ବରଷର ବୃଦ୍ଧ ବାପା–ଯେ କି ଏତେ ଦୁଃଖକଷ୍ଟ ସହି, ଦିନରାତି ଖରାବର୍ଷା ଭୋକଉପାସ ଭୁଲି, ନିଜ ପେଟରୁ କାଟି, ପିଠି ନଙ୍ଗଳା କରି ମୋତେ ଏଡ଼ୁଟିରୁ ଏଡ଼ୁଟିଏ କରିଥିଲେ ତାଙ୍କର ଶେଷ ଅବସ୍ଥାରେ ମରଣ ଶେଯେରେ ମୁଁ ତାଙ୍କୁ ଛାଡ଼ି ଚାଲିଗଲି । ନିଶ୍ଚୟ ଏ କୃତଘ୍ନ ସନ୍ତାନକୁ ସେ ମଲାବେଳେ ତତଲା ଲୁହ ଗଡ଼େଇ ଅଭିଶାପ ଦେଇ ଯାଇଥିବେ–ବୋଧହୁଏ ତାହାର ପରିଣାମ ଆଜି ମୋତେ ଭୋଗିବାକୁ ପଡ଼ିଲା । ମୁଁ ଦୋଷର ସମୁଚିତ ଶାସ୍ତି ପାଇଲି । କିନ୍ତୁ ଦୁଃଖିନି ତୁ–ବିନା ଦୋଷରେ ଏମିତି ଡହଳବିକଳ ହୋଇ ହା ହା କରି ମରିଗଲୁ ଯାହା ।

 

ପହିଲି ଦେଖା–

 

ସେବା ! ଆମ ବିବାହ ଏଇ ସେହି ଦିନର କଥା । ସବୁ ଘଟଣା ମୂଳରୁ ଶେଷ ଯାଏ ଟିକିନିକି ହୋଇ ମୋ ଆଖି ଆଗରେ ନାଚି ଯାଉଛି । ଶରତର ଭରା ଶେଫାଳି ସହିତ ସେଦିନ ପାଇଥିଲି ତୋ ପାଖରୁ ପହିଲି ଥର ପାଇଁ ନିମନ୍ତ୍ରଣ । କେତେ ଗୁରୁଜନ ଓ ବନ୍ଧୁ କଟକ ଆସିଥିଲେ ମୋତେ ଅଭିନନ୍ଦନ କରି ନେବାକୁ । ସେଦିନ କିନ୍ତୁ ମୁଁ ସେତେ ସୁଖରେ ନ ଥିଲି । ମୋର ଅତି ଘନିଷ୍ଠ ହିତାକାଙ୍‍କ୍ଷୀ ବନ୍ଧୁ ଓ ପ୍ରତିବେଶୀ ପରୋପକାରୀ ଭୋଳି ଭାଇଙ୍କ ମୃତ୍ୟୁରେ ମୁଁ ଏକାବେଳକେ ଭାଙ୍ଗି ପଡ଼ିଥିଲି । ତାଙ୍କ ଗୋରା ତକତକ ସୁନା ଦେହଟାକୁ କାଳିଆବୋଦାର ରକ୍ତଚିତା ଉପରେ ଶୁଆଇ ଦେଇ ନୀରସ ପ୍ରାଣରେ ଲୁହବୋଳା ନୟନରେ ମୁଁ ଯାଇଥିଲି ସେଦିନ ଚଉଦୁଆର । ସେଇଦିନ ପ୍ରଥମ ଦେଖା । ଲାଜରେ ଥରି ଥରି ତୁ ଆସିଥିଲୁ ମୋ କୋଠରୀକୁ ଗିଲାସେ ପାଣି ନେଇ । ଅନ୍ତରରେ ସୁନେଲି ଆଶା, ମନରେ ଅସରନ୍ତି ଭାବନା, ମୁଁହରେ ଲାଜ ସଙ୍କୋଚ, ଆଖିରେ ଚୋରା ଚାହାଣି ନେଇ ତୁ ଯେତେବେଳେ ଥରି ଥରି ମୋ’ରି ପାଦତଳେ ବସିଥିଲୁ ଆଉ ଛନ ଜନ ଆଖିରେ ଥରୁଟିଏ ମୋତେ ଚାହିଁ ଦେଇ ମୁରୁକି ହସି ମଥା ପୋତିଥିଲୁ ସେତେବେଳେ ମନଟା ମୋର ବେତାଳିଆ ହୋଇ ଉଠିଥିଲା । ଆନମନା ହୋଇ ମୁଁ ଚାହିଁ ରହିଥିଲି ତୋ ଭରା ଯୌବନଘେରା କମନୀୟ କୋମଳ ଅଧରଟିକୁ । ଗଣବଣା ଏଣୀ ଭଳି ଲୋଳଲୋଚନ ଖେଳେଇ ଅଞ୍ଚଳରେ ଆନନ ଢାଙ୍କି ଚଞ୍ଚଳ ତୁ ବାହାରି ଯାଇଥିଲୁ ସେ ଘରୁ । ସେଦିନ ମୁଁ ତୋଳିଥିଲି କେତେ ଆକାଶ କୁସୁମ, ଗଢ଼ିଥିଲି କେତେ ଆଶା-ସଉଧ ଆଉ ଦେଖିଥିଲି କେତେ ସୁନେଲି ସ୍ୱପ୍ନ । କିନ୍ତୁ ଆଜି ? ଆଜି ସେ ସ୍ମୃତି ବୁହାଇଦିଏ ଏ ଜଳନ୍ତା ବୁକୁର ଶୁଖିଲା କଙ୍କାଳରେ କାଳ-ବୈଶାଖୀର ଝଡ଼ ।

 

ପହିଲି ଚିଠି–

 

ତା’ପରେ ମୁଁ କଟକ ଫେରି ଅଧିରତା ସମ୍ଭାଳି ନ ପରି ଲେଖିଥିଲି ପ୍ରଥମଥର ପାଇଁ ଖଣ୍ଡେ ଚିଠି । ଦୁନିଆଁ ହୁଏ ତ ଏଇଟାକୁ ଅନଧିକାର ଚର୍ଚା ବୋଲି କହିବ, କିନ୍ତୁ ମୋ ପାଖରେ ସେତେବେଳେ ସେଇଟା ଥିଲା ଏକ ଅନ୍ତରର ଆକାଂଙ୍‍କ୍ଷୀତ ଆହ୍ୱାନ, ନ ଲେଖି ରହିପାରିଲି ନାହିଁ । ବାହାରକୁ ଦେଖିବାକୁ ଚିଠିଟା ଗୋଟାଏ ନୀରସ ବେଉସାଦାରୀ କାରବାର ଭଳି–ତୋ’ ନାଁ, ଗାଁ, ବୟସ, ବିଦ୍ୟା ଏମିତି ଏଣୁତେଣୁ ପଚାରିଥିଲି ସେଥିରେ । କିନ୍ତୁ ସେହି ନିରସତା ଭିତରେ ବି ଲୁଚିଥିଲା କେତେ ଅକୁହା ବ୍ୟଥା । ଲେଖା ପ୍ରଶ୍ନ ଥିଲା ସେଥିରେ ଯେତିକିଟି ତାଠୁଁ ଅଲେଖା ପ୍ରଶ୍ନ ଥିଲା ବହୁତ ବେଶୀ । ଯେମିତି ମୁଁ ଚାହୁଁଥିଲି କଥା କେଇପଦରେ ତୋ’ ଭିତର ବାହାର, ଭଲମନ୍ଦ, ସ୍ନେହ ପ୍ରୀତି–ସବୁ ଏକାବେଳକେ ଜାଣିବାକୁ । ମୋ ମନର ଅଧୀରତା ଜାଣି ତୁ ବି ଠିକ୍‍ ସମୟରେ ଦେଇଥିଲୁ ତା’ର ଉତ୍ତର । ଟିକି ଟିକି ଅକ୍ଷର, ପିଲାଳିଆ କଥା ଆଉ ଭୁଲମିଶା ଗାଉଁଲି ଭାଷାରେ ଲେଖିଥିଲୁ ସେଇ ପହିଲି ଚିଠିଟି । ଅଣନିଃଶ୍ୱାସୀ ହୋଇ ଚିଠିଟି ପଢ଼ି ପକାଇଥିଲି ଆଉ ହୋଇ ଉଠିଲି ଆନନ୍ଦରେ ଆତ୍ମହରା । ପାଖରେ ଥିଲା ପଦ୍ମପୁରର ଜଣେ ସାନଭାଇ । ବିଚରା ଚିଠିଟି ଉପରେ ହୋଇଥିଲା କେତେ ହାସ ପରିହାସ ଆଉ ତା’କୁ କେନ୍ଦ୍ରକରି ତୋ’ ଉପରେ ଚାଲିଥିଲା କେତେ ଆଲୋଚନା ସମାଲୋଚନା । ମୁଁ କିନ୍ତୁ ପ୍ରେମର ତୁଙ୍ଗ ଅଟ୍ଟାଳି ଗଢ଼ିଗଢ଼ି ଚାଲିଥାଏ ।...ସେ ଗୋଟାଏ ଦିନ, ଆଉ ଆଜି ଏ ଗୋଟାଏ ଦିନ !!

 

ପହିଲି ଶାଢ଼ୀ–

 

ଏମିତି ସୁଖସ୍ଵପ୍ନ ଦେଖୁ ଦେଖୁ ଆସି ପହଞ୍ଚିଲା ନିର୍ବନ୍ଧ । ମହାନ୍ତିକୁ ନେଇ ମୁଁ ଗଲି ତୋ’ ପାଇଁ ଖଣ୍ଡିଏ ପହିଲି ଶାଢ଼ୀ କିଣିବାକୁ । ସନ୍ଧ୍ୟା ହୋଇ ଆସୁଥାଏ । ଚଷାପଡ଼ା ଘାଟରେ ଛୋଟ ନାଆ ଖଣ୍ଡିକରେ ଆମେ ଦୁଇଜଣ ବନ୍ଧୁ ବସି ବସି କେତେ ଖୁସି ଗପ କରୁଥାଉଁ । ଧବଳେଶ୍ଵର ମନ୍ଦିର ପଛପଟେ ପ୍ରତୀଚୀର ଉଦାର କପୋଳକୁ ରକ୍ତରଞ୍ଜିତ କରି ଅଂଶୁମାଳୀ ଢଳି ପଡ଼ିଲେ । ମହାନଦୀ ପୋଲ ଉପର ଦେଇ ରେଳଗାଡ଼ି ଧାଇଁଗଲା ବାଲେଶ୍ୱର ଆଡ଼େ । ମନଟା ମୋର ଟିକିଏ ଚହଲିଗଲା । କଥା ଛଳରେ ବନ୍ଧୁଙ୍କୁ କହି ପକାଇଲି–‘ଗାଡ଼ିଟା ବାଲେଶ୍ୱରରେ ପହଞ୍ଚିବା ବେଳକୁ ହୁଏତ ଅନେକ ରାତି ହୋଇଯିବ । କିନ୍ତୁ କୁଆଡ଼େ ଖାଇପିଇ ଆରାମରେ ବିଶ୍ରାମ ନେଇଥିବେ । ଆମେ କିନ୍ତୁ ସେତେବେଳକୁ ଶୀତରେ ଥରି ଥରି ଅଖିଆ ଅପିଆ ଫେରିବା । କହ ତ ଯାହାପାଇଁ ଏ ଶାଢ଼ୀ, ସେ ସୁଖରେ ରହିବ । ଆମେ କାହିଁକି ପରପାଇଁ କଷ୍ଟ ସହିବା’ ?...ବନ୍ଧୁ ମୋର ବୁଝିଥିଲେ ମୋ ମନର ଗହନକଥା ଆଉ ହସି ହସି କହିଥିଲେ–‘ହଉ, ଆସିଲେ ଦେଖିବା ଯେ କିଏ ପର କିଏ ଅପର’ ?......ସେଦିନ ଗାଡ଼ି ଚାଲିଗଲା, ସୂର୍ଯ୍ୟ ବୁଡ଼ିଗଲା । କିନ୍ତୁ ପୁଣି ସୂର୍ଯ୍ୟ ଉଠିଲା, ଗାଡି ଫେରିଲା, କିନ୍ତୁ ଶାଢ଼ୀ କିଣା ହେଲା ଯାହାପାଇଁ ସେ ମାତ୍ର ଦି’ ଦିନ ପିନ୍ଧି ଚାଲିଗଲା । ଆଉ ଫେରିଲା ନାହିଁ । ଏଡ଼େ ଶରଧାରେ ବନ୍ଧୁ ମୋର ବାଛି ବାଛି ଶାଢ଼ୀଟା କିଣି ଦେଇଥିଲେ, ସେଇଟା ଆଜି ପଡ଼ିରହିଲା ନୀରସ ବାକ୍‍ସ ଭିତରେ ଖାଲି !!

 

ଆହୁତି–

 

ସେହିଦିନ–ସେହି ରାତିରେ ଦେଖିଥିଲି ଓଡ଼ିଶା ଥିଏଟର୍ସରେ ‘ଆହୁତି’ । ‘ଶାନ୍ତି’ ର ସମାଧିତଳେ ମଥା ନୋଇଁ ବୁକୁଫଟା ବ୍ୟଥାର ଗଭୀର ଦୀର୍ଘଶ୍ଵାସ ଭିତରେ ଯେତେବେଳେ ଅଶୋକ ଅତି କରୁଣ କଣ୍ଠରେ ଥରି ଥରି କହିଲା–‘ସାଗର ପାରେ ସପନ ପୁରେ ରାଜକୁମାରୀ ଘର’.....ସେତେବେଳେ–ସେତେବେଳେ ସ୍ତବ୍‍ଧ ଜନତାର ବକ୍ଷ ଭେଦ କରି ଅଜାଣତରେ ଉଠିଥିଲା ଗୋଟାଏ ମର୍ମସ୍ପର୍ଶୀ ହାହାକାର । ଅଭିନୟ ଆରମ୍ଭ । ତା’ ପର ସିନ୍–ରସିକ ଅଶୋକ ଶାନ୍ତିର କଅଁଳ ଗାଲରେ ନରମ ଚୁମାଟିଏ ଦେଇ ମନମତାଣିଆ ଗୀତଟିଏ ଗାଇଛି–

 

‘ସାଗର ପାରେ ସପନପୁରେ ରାଜକୁମାରୀ ଘର

ଲୁହାଖାଇ ଘେରା ତା’ର ପଥର ଦୁଆର ।

ସୁନ୍ଦର ତା’ର ତାରା ଶଶୀ ଚଞ୍ଚଳ ତା’ ଛାଇ

ମଳୟ ତା’ରି ଅଞ୍ଚଳ ତଳେ ଲୁଚିମାରେ ହାଇ ।’

 

ଆଉ ଶାନ୍ତି ଅଶୋକ ଛାତିରେ ମଥା ରଖି କୁଞ୍ଚିତ କୁନ୍ତଳର କମନୀୟ ଗଭାରେ କୁରୁବକଟିଏ ଖୋସୁ ଖୋସୁ ଖଳଖଳ ହୋଇ ହସି ଉଠିଛି–ଏଇ ହେଲା ଆରମ୍ଭ । ଆଉ ମଝିରେ ସଂସାରର ନାନା ବାଧା ବନ୍ଧନ, ଘାତ, ପ୍ରତିଘାତ, ଅନୁକୂଳ, ପ୍ରତିକୂଳ ବାତାବରଣ ଭିତରେ ଏତେ ବଡ଼ ସୁଖ ଆନନ୍ଦର ବିରାଟ ସ୍ଵପ୍ନ ଭାଙ୍ଗିରୁଜି ଚୁର୍‍ମାର୍ ହୋଇ ଯାଇଛି । ଶାନ୍ତି ପାଇଁ ଅଶୋକ ହୋଇଛି ପାଗଳ । ଗାଳି ସହିଛି, ମାଡ଼ ଖାଇଛି, ଛତରା ମାଗିଖିଆ ଭାବି ଦୁନିଆ ତା’କୁ ଦୁର୍‍ଦୁର୍ କରିଛି, ଛି’ ଛି’ କହି ଛୁଆଏ ତା’ଉପରକୁ ଛେପ ପକେଇଛନ୍ତି । ତଥାପି–ତଥାପି ଅଶୋକ ଅଟଳ–ଅଚଳ–ମହାମେରୁ । ଶାନ୍ତି ପାଇଁ ସେ ପାଗଳ, କାଙ୍ଗାଳ । କିନ୍ତୁ–କିନ୍ତୁ ଶାନ୍ତି ଆସିଲା ନାଇଁ । ପାଷାଣୀ ସେ । ନିଠୁର ପଥରରେ ଗଢ଼ା ତା’ ମନ । ଅଶୋକକୁ ଦାଣ୍ଡ ମଝିଟାରେ ଛିଡ଼ା କରାଇ ଦେଇ ଦୂରକୁ ଦୂରକୁ ଘୁଞ୍ଚିଗଲା । ଯେତେ ଆକୁଳ ବିକଳ ହୋଇ ଲହୁଲୁହ ଢାଳି ଅଶୋକ ଡାକିଲା–ଯେତେ ଢୁ’ ଢୁ’ ମଥା ପିଟିଲା, ସେ ଫେରିଲା ନାଇଁ–ଆସିଲା ନାଇଁ । ଅଶୋକ ମଥାରୁ ଝରଝର ହୋଇ ରକ୍ତ ଝରିଲା, କିନ୍ତୁ ପାଷାଣୀ ଆଖିରୁ ବୁନ୍ଦିଏ ଲୁହ ଖସିଲା ନାଇଁ । ଶେଷରେ–ଶେଷରେ ଅଶୋକ ଆଖିରେ ତତଲା ଲୁହା ମୁଣ୍ଡାଏ ମାଡ଼ି ଦେଇ ଢୁ’ କିନା ମୁଣ୍ଡ ବାଡ଼େଇ ଦେଲା ଶା–ନ୍ତି ।...ଶେଷ–ସବୁ ଶେଷ । ଝରିଗଲା–ମରିଗଲା–ସରିଗଲା ।

 

ଠିକ୍–ଠିକ୍ ଏଇ ଶାନ୍ତି ଅଶୋକ ଭଳି ଆଜି ଆମ ଆମ ଜୀବନର ନାଟିକାଟି ଶେଷ ହେଲା ଗୋଟାଏ ଚରମ ଟ୍ରାଜେଡ଼ିରେ । ଅଶୋକ ଭଳି ମୁଁ ହେଲି ଦୁନିଆଁ ଦୁଆରେ ବାରବୁଲା ଫକୀର ଆଉ ଶାନ୍ତି ଭଳି ହସିହସି ରାଣୀ ହୋଇ ତୁ ଚାଲିଗଲୁ ସରଗର ପାରିଜାତ ଭରା ନନ୍ଦନ କାନନକୁ । ଅଶୋକ କହିଥିଲା–‘ସାଗରପାରେ ସପନପୁରେ ରାଜକୁମାରୀ ଘର’ । ବାସ୍ତବିକ ଆଜି ତୁ ସପନପୁରୀର ଅପସରୀ–ରାଜଲଳନା । ବଳଙ୍ଗ ନଈକୂଳରେ ବସି ମୁଁ ବି ଗାଇ ହେବି ସେଇ ମର୍ମସ୍ପର୍ଶୀ ବୁକୁ ଥରା କଥା କେଇପଦ । ଏଇ ମୋ ଭାଗ୍ୟ ...

 

ବିବାହ–

 

ଦିନ ପରେ ଦିନ ଗଡ଼ି ଚାଲିଲା । ବିବାହ ଦିନ ଯେତିକି ଯେତିକି ପାଖେଇ ଆସିଲା, ଉତ୍ତଳା ମନଟା ମୋର ସେତିକି ସେତିକି ହୋଇ ଉଠିଲା ଚଞ୍ଚଳ, ତରଳ, ଢଳଢଳ । କେତେ ଶିବ ପୂଜିପୂଜି, ଦିନ ଗଣି ଗଣି, ରାତି ଜାଗିଜାଗି ଶେଷରେ ଆସି ପହଞ୍ଚିଲି ସେଇ ଇପ୍‍ସିତ ଦିନରେ (୬.୨.୧୯୪୫) । ବିବାହର ଶୁଭଦିନରେ ଗଗନ ପବନ ଉଛୁଳାଇ ଶୁଭଶଙ୍ଖ ବାଜି ଉଠିଲା । ଆଉ ତା’ ର ପ୍ରତିଧ୍ୱନି ଉଠିଥିଲା କୁଆଡ଼େ ଏହି ବୁଢ଼ାବଳଙ୍ଗ ନଈକୂଳରୁ ଯୋଉଠି ଆଜି ତୁ ଚିରଦିନ ପାଇଁ ଶୋଇ ରହିଲୁ ।

 

ବିବାହକୁ କେତେ ବନ୍ଧୁ କେତେ ଉପହାର ଦେଇଥିଲେ । ଠିକ୍ ଶୁଭବେଦୀ ଉପରେ ଆମ ଦି’ ଜଣଙ୍କୁ ବସାଇ ବ୍ରାହ୍ମଣ ମନ୍ତ୍ର ପଢ଼ିବା ବେଳେ ବାଲେଶ୍ଵର ନିବାସୀ ମୋର ଅଗ୍ରପୂଜ୍ୟ ଗୁରୁଦେବଙ୍କର ଶତ ଆଶୀର୍ବାଦବୋଳା ଚିଠିଟିଏ ଆସି ପହଞ୍ଚିଲା । ତାଙ୍କ ଛଡ଼ା କାଦୁଅ ଚକଟି ହାଣ୍ଡି ଗଢ଼ିଥିଲେ ଯୋଉ କୁମ୍ଭାର, ସେଇ ନୀରବ ସାଧକ, ତ୍ୟାଗୀ ଓ ସ୍ନେହୀ ଗୁରୁଜନ–ବହୁଗ୍ରାମ ଓ ସାଲେପୁରର ଶିକ୍ଷକଗଣ କେତେ ଶୁଭ ଆଶୀର୍ବାଦ ଅଜାଡ଼ି ଦେଇ ଲେଖାମାନ ପଠାଇଥିଲେ । ଶତ ସହସ୍ର ଝଡ଼ଝଞ୍ଜା ଭିତରେ ହାଡ଼ ଦି’ ଖଣ୍ଡ ଯାହାର ଅଟଳ ରହିଛି, ସାଲେପୁରର ସେଇ ଗେରୁଆ ବାଆଜୀ ହସହସ ହେଇ ଦେଇଥିଲେ ଚରଣଧୂଳି । କେତେ ବନ୍ଧୁ, କବି, ଲେଖକ, ଚିତ୍ରକର, ଅଭିନେତା ଶୁଭେଚ୍ଛାମାନ ଜଣାଇ ପତ୍ର ଲେଖିଥିଲେ । ‘ସମୁଦି’ ଦେଇଥିଲେ ଗୋଟିଏ ସୁନ୍ଦର ଚିତ୍ରଲେଖା ଭିତରେ ଦି’ ପଦ କବିତା । ପଦ୍ମପୁରର ସେଇ ସାନଭାଇଟି ଗଭୀର ସ୍ନେହର ସ୍ମୃତି ସ୍ଵରୂପ ତା’ ନୂଆ ବୋହୂକୁ ଦେଇଥିଲା ଗୋଟିଏ ରୂପାର ସିନ୍ଦୁର ଡିବା । ମାଳିହତାର ଆଉ ଜଣେ ସାନଭାଇ ଅନ୍ତରର କେତେ ଆଦର ମିଶାଇ ଅତି ଶରଧାରେ ଭାଉଜ ବୋହୂଙ୍କୁ ହାତରେ ଦେଇଥିଲେ ‘ପ୍ରେମର ନିୟତି ’ । ବୋଧପୁରର ଜଣେ ବନ୍ଧୁଙ୍କ ସ୍ତ୍ରୀ ଶାନ୍ତି ଦେବୀ କେତେ ପରିହାସ ଉପହାସ ଭିତରେ ଜଣାଇଥିଲେ ଶୁଭ କାମନା ।

 

ଏତେ ଆଶୀର୍ବାଦ, ମଙ୍ଗଳ କାମନା ଭିତରେ ହେଲା ଆମର ବିବାହ । ତଳେ ବିଶ୍ଵ ଉପରେ ଆକାଶ, ତଳେ ଅଗ୍ନି ଉପରେ ଚନ୍ଦ୍ର, ତଳେ ବ୍ରାହ୍ମଣ ଉପରେ ଦେବତା–ଏକାଧାରରେ ସମସ୍ତେ ଥିଲେ ଆମର ଶୁଭକାମୀ । ସେମାନେ କ’ଣ କେହି ଜାଣି ନ ଥିଲେ ଆମର ମିଳନଟା ଭବିଷ୍ୟତରେ ଏଡ଼େ ଅଶୁଭ ହେବ ବୋଲି । ତେବେ ସେତେବେଳେ–ସେହି ବେଦୀ ଉପରେ ଆମକୁ ଅଲଗା କରି ନ ଦେଲେ କାହିଁକି ? ଆଉ ଆଜି ଏତେ ସ୍ନେହ ସରାଗ ବୋଳି ଦେଇ ଏତେ ମାୟା ମୋହ ଲଗାଇ ଦେଇ ପୁଣି ଚିର ବିରହ ଆଣି ଦେଉଛନ୍ତି କାହିଁକି ? କୋଉଥିପାଇଁ ? କୋଉ ଅପରାଧରେ ?

 

ଆରମ୍ଭ ହେଲା ମନ୍ତ୍ରପାଠ । ତୁ କୁନି ବୋହୂଟି ଭଳି ଛୋଟ ପାଞ୍ଚି ଖଣ୍ଡିଏ ପିନ୍ଧି ନଇଁ ନଇଁ ଆସି ବସିଲୁ ମୋ ପାଖରେ । ଶଙ୍ଖ ହୁଳହୁଳିରେ ଆକାଶ କମ୍ପିଲା, ଶୁଭହୋମର ଲାଲଶିଖା ଯେତେବେଳେ ହୁହୁ ହୋଇ ଜଳି ଉଠିଲା, ପୁରୋହିତ ସେହି ଅଗ୍ନିକୁ ସାକ୍ଷୀ ରଖି ପକାଇଲେ ଆମର ହାତଗଣ୍ଠି । ଆଉ ସେହି ଅଗ୍ନି–ଯେ ଆମ ମିଳନର ପ୍ରଥମ ସାକ୍ଷୀ ଆଉ ଯେ ବ୍ରାହ୍ମଣକୁ ନିମିତ୍ତ ମାତ୍ର କରି ତୋତେ ସମର୍ପି ଦେଇଥିଲେ ମୋ କୋଳରେ; ସେ ଆଜି ଏଡ଼େ ନିର୍ଦ୍ଦୟ ଭାବରେ ଛଡ଼ାଇ ନେଲେ ତୋତେ ମୋଠୁଁ ଆଉ ତାଙ୍କର କରାଳ ଲେଲିହାନ ଜିହ୍ୱା ବିସ୍ତାର କରି ତୋ କୋମଳ ତରଳ ତନୁଟିକୁ କରିଦେଲେ ମୁଠାଏ ପାଉଁଶ ।...

 

ବିବାହ ସରିଗଲା । ବର ବିଦାୟ । ଆନନ୍ଦରେ ମନ ମୋର ନାଚୁଥାଏ । ତୁ କିନ୍ତୁ କାନ୍ଦୁଥିଲୁ । ବାବା, ମା’ ଓ ଆଉ ଆଉ ଆପଣାର ଲୋକଙ୍କଠାରୁ ଦୂରକୁ ଚାଲି ଆସୁଥିବାରୁ ତୋ ଆଖିରୁ ବହୁଥିଲା ଲୁହ । ଅବଶ୍ୟ ମନ ଭିତରେ ତୋ’ର ଗୋଟାଏ ଅଜଣା ସୁଖର ଆଶା ଖେଳି ଯାଉଥାଏ । ଆସିଲେ ଆମେ ଏକାଠି ବସି ଗୋଟିଏ ଘୋଡ଼ା ଗାଡ଼ିରେ । ମନେଅଛି ସେହି ଚଳନ୍ତା ଗାଡ଼ିରେ ଅନ୍ଧାର କୋଳରେ ପହିଲିଥର ପାଇଁ ଚିପି ଦେଇଥିଲି ତୋ ହାତ । ତୁ ଚମକି ପଡ଼ି ଘୁଞ୍ଚି ଯାଇଥିଲୁ ଟିକିଏ ଦୂରକୁ । ମୁଁ ପୁଣି ପାଖକୁ ଘୁଞ୍ଚିଆସି ଟାଣି ଆଣିଥିଲି ବକ୍ଷ ଉପରକୁ ଆଉ ଦେଇଥିଲି ପ୍ରଥମ କରି ଗୋଟିଏ ସାନ ଚୁ–ମା...

 

ଥରଥର ହୋଇ ଲାଜକୁଳୀ ଲତା

ଢଳି ପଡ଼ିଥିଲୁ କୋଳେ,

ଛନଛନ ମୁହଁ ଲୁଚାଇ ଥିଲୁ ମୋ

ବସନର ଆଢ଼ୁଆଳେ ।

ସିନ୍ଦୂର ସଙ୍ଗତେ ଚନ୍ଦନ ବିନ୍ଦୁର

ମନୋରମ ପରିପାଟୀ

କୁନ୍ଦହାସୀ ସିନା ବିଲିବିଲା କଲୁ

ଘନଘନ କୋଳେ ଲୋଟି ।

ନୀଳମେଘୀ ଶାଢ଼ୀ ବିକ୍‍କଣ କବରୀ

ସବୁ ହେଲା ଲୋଚା କୋଚା

ଗୋରା ତକ ତକ ପାତଳ ତନୁଟି

ଘଡ଼ିକେ ପଡ଼ିଲା ଫିକା ।

ଚଲା ବାଦଲର ଚପଳା ସତେ କି

ସରଗର ଅପସରୀ

ଧରିବାକୁ ଯେତେ ଧାଉଁଥିଲି ମୁହିଁ

ଯାଉଥିଲୁ ଅପସରି ।

ଲାଜ ଖାଲି ଲାଜ ଦୁନିଆର ଲାଜ

ଘେରି ଯାଉଥିଲା ସତେ

ଚାନ୍ଦର ମୁହଁଟି ଚୋରି କଳ୍ପ ବୋଲି

ଲୁଚାଉ ଥିଲୁ ବା ଏତେ ।

ଅଥବା ତୁ କାହୁଁ କରିଅଛୁ ଚୋରି

କଅଁଳ ଗୋଲାପ ଆଭା

ଢଳଢଳ ତନୁ ଥରଥର ହୁଏ

ଧରା ପଡ଼ିଲୁ କି ଅବା ।

କେଜାଣେ ଆଣିଛୁ କମଳର ସେଇ

ଧୋବ ଫରଫର ମୁହଁ

ଚୋର ମନ ଚୋରି ଦରବରେ ପରା

ଥରିଥରି ଉଠେ ଦେହ ।

କଳାମେଘ କେଳୁ ଲୁଚାଇ ଆଣିଛୁ

ଚିକୁରର କଳାବେଣୀ

ମଘବା ଦେଖିଲେ କୋପ ହେବ ସିନା

ଚମକେ ମନ ହରିଣୀ ।

ବନ ଝରଣାଟି ଝରିଯାଏ ଅବା

ଛନଛନେ କନକନେ

ମରିଯାଏ ଲାଜେ ଭାସି ଆସେ ଯେବେ

ତଟିନୀର ଡାକ କାନେ ।

ଉଜଳ ଆଖିର କଜଳ ଭୁରୁଟି

ଥରଥର ବାର ବାର

ଫୁଟିଲା ବଧୁଲୀ ନଧର ଅଧରେ

ବସି କି ଗଲା ଭ୍ରମର ।

ଚମକିଲା ବାଳା ହୋଇଗଲା ବାଉଳା

ବସନଭୂଷଣ ଖସେ

ଛଟପଟ ହୁଏ ଛଟକିନୀ ଗୋରୀ

ଦୂରେ ହଟିଯିବା ଆଶେ ।

ମାତର ଏ ଆଶା ବୃଥା ଅଟେ ସିନା

ଯେତେ ନୂଆଁଇଲେ ମୁଖ,

ଫୁଲରେ କି କେବେ ଛାଡ଼ଇ ଭଅଁର

ନ ଦେଇ ଗୋଟିଏ ବୋକ ?

ଗୋଟିଏ ଗୋଟିଏ ଗୋଟିଏ କେବଳ

କୋଟିଏ ସେନେହ ବୋଳା

ଅମାନିଆ ଓଠ ନଇଁ ଆସିଲା ମୋ

ଥରି ଉଠିଲୁ ଛଇଳା ।।

ଉତ୍ତଳା ହୋଇ ମୁଁ ଧରିଥିଲି ପୁଣି

ଦୁଇଟି କଅଁଳ ବାହୁ

ସରମେ ଝାଉଁଳି ଥରଥର କଣ୍ଠେ

କହିଥିଲୁ ‘ଛି’ ଇ ଥାଉ’ ।।।

 

...ଏ କ’ଣ ଭୁଲିହୁଏ ? ଭୁଲିହୁଏ ଏ ଜୀଅଁନ୍ତା ସ୍ମୃତି ? ଭୁଲିହୁଏ ସେଇ ପହିଲି ରାତିର ପହିଲି ପରଶ ? ପହିଲି ଚୁମା ? ? ପହିଲି ଆଲିଙ୍ଗନ ? ? ?

 

ଯେତେବେଳେ ଷ୍ଟେସନରେ ଆସି ଗାଡ଼ି ପହୁଞ୍ଚେ ରାତି ପାହି ଆସିଥିଲା ସେତେବେଳକୁ । ଉଷାର କ୍ଷୀଣ ଅଳ୍ପଅରେ ମୁଁ ତୋତେ ଚାହିଁ ଦେଖିଲି ତୋ’ ମୁହଁ ଲାଲ ପଡ଼ିଛି । ତୁ ବଡ଼ ଲାଜଲାଜ ହୋଇ ମୋତେ ଅନାଇ ପାରୁନୁ ।......ଗାଡ଼ିରେ ଆସି ପହଞ୍ଚିଲେ ଜଗତପୁର ଷ୍ଟେସନ, ଯୋଉଠି ପ୍ରଥମେ ଆମକୁ ଅଭିନନ୍ଦନ କରିଥିଲେ ମୋର ଜଣେ ସାଲେପୁର ସ୍କୁଲ ସାଥୀ–ସ୍ନେହୀ, ଦରଦୀ ଡାକ୍ତର । ଫୁଲମାଳ ଦୁଇଟି ପିନ୍ଧାଇ ଦେଇଥିଲେ ଶରଧାରେ । ମଟରରେ ଆସି ଯେତେବେଳେ ଘରେ ପହୁଞ୍ଚିଲେ, ଗାଁଟା ସାରା ଆନନ୍ଦର ହଟ୍ଟଗୋଳରେ ମାତି ଉଠିଲା । ଯୋଡ଼ିନାଗରା, ଶଙ୍ଖ, ହୁଳହୁଳିରେ ଘର ବାହାର କମ୍ପୁଥାଏ । ନାନୀର ଗୋଡ଼ ଆନନ୍ଦରେ ତଳେ ଲାଗୁ ନ ଥାଏ । ଗାଁର କେତେ ସଧବା ଝିଅବୋହୂ ଆସି ଦୂବ ବରକୋଳି ପତ୍ରରେ ଆମକୁ ବନ୍ଦାପନା କରି ନେଇଗଲେ । ଘରେ ପୁଣି ହେଲା ମନ୍ତ୍ରପାଠ, ହୋମ । ସତେ ଯେପରି ଆଶୀର୍ବାଦଗୁଡ଼ା ଶ୍ରାବଣର ଧାରାଭଳି ବର୍ଷିଗଲା ଆମ ଉପରେ ଆଉ ଯାହାର ଶୁଭ ପରିଣତିରେ ଆଜି ହେଲା ଆମର ଚିର ବିଚ୍ଛେଦ ।

 

ପହିଲି ମିଳନ–

ସେଦିନ ହୋଇଥାଏ ବିବାହର ତୃତୀୟ ଦିନ । ଚିରାଚରିତ ପ୍ରଥା ଅନୁଯାୟୀ ସମସ୍ତଙ୍କର ମିଳନ ହୁଏ ଚତୁର୍ଥୀ ଦିନ । କିନ୍ତୁ ଆମର ମିଳନ ହୋଇଥିଲା ଏହି ତୃତୀୟା ରାତ୍ରିରେ । ବାହାଘରର ଧୁମ୍‍ଧାମ୍‍ରେ ସମସ୍ତେ ହୋଇଥିଲେ କ୍ଳାନ୍ତ । ଭୋଜିଖିଆ ସରୁ ସରୁ ରାତି ପ୍ରାୟ ହୋଇଥିଲା ଦୁଇଟା । କିଏ କୁଆଡ଼େ ଶୋଇପଡ଼ିଲେ । ଅତି ସନ୍ତର୍ପଣରେ ଲୁଚି ଲୁଚି ଚୋରଙ୍କ ଭଳି ଯାଇଥିଲି ମୁଁ ତୋ ଶୋଇବା ଘରକୁ । ଆଖିରେ ତୋ’ର ଆସିଥିଲା ତନ୍ଦ୍ରା, ମୁଖରେ ଥିଲା ଲାବଣ୍ୟ, ନିଃଶ୍ଵାସରେ ଥିଲା ଉଷ୍ମତା । ଦେହଟା ମୋର ଗରମ ଗରମ ଲାଗୁଥାଏ । ମନ ହେଉଥାଏ ଭାରୀ ଉଚ୍ଛନ୍ନ । ଆଉ ସମ୍ଭାଳି ପାରିଲି ନାହିଁ । ଭୋକିଲା ଓଠ ଦୁଇଟା ମୋର ନଇଁ ପଡ଼ିଥିଲା ତୋ ସୁଗୋଲ ଗାଲ ଉପରେ......ତୁ ପହିଲି ପରଶରେ ଚମକି ନ ପଡ଼ି ଭିଡ଼ି ଧରିଥିଲୁ ତୋର ସେହି ବଳିଷ୍ଠ ବାହୁ ଦୁଇଟିରେ ।...ତୋ’ରି ବକ୍ଷ ଉପରେ ହାତରଖି ସାରା ରାତି ସେଦିନ କଟିଥିଲା । ସୃଷ୍ଟିଛଡ଼ା କେତେ ଗପ ଗପିଥିଲେ, କେତେ ଅଘଟନଘଟନ କରିଥିଲେ । ସେ ସବୁ ଆଜି ଇତିହାସର ପୃଷ୍ଠାରେ ରହିଲାଣି । ଆଖି ଫେରାଇ ଚାହିଁଲେ ପାଣିପରି ସବୁ ଦିଶୁଛି ସିନା କିନ୍ତୁ ସେ ସବୁ ପାଲଟି ଗଲାଣି ମରୀଚିକା । ଶୋଷ କଲେ କଲବଲ ହେଇ ମରିବା ସାର ହେବ–ପାନିମୁନ୍ଦିଏ କେଉଁଠୁ ମିଳିବାର ଆଶା ଆଉ ନାହିଁ ।

 

ପହିଲି ବସନ୍ତ–

 

ମଧୁଶଯ୍ୟାର ମଉଳା ସ୍ମୃତି ନେଇ ମୁଁ ଫେରିଗଲି କର୍ମକ୍ଷେତ୍ରକୁ । ତୁ ଘରେ ରହିଥିଲୁ ଏକା । ଦିନେ ଛାଡ଼ି ଦିନେ ଚିଠି ଦିଏ । ଅନ୍ତରର ଆକୁଳତା ସହି ନ ପାରି ବେଳେ ବେଳେ କର୍ମକ୍ଷେତ୍ରରୁ ଲୁଚି ଲୁଚି ପଳାଇଆସେ ତୋ’ରି ଆରାମ ଦାୟିନୀ କୋଳକୁ । ଏହି ସମୟରେ କେତେକ କାଗଜପତ୍ରର ସମୀକ୍ଷା ପାଇଁ ହଠାତ୍ ମୁଁ ଚାରିବାଟିଆରୁ ଆସିଲି କଟକ ଅଫିସକୁ ଆଠଦିନ ପାଇଁ । ସେତେବେଳେ ହୋଇଥାଏ ନବ ବସନ୍ତର ପହଲି ପ୍ରଚାର । ଚୋରାମଳୟ ସାଥିରେ ତାଳ ରଖି ମନଟା ମୋର ହୋଇ ଉଠୁଥାଏ ଉନ୍‍ମନା । ଏହି ଆଠଟି ଦିନ ମୁଁ ଅଫିସ କାମସାରି ସଞ୍ଜବେଳକୁ ପଳାଇ ଆସିଛି ଘରକୁ । ସେହି ଦିନଗୁଡ଼ିକର ସେ ସ୍ମୃତି ଏଡ଼େ ମଧୁମୟ ଯେ ଜୀବନରେ କେବେ ଭୁଲି ହେବନି ।

 

ଧୀରେ ଧୀରେ ବହି ଆସୁଥାଏ ଦକ୍ଷିଣରୁ ମୃଦୁମଳୟ ବାଆ । ଧୋବ ଫରଫର ଜହ୍ନ ଆଲୁଅରେ ନଈଟାସାରା ହସି ଉଠୁଥାଏ । କୁଳୁକୁଳୁ ନାଦ କରି ଅତି ମନ୍ଦ ଗତିରେ ବହି ଯାଉଥାଏ ମହାନଦୀର ଅଳସ ସ୍ରୋତଟି । ଦୂର ପଲ୍ଲୀଗାଁର ଦେବମନ୍ଦିରରୁ ବାଜି ଉଠୁଥାଏ ଆଳତିର ଶୁଭ ଶଙ୍ଖ । କେଉଁ ଏକ ବିରହୀ ତରୁଣ ତା’ ପ୍ରିୟାର ପଥ ଚାହିଁ ଚାହିଁ ବାଲିଶେଯରେ ବସି ବଜାଉଥାଏ ଏ ବେସୁରା ବଂଶୀ । ଅଫିସରୁ ଫେରି ଗୋଟାଏ ବିରାଟ ପ୍ରେମିକଙ୍କ ଭଳି ମୁଁ ଗୁଣୁ ଗୁଣୁ ଗାଉଥାଏ–‘ବନ୍ଧୁ ମୁଖ ଦିଶେରେ ଚାନ୍ଦ ମୁଖ ହସେ...’ ଆଉ ଧୀରେ ଧୀରେ ନଈକି ଗଡ଼େ । ଘାଟ ସେତେବେଳକୁ ବନ୍ଦ ହୋଇ ଯାଇଥାଏ । ନାଉରୀକି ବକ୍‍ସିସ୍ ଦେଇ ମୁଁ ସେହି ସରୁ ନଈଧାରଟି ପାରି ହୁଏ । ପୁଣି ସାଇକେଲ୍‍ରେ ଉଠି ବଡ଼ପାଟିରେ ଗାଇ ଚାଲେ–‘ଫଟା ମେଘ କୋଳେ ବସି ନାଲି ରବି ଉଠେ ହସି–ବନ୍ଧୁ ଅଳପ ବୟସୀ ଲାଜେ ମଥା ପୋତେରେ...ବନ୍ଧୁ ମୁଖ ଦିଶେ...ଏଇ ନଈ ବାଙ୍କେବାଙ୍କେ–ଛଣଫୁଲ ଫାଙ୍କେ ଫାଙ୍କେ.....’ । ସାଇକେଲଟା କେତେବେଳେ ମୋ ଅଜାଣତରେ ଆସି ଗାଁ ମୁଣ୍ଡରେ ପହଞ୍ଚିଯାଏ । ମତୁଆଲା ହୋଇ ମୁଁ ଫେରେ ଘରକୁ । ଘରେ ଆନନ୍ଦ, ବାହାରେ ଆନନ୍ଦ; ଘରେ ଷୋଡ଼ଷୀ ରୂପସୀ, ବାହାରେ ଚୋରାମଳୟ ସାଥିରେ କଅଁଳ ଚାନ୍ଦ; ଘରେ ପ୍ରେମର ମନ୍ଦାକିନୀ, ବାହାରେ ଜ୍ୟୋତ୍ସ୍ନାର ତରଳଧାର; ଘରେ ମାନନୀୟ ବିରହିଣୀ, ବାହାରେ ଶୁଭ୍ର ସ୍ଵଚ୍ଛ ରଜନୀଗନ୍ଧା–ଏତେ ଆନନ୍ଦ ବୋଧହୁଏ ଭଗବାନ ସହିପାରିଲେ ନାହିଁ । ତେଣୁ ଆଜି ଆସିଛି ପୁନେଇଁ ପରେ ଉଆଁସ–ଜୁଆର ପରେ ଭଟ୍ଟା–ବତାସ ପରେ ନିସ୍ତବ୍‍ଧତା । ଏତେ ଆନନ୍ଦ କୋଳାହଳ ପରେ ଆଜି କୁଟୀର ମୋର ନୀରବ, ନୀଥର, ସୁପ୍ତ.....

 

ନୀରବ ନାଥର ସନ୍ଧ୍ୟା ଗୋ ଆଜି ବାତ୍ୟା ଯାଇଛି ଫେରି,

ସାଗର ସଲିଳେ ସୁନୀଳ ତରଙ୍ଗେ ଭାସଇ ଜୀବନ ତରୀ;

ମଳୟ ଆସିଛି, ଚାନ୍ଦ ମାତିଛି, ରଜନୀଗନ୍ଧା ହସେ–

ସୁନ୍ଦରୀ ! ତବ ଚନ୍ଦ୍ରବଦନ ଘନଘନ ଆଜି ଦିଶେ

ମଉନେ କାନ୍ଦେ ବସି,

ଛାୟା ଉପରେ ଗୋ ମାୟା ରଚିଅଛି କାୟା ଯାଇଅଛି ଲୁଚି ।

ଘେନ ମୋର ନତି ପ୍ରଣତି ଗୋ ତମେ ଦୀର୍ଘ ଅସମାପିକା ।

ଜୀବନେ ଯା’ ସଙ୍ଗେ ହେବ ନାଇଁ ଆଉ ଥରକ ପାଇଁକି ଦେଖା,

କଳ୍ପନା ତମେ କଳ୍ପନାରେ ଗୋ ଲୁଚିଗଲ ଆଜି କାହିଁ ?

ଏତେ ଉଚ୍ଚ ଆଶା ବାସନା କି ଖାଲି ବିକଶେ ଦି’ ଦିନ ପାଇଁ ?

ଅକାଳେ ପଡ଼ିଲି ଝରି

ଶରତ ସକାଳେ ସବିତା ପରଶେ ଶେଫାଳି ପୁଷ୍ପ ସରି ।

 

ମନେ ଅଛି ନା ତୋ’ର ସେଦିନ ଏମିତି ଗୋଟିଏ ନରମ ସଂଜ । ମନ ଫୁଲାଣିଆ ଗୀତ ଗାଇଗାଇ ଅଫିସରୁ ଫେରିଲି । ଦେଖିଲି ତୋଠାରେ ଗୋଟାଏ ଅସ୍ଵାଭାବିକ ଆନନ୍ଦର ଜୁଆର । ଖଣ୍ଡିଏ ଅତି ସୁନ୍ଦରୀ ଶାଢ଼ୀ ପିନ୍ଧି ବାସନାତେଲରେ ମୁଣ୍ଡ ବାନ୍ଧି ମଥାରେ ଖୋସି ଥାଉ କେତେଗୁଡ଼ିଏ ଦରଫୁଟିଲା ମଲ୍ଲୀକଢ଼ । ନାଲ ଟହ ଟହ ମୁହଁରେ ତୋ’ର ହସଆନନ୍ଦ ଉକୁଟି ଉଠୁଥାଏ । ରସିକତା କରି ପଚାରିଦେଲି–‘କେଉଁ ଭଅଁର ପାଇଁ ଗୋଲାପର ଆଜି ଏ ଅପରୂପ ସାଜ ? ଏ ମୋହନ ବେଶ ଦେଖିଲେ କେତେ କୁଆଡ଼ୁ ଯେ ଭଅଁର ପାଗଳ ହୋଇ ଧାଇଁ ଆସିବେ’ । ବ୍ଲାଉଜରେ ବୋତାମ ଦେଉଁ ଦେଉଁ କହିଲୁ–‘ଭଅଁରଗୁଡ଼ା ସିନା କୃତଘ୍ନ । ଏ ଫୁଲରୁ ଉଡ଼ି ସେ ଫୁଲକୁ ଚାଲି ଯାଆନ୍ତି । ଫୁଲ ତ ଆଉ ଗୋଟିଏ ଭଅଁର ଛାଡ଼ି ଆଉ ଜଣକୁ ଚାହେଁନା ।’ ନିଜର ଭୁଲ ବୁଝି ନିଜେ ଅପ୍ରସ୍ତୁତ ହେଲି । ପଲଙ୍କ ଉପରେ ଶୋଇ ଶୋଇ ମୋ’ରି ମୁହଁରେ ମୁହଁ ରଖି ହଠାତ୍ ପଚାରିଲୁ–‘ଏଇ କାନ୍ଥରେ ଯେଉଁ ମହାପୁରୁଷଙ୍କର ଫଟୋ ଟାଙ୍ଗିଛ, ସେଇ ଗୋପବନ୍ଧୁଙ୍କ ଭଳି ଗୁଣର ପୁଅଟିଏ ଆମର ହୁଅନ୍ତା କି–’ । ମୁଁ ବୁଝିଥିଲି ତୋ ମନ କଥା । ବୁଝିଥିଲି ତୋ’ ମନଲୋଭା ବେଶର ଅପୂର୍ବ ଉଦ୍ଦେଶ୍ୟ । ସେଇଦିନ–ସେଇ ବସନ୍ତର ମଳୟ ସାଥୀରେ, ଜୋଛନାର ମୃଦୁ ହିଲ୍ଲୋଳରେ, ମହାମତି ଗୋପବନ୍ଧୁଙ୍କ ଚରଣତଳେ ହୋଇଥିଲା ‘ପ୍ରଭାତ’ ର ପହିଲି ଜନ୍ମ.....

ଜଳନ୍ତା ଜୁଇ

 

ସେ ତିନି ବରଷ ତଳର କଥା । ପ୍ରଭାତ ସେଦିନ ଥିଲା ତୋ’ର ସ୍ଵପ୍ନ । ଆଜି ବାସ୍ତବ ହୋଇ ମା’ ଡାକିଲାବେଳକୁ ତୁ ଦୂରେଇ ଗଲୁଣି । କାଲି ବଡ଼ ହେଲେ ସେ ଯେତେବେଳେ ଭକ୍ତିରେ ମୁଣ୍ଡ ନୋଇଁବ ଗୋପବନ୍ଧୁଙ୍କ ପାଦତଳେ, ମୋର ସେତେବେଳେ ମନେ ପଡ଼ିବ ତୋ’ରି କଥା । ତୁ ଥିଲେ ପୁଅକୁ ଦେଖି କେତେ ଖୁସୀ ହୁଅନ୍ତୁ । ତୋ ସ୍ଵପ୍ନ ସଫଳ ହୋଇଛି ଦେଖିଲେ କେତେ ଶାନ୍ତି ପାଆନ୍ତୁ । ଦୁଃଖିନି ! ସୁଖଭୋଗ କରିପାରିଲୁ ନାହିଁ । ଏତେ ସ୍ନେହ ଶ୍ରଦ୍ଧା ଦେଇ, ରକ୍ତ ଚିପୁଡ଼ି ଜନ୍ମ ଦେଲୁ ଯାହାକୁ, ତା’ ଯଶ, କୀର୍ତ୍ତି, ଧନ, ମାନ କିଛି ଭୋଗ କରିପାରିଲୁ ନାହିଁ । ପ୍ରଭାତ ବଡ଼ ହେଲେ ନିଶ୍ଚେ ଦିନେ ନା ଦିନେ ତୋତେ ଖୋଜିବ ଆଉ ଗୋପବନ୍ଧୁଙ୍କ ସୌମ୍ୟ ମୂର୍ତ୍ତିକୁ ଚାହିଁ କହିବ–‘ମୋ ମା’ର ଆଶୀର୍ବାଦ ପାଇଥିଲେ ମୁଁ ଗୋପବନ୍ଧୁଙ୍କର ଚରଣସେବକ ହୋଇ ପାରିଥାନ୍ତି’ । ମା’ ସିନା ପୁଅକୁ ଦୁନିଆ ଦୁଆରେ ମଣିଷ କରି ଗଢ଼େ । ମା’–ଛେଉଣ୍ଡ ଛୁଆ ନିଜ ଶିଙ୍ଗରେ ମାଟି ଖୋଳି ବଡ଼ ହୁଅନ୍ତି କେତେ ଜଣ ? ସତୀ ତୁ ! ସ୍ଵର୍ଗରେ ଥାଇଁ ଆଶୀର୍ବାଦ କର–ପ୍ରଭାତ ତୋ’ର ମଣିଷ ଭଳି ମଣିଷ ହେଉ ।

 

ବାଡ଼ଭଙ୍ଗା ଗାଈ–

 

ଆଉ ଦିନକର ଅପୂର୍ବ ସ୍ମୃତି ମନେ ପଡ଼ୁଛି । ବିବାହ ପରେ ପ୍ରଥମ ଥର ପାଇଁ ତୁ ଯାଇଥାଉ ବାଲେଶ୍ଵର । ମାତ୍ର କୋଡ଼ିଏଟି ଦିନ ସେଠାରେ ଥିଲୁ । ତା’ରି ଭିତରେ–ଦିନ କେଇଟାର ଅଦର୍ଶନରେ ମୁଁ ହୋଇ ଯାଇଥିଲି ବଡ଼ ଶୁଷ୍କ, ନୀରସ, ମ୍ରିୟମାଣ । ଘନ ଘନ ଚିଠି ଲେଖିଛି । ଶେଷରେ ଦିନେ ଅଥୟ ପ୍ରାଣରେ ଯାଇଁ ପହଞ୍ଚିଛି ବାଲେଶ୍ଵରରେ । ବିବାହର ଏତେ ଅଳ୍ପଦିନ ପରେ ତୁ ଯୌବନର ମାଦକତା ମୋଟେ ଭୁଲି ନ ଥାଉ । ବରଂ ଆଗ ଅପେକ୍ଷା ଦେହ ମନ ହେଉଥାଏ ବେଶୀ ଅମାନିଆ । ଯେ ଅମୃତ ଖାଇ ନ ଥାଏ ସେ ତା’ର ସ୍ଵାଦ ବୁଝେନା କି ମୂଲ୍ୟ ଜାଣେନା କିମ୍ବା ଚାଖିବା ପାଇଁ ଲାଳାୟିତ ହୁଏନା । କିନ୍ତୁ ଯେ ଥରେ ଚାଖିଛି ସେ କେବେ ସ୍ଥିର ହୋଇ ରହି ନ ପାରେ । ଅମାନିଆ ଗାଈ ପରି ସେ ବାଡ଼ ଡିଏଁ । ନୀତିକାରମାନେ ହୁଏତ ଏଇଟାକୁ କହିବେ ପାପ–ଅନ୍ୟାୟ । କିନ୍ତୁ ମୋ ମୋଟାବୁଦ୍ଧିରେ ମୁଁ କହେ ଏଇଟା ସ୍ଵାଭାବିକ । ପାପର ଲେଶ୍ ବି ଏଥିରେ ନାହିଁ । କଅଁଳିଆ ଦୂବଘାସ ଦେଖିଲେ ସବୁ ଗାଈ ହାଇଁପାଇଁ ହୁଅନ୍ତି ଖାଇବାକୁ । କେଉଁ ଗାଈ ବାଡ଼ ଡେଇଁ ନ ପାରି ମୁହଁ ଫେରାଏ ଆଉ କିଏ ବା ବାଡ଼ ଭାଙ୍ଗି ପଶିଯାଏ । ଏଥିରେ ଦୋଷ କେଉଁଠି ରହିଲା ? ଯାହାକୁ ଭୋକ କରେ–ଯାହାର ରକ୍ତ ଗରମ ହୋଇ ଟକ୍‍ମକ୍ କରି ଫୁଟେ–ଯାହାର ଦେହ ମନ ଉଚ୍ଛନ୍ନ ହୋଇ ଉଠେ ଆଉ ଗୋଟାଏ କଞ୍ଚା ଦେହର ନିବିଡ଼ ସ୍ପର୍ଶ ପାଇବାକୁ, ସେ ନୀତି, ସମାଜ, ସମୟ ବା ସ୍ଥାନ–କିଛି ବାଛ ବିଚାର କରି ପାରିବ କି ? ଯୁକ୍ତି କରି ବାରଣ କଲେ ନୀତିସେବା ହୋଇପାରେ କିନ୍ତୁ ସତ୍ୟର ସନ୍ଧାନ ମିଳିବ ନାହିଁ ।

 

ଠିକ୍ ଏଇକଥା ହୋଇଥିଲା ସେଦିନ ଆମ ଦୁହିଁଙ୍କର । ଦୁହେଁ ହୋଇଥିଲେ ଭୋକିଲା । ଦୁହିଁଙ୍କ ମନ ହୋଇଥିଲା ଉତ୍ତାଲା । ଠିକ୍ ମନେ ପଡ଼ୁଛି ବାବାଙ୍କ ଶୋଇବା ଘରେ–ମୁଁ ଶୋଇଥାଏ ଖଟଉପରେ, ବାବା ତଳେ, ଆଉ ମା’, ତୁ କରି ଶୋଇଥାଅ ସେଇ ଘର ବାରଣ୍ଡାରେ । ରାତି ବୋଧେ ଦୁଇଟାରୁ ବେଶୀ ହେବ । ହଠାତ୍ କାହାର ସ୍ପର୍ଶରେ ମୋ ନିଦ ଭାଙ୍ଗିଗଲା । ‘କିଏ’ ବୋଲି କହିବା ପୂର୍ବରୁ ହାତ ଦେଇ ପାଟି ବନ୍ଦ କରିଥିଲୁ । ...ଦେଶକାଳ ପାତ୍ର ବିଚାର ନ କରି, ଲୋକହସାକୁ ନ ଡରି ଓ ପରିଣାମକୁ ଖାତିରି ନ କରି ସେଦିନ ଆମେ ଦୁହେଁ ହୋଇ ଯାଇଥିଲେ ଏକ । ସେଦିନ ଉଭୟ ଭାବିଥିଲେ ଯେ ଆମେ ଚିରଦିନ ଏକ–ଅବିଚ୍ଛିନ୍ନ । ଗୋଟିକୁ ଛାଡ଼ି ଆଉ ଗୋଟିଏ ରହିପାରେନା । ଗୋଟିକର ବିଚ୍ଛେଦରେ ଆଉ ଗୋଟିକର ଅସ୍ତିତ୍ଵ ତିଷ୍ଠି ପାରେନା । କିନ୍ତୁ ଆଜି ବୁଝୁଛି ବେଳ ପଡ଼ିଲେ ସବୁ ଅସମ୍ଭବ ବି ସମ୍ଭବ ହୁଏ । ଯେ ସାମାନ୍ୟ କେଇଟା ଦିନ ଅଲଗା ହୋଇ ରହିପାରୁ ନଥିଲେ ସେ ବର୍ଷ ବର୍ଷ ଧରି ଅଲଗା ହୋଇଗଲେ !! ଏଇ ଥିଲା ଭଗବାନଙ୍କ ଇଚ୍ଛା ।

 

ଜୀଅଁନ୍ତା ମଡ଼ା–

ସେବା ! ଏତେ ମଧୁର ସ୍ମୃତି, ଜୀବନ୍ତ କଥା ମୁଁ କେମିତି ଭୁଲିବି ? ଏତେ ଶୀଘ୍ର ଯଦି ତୋର ଫେରିଯିବାର କଥା ତେବେ ଏତେ ମାୟାମମତା ଲଗାଇଲୁ କାହିଁକି ? ତୁ ଜାଣୁ ପିଲାଦିନୁ ବାପ ମା’ ହରାଇ ଜୀବନଟା ମୋର କିପରି ନୀରସ, ନିରାନନ୍ଦ । ମୋ ଅଲୋଡ଼ା ଜୀବନକୁ ମୁଁ ଏମିତି ନଈବାଲିର ବାଲିଗରଡ଼ା ଭଳି ଗଡ଼େଇ ଗଡ଼େଇ ଚାଲିଥିଲି । ତହିଁରେ ମୋଟେ ନ ଥିଲା ଶିଉଳି–ମୋଟେ ନ ଥିଲା ଆଶା ଆନନ୍ଦର କୁହୁକ । କିଏ ତୁହି ମାୟାବିନି । କାଉଁରୀ କାଠି ଛୁଆଁଇ ଦେଇ ମଲା ପିଣ୍ଡରେ ଜୀବନ ଦେଲୁ ? ଦିନ କେଇଟାରେ ତା’କୁ ହସାଇ ଖେଳାଇ ସୁଖ ଆନନ୍ଦର ମଦିରା ପିଆଇ ପୁଣି କନ୍ଦାଇ ଦେଇ ଚାଲିଗଲୁ । ଆଜି ଯେ ମୁଁ ତୋ’ରି ଅଭାବରେ ଏକାବେଳକେ ମ୍ରିୟମାଣ । ମୁଁ ଆଜି ଜୀଅଁନ୍ତାମାନଙ୍କ ଭିତରେ ମଲା ଆଉ ମଲାମାନଙ୍କ ଭିତରେ ଜୀଅଁନ୍ତା । ଜାଣେ ନା କେମିତି ଏତେ ବଡ଼ ଜୀବନଟାକୁ ଘୋଷାରି ଘୋଷାରି କଟାଇବି । ଏଇ ସାହା ସମ୍ବଳହୀନ ଜୀବନରେ ଯୋଉଠି ଆହା ବୋଲି ପଦେ କହିବାକୁ କେହି ନାଇଁ ସେଠି ହା–ହତାଶର ବା’–ବତାସ ବୁହାଇ ମୁଁ ବଞ୍ଚିବି କେତେଦିନ ? ଆଉ ନାଆ ବା ମୋର କର୍ଣ୍ଣଧାର ବିନା ଚଳିବ କେତେଦୂର ? ମୁଁ ଆଜି ଅଥଳ ନଈରେ ଭାସିଲି ସିନା ।

 

ଶରଧା ନାଁ–

 

ତୋ’ର ପ୍ରକୃତ ନାଁ ଦୁର୍ଗାମଣୀ । ବାବା ମା’ ସ୍ନେହରେ ଡାକନ୍ତି ମିଟ । ଆମ ଘରେ ଚଉଠି ବେଦୀରେ ଦାଦା ନାଁ ଦେଇଥିଲେ ପଦ୍ମା । ଏ ସବୁକୁ ଛାଡ଼ି ମୁଁ ପ୍ରଥମେ ରସରସିଆ ନାଁଟିଏ ଦେଇଥିଲି ସନ୍ଧ୍ୟା । ହଠାତ୍ ‘ସନ୍ଧ୍ୟା’ ବୋଲି ଡାକି ଦେଇ ମୁଁ ଯେତେବେଳେ ବୁଝିଲି ଯେ ନାଁଟା ଭିତରେ ସେମିତି କିଛି ଉଚ୍ଚଭାବ ବା ଆଦର୍ଶ ନାହିଁ–ଖାଲି ଧନମାନର ଆଭିଜାତ୍ୟରେ ଗର୍ବିତ ହୋଇ ବଡ଼ଲୋକମାନେ ଦେଇଥାନ୍ତି ମହାକାଳ ଫଳ ଭଳି ଏହି ଶ୍ରୁତି ମଧୁର ନାଁଟାକୁ ଆଉ ଏ ବଡ଼ଲୋକକି ନାଁଟା ଆମ ମାଟିଗୋଡ଼ିର ଘର ଭିତରେ ମୋଟେ ସୁନ୍ଦର ଦିଶିବ ନାହିଁ, ସେତେବେଳେ ଆପଣା ଛାଏଁ ସେ ନାଁଟିକୁ କାଢ଼ି ନେଇ ଆଉ ଗୋଟିଏ ସରଳିଆ ନାଁ ଦେଇଥିଲି–‘ସେବା’ । ତୁ ହସିହସି ଆଦର କରିଥିଲୁ ବି ମୋର ଏ ଗାଉଁଲୀ ନାଁଟିକି ।

 

ଏଇ ନାଁର ଉଦ୍ଦେଶ୍ୟ ଥିଲା ଆମର ବାଇଆ ଅଜାଙ୍କ ପଦାଙ୍କ ଅନୁସରଣ କରି ଦୁନିଆର ଶତସହସ୍ର ଦୀନ ଦଳିତ ପତିତ ମଥିତର ସେବାରେ ମନପ୍ରାଣ ଢାଳିଦେବା । ଆଉ ମୁଁ ଚାହୁଁଥିଲି ତୋତେ ଏହି ସେବାଭାବରେ ଦୀକ୍ଷିତ କରି ଦୁନିଆର ଅତି ଅକିଞ୍ଚନ ଘାସଫୁଲ ଭଳି ତୋ’ର ସଉରଭଟିକକ ଫୁଟାଇବାକୁ । ସେଦିନ ତୋତେ କହିଥିଲି–‘ ଦୁନିଆରେ ତୁ ହେବୁ ସେବାର ଗୋଟିଏ ମୂର୍ତ୍ତିମତୀ କ୍ଷୁଦ୍ର ଦେବୀ । ଦେବୀ ବା ଠାକୁରାଣୀଙ୍କୁ ଯେମିତି ଲୋକେ ପୂଜା କରନ୍ତି ତୋତେ ସେମିତି ମୁଁ–ଏକା ମୁଁ କାହିଁକି ସାରା ଦୁନିଆ ପୂଜା କରିବ, ଆଦର କରିବ, ଭଲ ପାଇବ–ଯଦି ତୁ ମନପ୍ରାଣ ଦେଇ ପରର ଉପକାର କରୁ, ମଣିଷର ମଙ୍ଗଳ କରୁ, ରୋଗୀ ଶୋଷୀ ଭୋକୀର ସେବା କରୁ ।’ କାରଣ ମୁଁ ସେଦିନ ବି ଜାଣିଥିଲି ଯେ ଆମେ ଦିନେ ମରି ହଜି ଯିବା ଆଉ ଆମର ଏ ସଉଖାନିଆ ଦେହ ଦିନେ ଜଳିପୋଡ଼ି ମାଟି ସଙ୍ଗରେ ମିଶିଯିବ । କେବଳ ଆମେ ଯଦି ଟିକିଏ ଲୋକସେବା କରିଥିବା, ତେବେ ଯେତେ ଦୀନହୀନ ହେଲେବି, ଆମ ମଲା ଅନ୍ତେ ଲୋକେ ନିଶ୍ଚୟ ଆହା ବୋଲି ପଦିଏ କହିବେ । ଏତେ ବଡ଼ ବିରାଟ ଉଦ୍ଦେଶ୍ୟ ନେଇ କେତେ ସ୍ନେହରେ ତୋ ନାଁ ଦେଇଥିଲି ‘ସେବା’ ।

 

ଏକା ତୁ ନୁହେଁ ମୁଁ ବି ତୋ ପଛେ ପଛେ ଭୋକଉପାସ ଭୁଲି ଖରାତରା ପାସୋରି ଦୁନିଆଦୁଆରେ ହସିହସି କାମ କରି ଚାଲିଥାଆନ୍ତି । ତୋ’ର ସ୍ନେହ, ସରାଗ, ସହାନୁଭୂତିକି ପଥେୟ କରି ମୁଁ ଗୁଣ୍ଡୁଚିମୂଷା ଭଳି ମୋ ଟିକି ଦେହରେ ଧୂଳି ନେଇ ବାଲିବନ୍ଧରେ ଝାଡ଼ିଥାନ୍ତି; ତୋ’ର ଓଠର ହସ ନେଇ ମୋ ଆଖି ଲୁହରେ ମିଶେଇ ସାଧନାର ତୁଙ୍ଗ ତାଜମହଲ ଗଢ଼ିଥାନ୍ତି; ତୋ’ର ଚାନ୍ଦ ମୁହଁକୁ ଚାହିଁ ଚାହିଁ ତରୁଣର କେତେ ସୁନେଲି ସ୍ଵପ୍ନକୁ ସଫଳ କରିଥାନ୍ତି ଦିନୁଦିନ । ତୁ ହୋଇଥାନ୍ତୁ ସୁରଭି, ମୁଁ ହୋଇଥାନ୍ତି ଗନ୍ଧବହ; ତୁ ହୋଇଥାନ୍ତୁ ପଦ୍ମା, ମୁଁ ହୋଇଥାନ୍ତି ଜୟଦେବ; ତୁ ହୋଇଥାନ୍ତୁ କଳକଲ୍ଲୋଳମୟୀ ଉତ୍ସ, ମୁଁ ହୋଇଥାନ୍ତି କଳନାଦିନୀ ଯମୁନା । କିନ୍ତୁ–କିନ୍ତୁ ପଦ୍ମା ଆଜି ମରିଗଲା । ସର୍ପ ଦଂଶନରେ ହେଲା ‘ହେମମାଳା’ ର ଅକାଳ ମୃତ୍ୟୁ । କବି ମୁଣ୍ଡରେ ଛିଡ଼ିପଡ଼ିଲା ବଜ୍ର ।...ମଣିଷର ଚିନ୍ତା–ନିୟତିର କୁଟିଳ ଅଟ୍ଟହାସ୍ୟ । । ସପନରେ ପହଁରି ପହଁରି ମଣିଷ ତୋଳେ ଆକାଶର ଫୁଲ । କିନ୍ତୁ ଆଖି ଖୋଲି ଚାହିଁଲା ବେଳକୁ ଫୁଲ ନାଇଁ, ଖାଲି ଛାଇ–ଛାଇ । ତା’ ପରେ ଘୋଟିଆସେ ଅନ୍ଧାର......

 

ଚଉଦୁଆର–

 

ବିବାହର ମାସକ ପରେ ଆମେ ଗାଁ ଛାଡ଼ି ଗଲେ ଚଉଦୁଆର । ଚଉଦୁଆରର ଛୋଟବଡ଼ ଯେତେ ସ୍ମୃତି, ପ୍ରତ୍ୟେକଟିରେ ଥିଲା ଜୀବନ, ପ୍ରେମ, କବିତା । ତୁ ପ୍ରେରଣା ଦେଉଥିଲୁ ଆଉ ମୁଁ କାମ କରୁଥିଲି । ଏତେ ସ୍ଫୁର୍ତ୍ତି ଆଉ ଆନନ୍ଦରେ ସେ ଦିନଗୁଡ଼ା କଟି ଯାଇଛି ଯେ ଆଜି ମନେ ପଡ଼ିଲେ ବଡ଼ ଈର୍ଷା ହେଉଛି ସେଦିନ ଉପରେ । ସେତେବେଳେ ଅବଶ୍ୟ ସୁଖ ସମ୍ପଦରେ ଥାଇଁ ବି ତା’ର ମହତ୍ଵ ଏତେ ଉପଲବ୍‍ଧି କରି ପାରୁ ନ ଥିଲି ଯାହା ଆଜି ବୁଝୁଛି । ଯାହାର ମଣି ହଜି ନାହିଁ ସେ ତା’ର ଗୁରୁତ୍ଵ ବୁଝେନା । ଅଭାବହିଁ ପ୍ରତ୍ୟେକର ପ୍ରକୃତ ସୌନ୍ଦର୍ଯ୍ୟ ଫୁଟାଏ ।

 

କର୍ମକ୍ଳାନ୍ତ ଜୀବନରେ ମଣିଷ ଯେତେବେଳେ ଉଶ୍ଵାସର ଗୋଟାଏ କରୁଣ ନିଃଶ୍ଵାସ ମାରେ ସେତେବେଳେ ସେ ଚାହେଁ ଟିକିଏ ସାହା–ତା’ ଦୁଃଖରେ ଆହା ବୋଲି ପଦେ କହିବାକୁ । ସେଇ ଟିକିକ ପାଇଲେ ସେ ଫେରିଯାଏ ନବବଳ, ଆଶା, ଉଦ୍ଦୀପନା । ମୋର ମନେ ଅଛି ଦିନସାରା ଅଫିସରେ ଖଟିଖଟି ଶ୍ରାନ୍ତ କ୍ଳାନ୍ତ ହୋଇ ମୁଁ ଯେତେବେଳେ ସଞ୍ଜବେଳେ ଫେରିଆସେଁ ଆଉ ବସାରେ ଦେଖେ ତୋ ହସହସ ଚାନ୍ଦ ମୁଖଟିକୁ, ସେତେବେଳେ ମୁଁ ଭୁଲିଯାଏ ଅଫିସର କୁଢ଼କୁଢ଼ ଫାଇଲ୍, ହାକିମର ହତାଦର ବଳିଷ୍ଠର ଅତ୍ୟାଚାର, ଏମିତି କି ଭୋକଶୋଷ ଭୁଲି ପୋଷାକ ପତ୍ର ନ ଖୋଲି ମୁଁ ପ୍ରଥମେ ଟିକିଏ ବିଶ୍ରାମ ନିଏ ତୋ’ରି କୋଳରେ । ଆଉ ତୁ କେତେ ଆଦରରେ କୋଳରେ ବସାଇ କାନିପଣତରେ ପୋଛି ଦେଉ ମୋର ଶୁଖିଲା ମୁହଁଟିକୁ ଆଉ ନିଜ ହାତରେ କେତେ ହାସ ପରିହାସ ଭିତରେ ମୋତେ ଖୋଇ ଦେଉ ଜଳଖିଆ । ଖାଇସାରି କେତେଥର ହସିହସି କହେ–‘ପେଟ ଭୋକ ସିନା କମିଲା କିନ୍ତୁ ଦେହ ଭୋକ ?’ ତୁ କହୁ–‘ତମର ଏମିତି ତର ସହୁ ନାହିଁ କାହିଁକି ? ଆସୁଆସୁ ପେଟ ଭୋକ, ଦେହ ଭୋକ, ମନ ଭୋକ ? ଏତେ ବେଳଯାଏ ଅଫିସରେ କେମିତି ଥିଲ ?’ ମୁଁ କିନ୍ତୁ ତୋ’ କଥା ଶୁଣେ ନା । ଲୋଟିପଡ଼ି ରକ୍ତ ଅଧର ଉପରେ ଦିଏ ଗୋଟିଏ ଗାଢ଼ ଚୁ-ମ୍ବ-ନ...‘ଉଲା’ ଟା କୁଆଡ଼େ ଥାଏ, ଏତିକିବେଳକୁ ଘରକୁ ପଶି ଆସି ଜୋତା ଖୋଲି ବସେ । ତୁ ଲାଜରା ହୋଇ ଘରୁ ପଳଉ ।.....

 

ରାତିରେ ଆରାମ ଚେୟାରରେ ଶୋଇ ଶୋଇ ମୁଁ ପଢ଼େ ପଲ୍ଲୀକବି ନନ୍ଦକିଶୋରଙ୍କର ‘ ନବବର୍ଷା’ କବିତା । ତୁ ପାଖରେ ଆଉ ଖଣ୍ଡିଏ ଚେୟାରରେ ବସି ସେହି ଗାଉଁଲୀ ଗୀତଟିକୁ ମନ ଦେଇ ଶୁଣୁ । ସେହି ଶ୍ରାବଣ ସଞ୍ଜର ପହିଲି ପ୍ରହରରେ ମୁଁ ପଢ଼ୁଥାଏ–‘ମେଘ ବରଷିଲା ଟପର ଟପର କେଶୁର ମାଇଲା ଗଜା–କେଉଁ ରାଇଜରେ ରହିଲେ ମୋ ରାଜା ତେଲିଙ୍ଗି ବାଇଦ ବଜା ।’ ସତକୁ ସତ ବାହାରେ ହେଉଥାଏ ଭୀଷଣ ଝଡ଼ ବର୍ଷା । ବେଙ୍ଗଗୁଡ଼ା କେଁକଟର କରି କାନଅତରା ପକଉଥାନ୍ତି । ଗୀତ ଶୁଣୁ ଶୁଣୁ ତୁ କହୁ–‘ସତେ, ଷୋଳ ବରଷର ଭୂଆସୂଣୀକି ଘରେ ଛାଡ଼ି ଦେଇ ଯେ ବିଦେଶ ଚାଲିଯାଏ ସେ କେଡ଼େ ନିଷ୍ଠୁର ।’ ହଠାତ୍ ଗୋଟିଏ ପଦ ଆସିଲା–‘ଭାବର ଆବେଶେ ଦୂର ପରବାସେ ମନେପଡ଼େ ପ୍ରିୟ ଯାହା–ତାହାରି ସଙ୍ଗତେ ଦରଶନ ଦିଏ ଅତୀତ ଜୀବନ ଛାୟା’ । ପଢ଼ା ବନ୍ଦ ରଖି ମୁଁ ତୋତେ ବୁଝେଇ ବସିଲି–‘ଘର ଦୁଆର ଛାଡ଼ି, ନିଜର ଗାଁଗଣ୍ଡା ସାଇପଡ଼ିଶାଙ୍କୁ ପଛରେ ପକେଇ ପୁଣି ଅତି ଆପଣାର ପ୍ରିୟାକୁ ଛାଡ଼ି ମଣିଷ ବିଦେଶକୁ ଯାଏ ନା ଖୁସିରେ, ଯାଏ ନା ସୁଖ କରିବାକୁ ବା ଆନନ୍ଦରେ ରହିବାକୁ–ଯାଏ ପେଟ ବିକଳରେ–ଭୋକିଲା ପେଟର ଦାନା ପାଇଁ, ଲାଙ୍ଗଳା ପିଠିକି ଘୋଡ଼େଇବା ପାଇଁ । ଏଥିରେ ପ୍ରିୟା କଥା ଭାଳି ମୁଣ୍ଡ କୋଡ଼ିବାକୁ ତା’କୁ ତର କାହିଁ ? ତେବେ ବିଦେଶରେ ଘର କଥା ମନେ ପଡ଼ିଲେ ଖାଲି ଅତୀତର ସୁଖସ୍ମୃତିଗୁଡ଼ିକ ଖେଳାଇ ଖେଳାଇ ମଣିଷ ଯାହା କିଛି ଆନନ୍ଦ ପାଏ । କିଛିଦିନ ବିଦେଶରେ ରହିଗଲେ ବିରହ ବେଶୀ ବାଧେନା । ଅଭ୍ୟାସରେ ପଡ଼ିଯାଏ ।

 

ଏତିକିବେଳେ ଆମ କଥାରେ ବାଧା ଦେଇ ‘ହରିଆ’ ଆସି କହେ–‘ବାବୁ । ଗପୁଥିବ କିହେ ? ରାତ୍ର ଦଶଘଣ୍ଟା ହେଲା ଯେ–ଖାଇବାର ଏକା ।’ ତା’ ଦକ୍ଷିଣୀ କଥାରେ ହସିହସି ଆମେ ଉଠୁ । ପଢ଼ା ସେଦିନ ସେତିକିରେ ବନ୍ଦ ରହେ । ଛୋଟ ଟିପୟଟି ଉପରେ ତୁ ଖାଇବା ଚିଜ ଆଣି ସଜାଇ ରଖୁ । ଦୁଇ ପାଖରେ ଦୁଇଟି ଚେୟାର ପକାଇ ଦୁଇଜଣ ସାଙ୍ଗ ହୋଇ ଏକାଠି ଖାଉ । କେତେ ଆନନ୍ଦ, କେତେ ମଜାଗପ, କେତେ ଥଟ୍ଟାତାମସା ଭିତରେ ଖିଆ ସରେ । ତୁ କହୁ–‘ସାଙ୍ଗ ହୋଇ ଖାଇଲେ ପଛକେ, ଏ ଗରମ ଦୁଧତକ ତମେ ଏକା ଏକା ପିଇଦିଅ ।’ ମୁଁ କିନ୍ତୁ ସେଥିରେ ନାରାଜ । ସେହି ଗୋଟିଏ ଗ୍ଲାସରୁ ତୁ ଢୋକେ ମୁଁ ଢୋକେ କରି ଦୁଧ ପିଉ । କେତେ ଆନନ୍ଦ ହୋଇ କହୁଁ–‘ମୋ ଭାଗ୍ୟକୁ ତମେ ମିଳିଛ ବୋଲି ସିନା ନଇଲେ ଏ ସବୁ ତ ସାତ ସପନ ।’ ମୁଁ କହେ–‘କିନ୍ତୁ ସୁଧାର ଗାଈର ବାଛୁରୀ ମରେ ।’ ତୁ ହସିହସି ମୋ କଥାର ପ୍ରତିବାଦ କରୁ । ଗୁଆ ମସଲା ଖାଉଁ ଖାଉଁ ମୁଁ ଆଲୁଅଟି ଲିଭେଇ ଦିଏ । ଆର ଘରୁ ‘ଉଲା’ ଡାକେ–‘ମା ! ମୁଁ ଶୋଇଲି’ । ମୁଁ ତୋ ଅଞ୍ଚଳ ତଳେ ମଥା ରଖି କହେ–‘ମୁଁ ବି ଶୋଇଲି’ । ତୁ କିରିକିରି ହେଇ ହସି ଉଠୁ ।

 

ସାଙ୍ଗସାଥୀ–

 

ଚଉଦୁଆରରେ କେତେ ସାଙ୍ଗସାଥୀ ବୁଲି ଆସନ୍ତି ଆମ ଦୀନ କୁଟୀରର ଅତିଥି ହୋଇ । ଡାକ୍ତର, ଓଭରସିୟର, କଣ୍ଟ୍ରାକ୍ଟର, ମୋର ସାଥୀ କିରାଣୀ–ଏମିତି କେତେ କେତେ ବନ୍ଧୁ କେତେ ଥର ଆମ ପୂର୍ଣ୍ଣ କୁଟୀରରେ ଶାକାନ୍ନ ଗ୍ରହଣ କରି ସେମାନଙ୍କର ସ୍ନେହ ସୌଜନ୍ୟରେ ଆମକୁ ମୁଗ୍‍ଧ କରିଥିଲେ । ଟିଗିରିଆର ସେ ଉଗ୍ରସେନ ଆସେ । କେତେ ଥଟ୍ଟା ଖେଳେ । ଶାନ୍ତ ଶିଷ୍ଟ ସରଳ ପିଲାଟି ଭଳି ଯାହା ମିଳେ ଖାଇ ଚାଲିଯାଏ । ତା’ ପାଖରେ ମାନ ଅପମାନ କିଛି ନାଇଁ । ନାନୀକୁ ମାଗି ସେ କେତେଥର ଭୁଜା, ଚୁଡ଼ା, ପିଠା, ଭାତ ଖାଇ ଯାଇଛି । ମନେ ଅଛି ଥରେ ଏକ ଜିଦ୍ ଧରି ବସିଲା ପଖାଳ ଖାଇବାକୁ । ତିନିଦିନର ଖଟା ବାସୀ ପଖାଳ ଲୁଣ ଲଙ୍କା କଞ୍ଚା ପିଆଜ ଆଉ ପିତା ଶୁଖୁଆ ପୋଡ଼ା ଲଗାଇ ସେ ବିନା ସଙ୍କୋଚରେ ଦୁଇ ବେଳା ଠୁଙ୍କି ଦେଇଥିଲା । ଫର୍ମାଲିଟି କ’ଣ ସେ ଜାଣେ ନା । ଛନ୍ଦ ନାଇଁ, କପଟ ନାଇଁ,–ସବୁବେଳେ ହସ, ସବୁବେଳେ ତୋତେ ଥଟ୍ଟା ।...ପଟ୍ଟାମୁଣ୍ଡେଇର ସେ କେନ୍ଦୁ କାଠ ବନ୍ଧୁ କିନ୍ତୁ ଠିକ୍ ତା’ର ଓଲଟା । ବାହାରେ ଥଟ୍ଟା ତାମସା କଲେ ବି ଭିତରେ ଭାରୀ ଗମ୍ଭୀର । ହେଲେ ମନଟା ତା’ର ପର ଦୁଃଖ ଦେଖିଲେ କାନ୍ଦିଉଠେ । ମୁରବୀ ପଣିଆଁ ଦେଖେଇ ସେ କେତେଥର ମୋତେ କେତେ ବାଧୁଣିଆ କଥା କହିଛି । ମୁଁ ଚିଡ଼ିଯାଏ, କିନ୍ତୁ ଦେଖେ ତା’ କଥାରେ ନ ଥାଏ ସେତେ ଗୁରୁତ୍ଵ । ପେଟ ଖଳଖଳ । ମୁହଁରେ ସରଳିଆ ସୁନା ହସଟିଏ ।

 

ମୋର କେତେ ଆନ୍ଧ୍ର ବନ୍ଧୁ ଆମ ଘରକୁ ବୁଲି ଆସନ୍ତି ସସ୍ତ୍ରୀକ । ତୋ ସାଙ୍ଗରେ ଖଣ୍ଡି ଖଣ୍ଡି ହିନ୍ଦି ଓ ଅଧାଅଧା ଓଡ଼ିଆରେ କଥାଭାଷା ହୁଅନ୍ତି । ଚିର ହସହସ ତେଲୁଗୁ ବୋହୂଟି ତୋ’ ସହିତ ଭଲ ଭାବରେ ବଙ୍ଗଳାରେ କଥା କହେ । ମୁଁ ଆଶ୍ଚର୍ଯ୍ୟ ହୁଏ । କିନ୍ତୁ ସେ ଏହିଭଳି । ଫୁଟିଲା ଫୁଲଟି ପରି ହାସ ଯେମିତି ବାସ ବି ସେମିତି । ...ମୋର ଅତି ସ୍ନେହର ସାନ ଭାଇ ଆସେ–ଅଫିମ ପରି ଯା’ର ରଙ୍ଗ, ଶାଶୁ ଡାକେ ଯାହାକୁ କେଳା । ତୋତେ ଭାରୀ ସେ ଲାଜ କରେ । କିନ୍ତୁ ଥଟ୍ଟା କରିବା ବି କମ୍ ନ ଥାଏ । ଥରେ ଖାଇ ବସିଥିଲା । ତରକାରୀ ହୋଇଥିଲା ଟିକିଏ ଅଲଣା । ହସିହସି ଏଡ଼େ ପାଟିରେ ଘର ଭିତରୁ କହିଲା–‘ତରକାରୀ ଅଲଣା ହେଇଛି ଭାଉଜ ।’–ରୋଷଘରୁ ତୁ ହସିହସି ଉତ୍ତର ଦେଲୁ–‘ଆଉ ଟିକିଏ ଲୁଣ ପକେଇ ଦିଅ’ ।

 

ଦିନେ ଦିନେ ଆସନ୍ତି ବୀର ନରସିଂହପୁରର ସେ ଫାଜିଲ୍ ଲମ୍ବାନାକିଆ ବାବୁ ଜଣକ । ତାଙ୍କ କଥାବାର୍ତ୍ତା, ଭାବଭଙ୍ଗୀ, ଚାଲି ଚଳଣ ସବୁଥିରେ ଉଛୁଳୁଥାଏ ହସ । ତାଙ୍କ କଥା ଶୁଣି ହସିହସି ପେଟ ଦରଜ ହୁଏ ।...କାନତରାଟି ବାବୁ ଆସନ୍ତି । ପାନ ଦି’ ଖଣ୍ଡ ଖାଇ କେତେ ଗପି ଗପି ଫେରନ୍ତି । ତୁ ନିତିନିତି କେତେ ରକମ ନୂଆ ନୂଆ ପିଠା କରି ଏହି ବନ୍ଧୁମାନଙ୍କୁ ପରଶୁ । ଆଜି ସେମାନେ ସମସ୍ତେ ଅଛନ୍ତି । ତୋ’ ଦାରୁଣ ମୃତ୍ୟୁ ଖବର ଶୁଣି ସମସ୍ତେ ମୋତେ ସାନ୍ତ୍ଵନା ଦେଇ ଚିଠି ଲେଖୁଛନ୍ତି । କିନ୍ତୁ ଯେତେ ବୁଝାଇଲେ ମନ ତ ବୁଝୁନାଇଁ । ତୁ ଥାଆନ୍ତୁ । ପୁଣି କେତେ ନୂଆ ନୂଆ ବନ୍ଧୁଙ୍କ ସ୍ନେହ ଆଦର ନେଇ ଆମେ ଜୀବନ ପଥରେ ଆଗେଇ ଚାଲିଥାନ୍ତେ । ସଂସାର ମୋର ଆଗ ଭଳି କୋଳାହଳମୟ ହୋଇ ଉଠିଥାନ୍ତା । ସେହି କୋଳାହଳ ଭିତରେ, ଜଞ୍ଜାଳ ଭିତରେ ମୁଁ ପାଇଥାନ୍ତି ଆନନ୍ଦ, ତୃପ୍ତି, ଶାନ୍ତି । ସବୁ କିନ୍ତୁ ସରିଗଲା । ମୋ ସୁଖର ହାଟ ଭାଙ୍ଗିଗଲା ।.....

 

ବନ୍ଧୁ ପରିଚୟ–

 

ଦିନକର ତୋତେ କୋଳରେ ବସେଇ ଚିହ୍ନେଇ ଦେଉଥିଲି ମୋର କେତେଜଣ ଘନିଷ୍ଠ ବନ୍ଧୁଙ୍କୁ । ପହିଲୁ ଦେଖେଇଲି ସାଲେପୁରର ଜଣେ ସ୍ଵପ୍ନବିଭୋର କବିଙ୍କ ଚିଠି । ଏଡ଼େ ସୁନ୍ଦର ହାତଲେଖା ଓ କଅଁଳିଆ ଭାଷା ପଢ଼ି ତୁ ଭାରୀ ଖୁସୀ ହୋଇଥିଲୁ । କବି–ପିଲାଟିଦିନୁ କେତେ ଦୁଃଖ ଅଭାବରେ ବଢ଼ିଛନ୍ତି । ମାଗିଯାଚି ପାଠ ପଢ଼ି ଆଜି ବଡ଼ ହୋଇଛନ୍ତି । କେଡେ ସରଳ, ଅମାୟିକ । ତାଙ୍କ ଭଳି ପର ଦୁଃଖରେ କିଏ କାନ୍ଦି ପାରିବ ? ତାଙ୍କ ଭଳି ଏଡ଼େ ସୁନ୍ଦର କବିତା କିଏ ଲେଖି ପାରିବ ?.....ମୁଁ କହୁକହୁ ହଠାତ୍ ପଚାରିଲୁ–‘ସେ ବାହା ହେଉ ନାହାନ୍ତି କାହିଁକି ?’ କହିଲି–‘ଗରିବ ସିଏ । ହେଲେ ତାଙ୍କର ତ ମାନ ସମ୍ମାନ ଅଛି । ଭିକ୍ଷା କରି ପାଠ ପଢ଼ିଲେ ବୋଲି କ’ଣ କାହାର ଦ୍ଵାରସ୍ଥ–ହେବେ ବିବାହ ପାଇଁ ? ନିଜ ଗୋଡ଼ରେ ନିଜେ ଆଗ ଠିଆ ହେଲେ ତା’ ପରେ ସିଏ ସଂସାର ଗଢ଼ିବେ । ତା’ ପରେ ସେ ତ ଆଉ ଯେ ସେ ଝିଅକୁ ଆଣିବେ ନାହିଁ । ତାଙ୍କ ପାଇଁ ଦରକାର ଗୋଟିଏ ଅତି ସୁନ୍ଦରୀ ରୂପସୀ ପାଠୋଇ ଝିଅ’ । ତୁ କହିଥିଲୁ–‘ହଁ, କବି ସିଏ । ତାଙ୍କରି ଭଳି ଗୋଟିଏ ଗୁଣର ଝିଅ ନ ପାଇଲେ ସେ କବିତା ଲେଖିବେ କେମିତି ? ଆଛା ତାଙ୍କୁ କୁହ–ମୋ ପାଇଁ ଗୋଟିଏ ଭଲ କବିତା ଲେଖି ପଠାଇବେ ।

 

ମୁଁ ତୋ’ କଥା ତାଙ୍କୁ ଲେଖିଥିଲି । ସେ କବିତା ଦେଇଥାନ୍ତେ । ତୁ ପଢ଼ି ଖୁସୀ ହୋଇଥାନ୍ତୁ । କିନ୍ତୁ ତା’ ହୋଇପାରିଲା ନାହିଁ । ସେ ତୋତେ ଦେଖି ନ ଥିଲେ ବି କେତେ ଆଦର କରନ୍ତି । ସବୁ ଚିଠିରେ ଆଗ ତୋ’ କଥା ଲେଖନ୍ତି ଆଉ ଆଶୀର୍ବାଦ କରିଥାନ୍ତି–‘କାଚ ବଜର ହେଉ’ । ଆଜି ଯେତେବେଳେ ସେ ଶୁଣିବେ ତାଙ୍କର ଚିର ଆଦରର ଭଉଣୀଟି ଚାଲିଯାଇଛି ପରପାରିକୁ, ତାଙ୍କର କଲମ ହାତରୁ ଖସି ପଡ଼ିବ । ହୁଏତ ମୋତେ ସାନ୍ତ୍ଵନା ଦେବାକୁ ଦି’ପଦ ଲେଖିବା ଭଳି ଧୈର୍ଯ୍ୟ ତାଙ୍କର ରହିବ ନାହିଁ । ଦେଖାହେଲେ ତାଙ୍କୁ କହିବି–‘ଭଉଣୀର କାଚ ବଜ୍ର ହୋଇଛି କିନ୍ତୁ ଏ ଅଭାଗା ଭାଇଟି ହୋଇଛି କା–ଙ୍ଗା–ଳ...,

 

ଦିନେ ଚିହ୍ନେଇ ଦେଉଥିଲି ଜଗତସିଂହପୁରର ଜଣେ ନୀରବ କର୍ମୀଙ୍କୁ । ସାଙ୍ଗ ହୋଇ ପଢ଼ୁଥିଲୁ । ପଢ଼ିବାବେଳେ ଥିଲେ ଭାରୀ ଅଳସୁଆ । ତଥାପି ହୃଦୟ ଥିଲା । ଦୁଃଖ ଦାରିଦ୍ର୍ୟ ଭିତରେ ବଢ଼ି ଆସି ସେ ପରଦୁଃଖ ବେଶ୍ ବୁଝି ପାରୁଥିଲେ । ହଠାତ୍ ୧୯୪୨ରେ କଲେଜ ଛାଡ଼ି କଂଗ୍ରେସରେ ମିଶିଲେ । ଜେଲ୍ ଗଲେ । ପିଲାଦିନୁ ମୋର ଅତି ଅନ୍ତରଙ୍ଗ ଓ ହିତାକାଙ୍‍କ୍ଷୀ ବନ୍ଧୁ । ବାପା ମରିଗଲାବେଳେ ମୁଁ ଯେତେବେଳେ ଦୁଃଖ ଅଭାବରେ ଏକାବେଳକେ ଭାଙ୍ଗି ପଡ଼ିଲି, ଏଇ ବନ୍ଧୁ ମୋତେ କେତେ ସାନ୍ତ୍ଵନା ଦେଇଥିଲେ–ନିଜେ କଷ୍ଟ ସହି କେତେ ମୋତେ ସାହାଯ୍ୟ କରିଥିଲେ । ଦୁନିଆର ସବୁ ଲୋକେ ନିଜ ସ୍ଵାର୍ଥ ନେଇ, ନିଜ ସୁଖସମ୍ଭୋଗ ପାଇଁ ସବୁବେଳେ ବ୍ୟସ୍ତ । କିନ୍ତୁ ଏ ନୀରବ କର୍ମୀଟି କେତେ ଅଭାବ ଅନଟନରେ ଥାଇଁ ବି ପରପାଇଁ ନିଃସ୍ଵାର୍ଥପର ଭାବରେ କାମ କରି ଚାଲିଛି ।

 

ଏଇ ତ୍ୟାଗୀଟି ପାଇଁ ମନ ତୋ’ର ତରଳି ଯାଇଥିଲା । ସେହିଦିନୁ ତାଙ୍କୁ ଭାଇ ବୋଲି ତାକୁ । ତାଙ୍କ ଆଣ୍ଠୁ ଲୁଚୁ ନ ଥିବା ଖଦଡ଼ ଖଣ୍ଡିକ ଓ ଚଦରଟି ଦେଖି ତୁ କହୁ–‘ଏଡ଼େ ସରଳିଆ ଲୋକ । ତମେ ତାଙ୍କ ସାଙ୍ଗ ହୋଇ ତାଙ୍କ ଦୁଃଖକଷ୍ଟ ଟିକିଏ ବୁଝୁନା ।’ ମନେ ମନେ ମୁଁ ହସେ । ସରଳ ନିରାଡ଼ମ୍ବର ଉଦାର କର୍ମୀଟି–କେତେ ବଡ଼, କେତେ ଉଚ୍ଚ, କି ମହତ ! ତାଙ୍କ ଭଳି ସ୍ଵାଧୀନନେତା ଦେଶପ୍ରେମୀ ଯୁବକଙ୍କୁ ପୁଣି ମୋ ଭଳି ଗୋଲାମ ବା କି ସାହାଯ୍ୟ କରିବ ? ତଥାପି ତୋ’ କହିବା ମୁତାବକ ବି ମୁଁ ତାଙ୍କୁ କିଛି କେବେ ଆର୍ଥିକ ସାହାଯ୍ୟ କରିପାରି ନାହିଁ । ସେ ଆଜି ତୋ’ର ଏ ଶୋଚନୀୟ ମୃତ୍ୟୁ ଖବର ଶୁଣି ମୋତେ ସାନ୍ତ୍ଵନା ଦେଇ ଲେଖିଛନ୍ତି–‘ଖରା ବର୍ଷା ଭୋକ ଉପାସ ସହିବା ପାଇଁ ଦେହଟାକୁ ଆମେ ଯେପରି ପଥର କରି ଦେଇଛେ, ଦୁଖ କଷ୍ଟ ସହିବା ପାଇଁ ମନକୁ ସେହିଭଳି କରିଦେବାକୁ ହେବ ।’ ମୁଁ ଆଜି ତାଙ୍କୁ ପଚାରିବି–‘ଖାଲି ସହିବା ପାଇଁ କ’ଣ ଆମର ଜନ୍ମ ? ଆମରି ବଯସର ତରୁଣ ଆଜିଯାଏ ଦୁନିଆର ଦୁଃଖ ଜଞ୍ଜାଳ କିଛି ଜାଣିନାହାନ୍ତି । ପ୍ରଜାପତି ଭଳି ଫୁଲାଫାଙ୍କିଆ ହୋଇ ହାୱା ଖାଇ ବୁଲୁଛନ୍ତି ମଟରରେ । ଆଉ ଆମରି ବେଳକୁ ଖାଲି ଦୁଃଖ ଉପରେ ଦୁଃଖ ? ବିପଦ ଉପରେ ବିପଦ ? ଖାଲି ଆମରି ପାଇଁ ତ୍ୟାଗ ? ଆମରି ଉପରେ ଦୁନିଆଟା ଯାକର ସବୁ ଶୋଷଣ ପେଷଣ, କଷଣ, ନିର୍ଯ୍ୟାତନ ।’ ମୁଁ ଜାଣେ ସେ ଏହାର କିଛି ଉତ୍ତର ଦେଇପାରିବେ ନାହିଁ । ସେ ଆସିଲେ ‘ପ୍ରଭାତ’ କୁ ଦେଖିବେ । ତୋତେ ନ ପାଇ କାନ୍ଦିବେ । ଆଉ ମୋତେ ବୁଝାଇ ଫେରିଯିବେ । କିନ୍ତୁ ଯିଏ ଯେତେ ବୁଝେଇଲେ ବି ମୁଁ କାନ୍ଦିବି, ଆଜିକ ପାଇଁ ନୁହେଁ ଚିରଦିନ ପାଇଁ । କଥା ମୋର ଅକୁହା, ବ୍ୟଥା ମୋର ଅଲିଭା ଲୁହ ମୋର ଅସରା.......

 

ଥରେ କହୁଥିଲି ଆମ ଗାଁ ପାଖର ଗୋଟିଏ ‘ମାଟିର ମଣିଷ’ କଥା । ପାଠଶାଠ ପଢ଼ି ବାବୁ ହୋଇଥିଲେ ବି ସେ ଭଲ ପାଆନ୍ତି ଗାଁ ଗହଳରେ ରହି କୁଲି ମୁଲିଆଙ୍କ ଦୁଃଖସୁଖରେ ଭାଗୀ ହୋଇ ଚଳିବାକୁ । ମୋଟାରୋଟା ଖାଆନ୍ତି, ମଳିମହଳ ପିନ୍ଧନ୍ତି, ହାତରେ ପାଣି ବୋହି ବାଡ଼ ବୁଜି ଫସଲ କରନ୍ତି, ନିଜେ ପାଣି କାଦୁଅରେ ତିନ୍ତିବୁଡ଼ି ମୁଲିଆଙ୍କ ସାଙ୍ଗରେ ବିଲ କାମ କରନ୍ତି । ମୁଁ ତାଙ୍କୁ ସ୍ନେହରେ ଡାକେ–‘ମାଟିର ମଣିଷ’ । ପଚାରିଥିଲୁ–‘ସେ କିପରି ତମର ନନା ହେଲେ ?’ କହିଥିଲି–‘ଗାଁକୁ ଗାଁ ଲାଗିଛି । ପିଲାଟିଦିନୁ ଏକାଠି ସାଙ୍ଗ ହୋଇ ଖେଳିବୁଲି ପାଠ ପଢ଼ିଛୁ । ପୁଣି ତାଙ୍କ ବୋଉ ମୋତେ ପୁଅଠୁ ବଳି ଭଲ ପାଆନ୍ତି । ସେ ନିଜେ ଏକା ନାହି ଦି’ଖଣ୍ଡ ଭାଇ ଭଳିଆ ମୋତେ ସ୍ନେହ ଆଦର କରନ୍ତି । ମୋର ମନେ ହୁଏ–ଆମେ ଅଲଗା ଅଲଗା ଘରେ ଜନ୍ମ ହୋଇଥିଲେ ବି ସେ ଯେପରି ମୋର କେଉଁ ଜନମର ଭାଇଟିଏ ।’

 

ମୋ କଥା ମାନି ତୁ ତାଙ୍କ ପାଖକୁ ତୋ’ ଅପରଛନିଆ ହସ୍ତାକ୍ଷରରେ ଭାଇ ବୋଲି ସମ୍ବୋଧନ କରି ଚିଠି ଲେଖିଥିଲୁ । ସେ ସେହିଦିନଠୁ ତୋତେ କେତେ ଭଲ ପାଆନ୍ତି । ତୁ ନୃସିଂହଙ୍କ ପାଖକୁ ଯାଇଁ ତାଙ୍କ ଘରକୁ କେତେଥର ଯାଇଛୁ । ମାଉସୀର ସ୍ନେହ ସରାଗ, ‘ମାଟିର ମଣିଷ’ର ପିଲାଳିଆ କଥା, ଆଦର ଯତ୍ନରେ ତୁ ବିଭୋର ହୋଇ କେତେଥର ସେମାନଙ୍କ ପ୍ରଶଂସା ମୋ ଆଗରେ ଗାଇଛୁ । ପଇଡ଼ପାଣି ପିଇବାକୁ ତୁ ଭଲ ପାଉ । ତେଣୁ ଯେତେଥର ତାଙ୍କ ଘରକୁ ଯାଇଛୁ, ସେ ନିଜେ ଗଛରେ ଚଢ଼ି ପଇଡ଼ ତୋଳି ତୋତେ ଆଣି ଦେଇଛନ୍ତି । ଆଜି ବି ସେ ଅଛନ୍ତି । ମାଉସୀ ଅଛି । ଗଛରେ ପେଣ୍ଡା ପେଣ୍ଡା ପଇଡ଼ ଝୁଲୁଛି । କିନ୍ତୁ ପଇଡ଼ ପାଣି ପିଇବାକୁ କେହି ନାହିଁ କି ମାଉସୀ ସାଙ୍ଗରେ ପଇଡ଼ ପାଇଁ ଅଳି କରିବାକୁ କେହି ନାହିଁ ।

 

‘ମାଟିର ମଣିଷ’ ତୋ ଅକାଳ ମରଣ ଶୁଣି ଲୁହ ଗଡ଼େଇଛି । ମୋତେ କେତେ ଗାଳି ଦେଇ ଲେଖିଛି ଯେ ମୁଁ ହତଭାଗା, ଶେଷବେଳେ ତୋ’ ପାଖରେ ଟିକିଏ ରହି ପାରିଲି ନାହିଁ । ‘ହଁ ମୁଁ ମାନୁଛି, ମୋର ସେଇଟା ଦୋଷ । ମୋ ଅକ୍ଷମତା ପାଇଁ ମୁଁ ଆଜି ସାରା ଦୁନିଆ ପାଖରେ ଦୋଷ ମାଗୁଛି । ସମସ୍ତଙ୍କୁ ବୁଝାଇଲେ ବୁଝିଯିବେ । ହୁଏତ ମୋତେ କ୍ଷମା ବି ଦେବେ । କିନ୍ତୁ ବୁଝିପାରିଲୁ ନାହିଁ ଏକା ତୁ । ଗୋଟାଏ ବଡ଼ ଅବଶୋଷ ନେଇ ଲୁହ ଗଡ଼େଇ ଗଡ଼େଇ ତୁ ଚାଲିଗଲୁ !’

 

ପ୍ରଭାତ ଜନ୍ମ–

 

ଚଉଦୁଆରରେ ଏମିତି କେତେ ଭୋଗବିଳାସ ଭିତରେ ଆସି ପହଞ୍ଚିଲା ପ୍ରଭାତର ଜନ୍ମଦିନ । ମା’ ଯେ କେତେ କଷ୍ଟ ସହି ଲହୁଲୁହ ମିଶାଇ, ଅନ୍ତର ଫାଡ଼ି ପିଲାକୁ ଜନ୍ମଦିଏ , ତା’ କେବଳ ସେହି ମା’ ଜାଣେ । ପୁଅ ଯେତେ ଯାହା କଲେ ବି ମା’ ଋଣ କାଣିଚାଏ ଶୁଝି ପାରେ ନା । ସେଥିପାଇଁ ଦୁନିଆରେ ମା’ ର ଆସନ ଏତେ ଉଚ୍ଚରେ । ମୋର ମନେ ଅଛି ପ୍ରଭାତ ଜନ୍ମବେଳେ ତୁ କେତେ ବେଦନା ପାଇଛୁ–ତିନିଦିନ ତିନିରାତି ଧରି କେତେ ଅନ୍ତରଫଟା ଚିତ୍କାର କରିଛୁ । ଆଉ ମୋରି ବକ୍ଷରେ ଭରା ଦେଇ କେତେ ଅଶ୍ରୁଧାର ଗଡ଼ାଇଛୁ । ଶେଷରେ ସେ ବେଦନା ଭିତରେ ତୋତେ ନେଇଥିଲି କଟକ ଡାକ୍ତରଖାନାକୁ । ଏଠାରେ ଆମର ସେହି ପୂର୍ବ ପରିଚିତ ଉପକାରୀ ଡାକ୍ତର ବନ୍ଧୁ କେତେ ସାହାଯ୍ୟ କରିଥିଲେ । ଏତେ କଷ୍ଟ ସହି ସହି ଅଚେତା ହୋଇ ଯାଉଥିଲେ ବି ତୁ ଯେତେବେଳେ ଶୁଣିଲୁ ଯେ ପୁଅଟିଏ ହୋଇଛି, ତୋର ସେହି ନିସ୍ତେଜ ମୁହଁରେ ବି ହସ ଟିକିଏ ଫୁଟି ଉଠିଲା ।

୪-୧୨-୪୫ ଦିନ ସକାଳେ ମୁଁ ଯେତେବେଳେ ‘ଆଳି’ର ସେଇ ଡାକ୍ତରଙ୍କୁ ସାଙ୍ଗରେ ନେଇ ତୋ ପାଖକୁ ଯାଏଁ ତୁ ଏଡ଼େ ଦୁର୍ବଳ, ଶୀର୍ଣ୍ଣ ଓ ପାଣ୍ଡୁର ଦିଶୁଥିଲୁ ଯେ ମୁଁ ତୋତେ ଚାହିଁପାରିଲି ନାହିଁ । ହାତ ଉଠେଇବାର ଶକ୍ତି ନ ଥିଲା । ତଥାପି ଛୁଆଟି କାନ୍ଦି ଉଠିବାରୁ ତାକୁ ନେଇ ପହିଲି ଥର ପାଇଁ କ୍ଷୀର ଖୋଇଥିଲୁ ।.....ସେଦିନ ବାବା, ମା, ମାମା, ଦାଦା, ଆଈ, ନାନୀ–ସମସ୍ତେ କେତେ ଖୁସି ହୋଇଥିଲେ । କେତେ ବନ୍ଧୁ ନବ ଅତିଥିଟିର ଦୀର୍ଘଜୀବନ କାମନା କରି ଶୁଭେଚ୍ଛା ଜଣାଇଥିଲେ । ତୁ ଯେତେବେଳେ ତୋର ସେହି ଶୀର୍ଣ୍ଣ କରରେ ସଦ୍ୟ ଶିଶୁଟିକୁ ଆଣି ମୋତେ ଉପହାର ଦେଇଥିଲୁ ମୁଁ ଆନନ୍ଦରେ ଆତ୍ମହରା ହୋଇ ଉଠିଥିଲି ଆଉ କହିଥିଲି–‘ଏହି ଆମର ପହିଲି ସ୍ଵପ୍ନର ପହିଲି ବାସ୍ତବତା । ଜୀବନରେ ପହିଲି ପ୍ରଭାତରେ ଏ ନବାଗତ ଅତିଥିଟିର ନାମ ଦେବା ‘ପ୍ରଭାତ’...’ । ନାଁଟି ଶୁଣି ତୁ ଖୁସି ହୋଇଥିଲୁ । ସାଙ୍ଗସାଥୀ ସମସ୍ତେ ବି ନାଁଟିକୁ ପସନ୍ଦ କରିଥିଲେ । ଏକୋଶିଆ ଦିନ କେତେ ଆନନ୍ଦ ଉତ୍ସବର ଫୁଆରା ଖେଳି ଯାଇଥିଲା । ଜଳଜଳ ହୋଇ ସବୁ ଦିଶିଯାଉଛି । ଜିନବନରେ ସେ କଅଁଳ ଦିନଗୁଡ଼ିକ କେବେ ଭୁଲିବାର ନୁହେଁ ।

 

ଆଈ, ମାମା–

 

ବାବା, ମା’ଙ୍କ ଛଡ଼ା ଆଉ ଦି’ଜଣ ଆମକୁ ଖୁବ ସ୍ନେହଶ୍ରଦ୍ଧା କରୁଥିଲେ–ସେ ମାମା ଓ ଆଈ । ଆଈଙ୍କ ଭଳି ମିଳାପୀ, କଷ୍ଟସହିଷ୍ଣୁ ଓ ଦୁଃଖହାରିଣୀ ମଣିଷ ମୁଁ ଜୀବନରେ କେଉଁଠି ଦେଖି ନାହିଁ । ଜୀବନରେ ହାତଗଣନ୍ତା କେଇଟା ଦିନ ସୁଖ ଭୋଗ କରି ସେ ଅତି ଅକାଳରେ ହେଲେ ବିଧବା । ଦୁଃଖ, ଦାରିଦ୍ର୍ୟ, ଅଭାବ, ଅସୁବିଧା କୋଳରେ ସେହିଦିନୁ ବଢ଼ି ଆସିଲେ ଆଉ କେତେ କଷ୍ଟ ସହି ପାଳିଥିଲେ କଅଁଳା ଛୁଆ ଦୋ’ଟିଙ୍କୁ । ଚିରଦୁଃଖିନୀ ସେ । ଅନ୍ୟର ଦୁଃଖ ଦେଖିଲେ ତରଳି ଯାଏ । ମୋତେ ସେ କେତେ ଯେ ଭଲ ପାଆନ୍ତି ତା’ ମୁଁ ନିଜେ ବି ଜାଣେ ନା । କାନ୍ଦୁଥିଲେ କେତେ ଆଦର କରି ସେ ସେ ମୋ ଲୁହ ପୋଛି ଦିଅନ୍ତି । ପରପୁଅ ହେଲେ ବି ସେ କେବେ ପର ଦୃଷ୍ଟିରେ ଦେଖି ନାହାଁନ୍ତି ବରଂ ନିଜ ପୁଅଠୁଁ ଅଧିକ ସ୍ନେହ କରନ୍ତି–ସୁଖ ପାଆନ୍ତି । ମାମା ଆମକୁ ଆପଣା ପୁଅ ଝିଅ ବାବୁ, ବାସନ୍ତୀ ଭଳି ଦେଖନ୍ତି । ଟିକିଏ କାହାର ଦେହ ଖରାପ ହେଲେ ସେ କେତେ ଔଷଧ ଦିଅନ୍ତି–ସେବା କରନ୍ତି ।

 

ମନେ ଅଛି–ଥରେ ଗୋଡ଼ରେ ମୋର ହୋଇଥାଏ ଗୋଟାଏ ଘା’ । ସେ ପ୍ରାୟ ମାସେ କାଳ ନିତି ଆସି ଘା’ ଧୋଇ ଦେଇ ବ୍ୟାଣ୍ଡେଜ କରି ଯାଆନ୍ତି । ଏତେ ସ୍ନେହ ବାପ ଛଡ଼ା କିଏ କରିବ ? ମୁଁ କିନ୍ତୁ କୃତଘ୍ନ । ଶେଷକୁ ତାଙ୍କୁ ବି ଅପମାନ ଦେଲି । ସେ ହସିହସି ଅପମାନ ସହିଛନ୍ତି ଆଉ କେତେଥର କହିଛନ୍ତି–‘ଆମେ ଝିଅ ଦେଇ ତମକୁ ପୁଅ କଲୁ, ଆଉ ରାଗିବୁ କାହା ଉପରେ ?’....ହାୟ କୁଳାଙ୍ଗାର ମୁଁ । ଏତେ ବଡ଼ ଉଦାର ଲୋକଙ୍କ ପ୍ରାଣରେ ଶେଷରେ ଆଘାତ ଦେଲି । ଆଜି ଭାବୁଛି କିପରି ଆଉ ଏ ନିର୍ଲଜ ମୁହଁ ନେଇ ତାଙ୍କୁ ଦେଖେଇବି ଆଉ କ୍ଷମା ଭିକ୍ଷା ମାଗିବି ?

 

ବାବାଙ୍କ କଥାରେ ଆଉ ଟିକିଏ ନ କହିଲେ ଅନ୍ୟାୟ ହେବ । ବାବୁଙ୍କୁ ଦେଖିଲେ ମୋର ମନେ ହୁଏ ସେ ଯେପରି ସରଳତା ଓ ସହିଷ୍ଣୁତାର ଗୋଟିଏ ମୂର୍ତ୍ତିମନ୍ତ ଦେବତା । ଦୁଃଖକଷ୍ଟ ସହିସହି ସେ ପଥର ହେଲେଣି । ସେଥିପାଇଁ ଆଜି ତୋତେ ବାଲିଘାଟରେ ଶୁଆଇ ଦେଇ ଆସି ତାଙ୍କର ଅନ୍ତର କାନ୍ଦୁଥିଲେ ବି ମୁହଁରେ ଅଛି ଗୋଟାଏ ଫିକା ହସ । ଏତେ ସରଳ, ଅମାୟିକ ଯେ ତାଙ୍କୁ ଦେଖିଲେ ହିଁ ଭକ୍ତିରେ ମୁଣ୍ଡ ନଇଁ ଆସେ । ମୁଁ ଜୀବନରେ କେତେ ବଡ଼ ଭୁଲ କରିଛି ଏପରି ଦେବତାତୁଲ୍ୟ ପିତାଙ୍କ ପ୍ରାଣରେ ଆଘାତ ଦେଇ ତା’ ଆଜି ମୁଁ କଳ୍ପନା କରିପାରୁନି । ମା’ ମଧ୍ୟ ମୋତେ କାନ୍ଦି କାନ୍ଦି ଗାଳିବର୍ଷଣ କରୁଛନ୍ତି । ପାତକୀର ଏ ଦୀନ ହୃଦୟରେ ଆଉ କି ସମ୍ବଳ ଅଛି ସେହି ଗୁରୁଜନମାନଙ୍କର ଚରଣ ତଳେ ଥୋଇ କ୍ଷମା ଭିକ୍ଷା ମାଗିବି ?

 

ସେବା ! ମୁଁ ତ ଏପରି ନ ଥିଲି । ଏତେ କୁଳାଙ୍ଗାର ବୋଲି ତ ବାବା ମା’ ମୋତେ ଆଗରୁ ଜାଣି ନ ଥିଲେ । ବନ୍ଧୁ ମହଲରେ ମୁଁ ଆଦର୍ଶ ବୋଲି ମୋର ପ୍ରଶଂସା ଥିଲା । ଗୁରୁଜନମାନେ ମୋତେ ନିଷ୍ଠାପର, କର୍ତ୍ତବ୍ୟପରାୟଣ ବୋଲି ସବୁବେଳେ ଆଦର କରିଥାନ୍ତି । ଆଜି କାହିଁକି ଏ ଦିନ କେଇଟା ଭିତରେ ମୋର ସବୁ ଓଲଟପାଲଟ ହୋଇଗଲା ? ଆଜି କାହିକି ମୁଁ ବିଶ୍ଵ ଦରବାରରେ ଗୋଟାଏ ଅମାର୍ଜନୀୟ ଦୋଷରେ ଦୋଷୀ ହୋଇ ଦଣ୍ଡାୟମାନ ହେଲି ? ମୋର ତ ପୂର୍ଣ୍ଣ ଆସ୍ଥା ହେଉଛି–ବିଶ୍ୱାସ ହେଉଛି ତୁ ମରି ନ ଥିଲେ ମୁଁ କେବେ ଏମିତି ଅପରାଧୀ ବୋଲି ସାବ୍ୟସ୍ତ ହୋଇ ନ ଥାନ୍ତି । ସେବା ! ମଲାବେଳେ ମୋତେ ଏମିତି ଦୁନିଆ ଦୁଆରେ ଦୋଷୀ କରି ଚାଲିଗଲୁ ନା ? ଏତେ ଖଣ୍ଡା ଧାରରେ ଚାଲି ଚାଲି ଖାଲି ଟିକିଏ ବଦ୍‍ରାଗୀ ଦୋଷରୁ ମୋତେ ଆଜି ସାରା ଜଗତ ଘୃଣା କଲା–ମୋର ବାର ବରଷର ତପ ଆଜି ଶୁଖୁଆ ଝୋଳରେ ଉଭେଇଗଲା । ହଉ, ମସ୍ତବଡ଼ ଶିକ୍ଷାଟିଏ ପାଇଲି । ଜୀବନରେ ଆଉ ଏପରି ଭୁଲ କରିବି ନାହିଁ । ଚେଷ୍ଟା କଲେ ହୁଏ ତ ମୁଁ କ୍ଷମଣୀୟ ହୋଇପାରେ–ପୁଣି ଲୋକପ୍ରିୟ ହୋଇ ସୁନ୍ଦର ହୋଇପାରେ । କିନ୍ତୁ ଆଉ ତୋତେ ଫେରି ପାଇବି ନାହିଁ କି ତୋ’ ପାଖରେ ଆଉ ନିର୍ଦ୍ଦୋଷ ବୋଲି ପ୍ରମାଣ କରିପାରିବି ନାହିଁ ।

 

କେନ୍ଦ୍ରାପଡ଼ା–

 

ମନେ ଅଛି ନା ଚଉଦୁଆରରୁ ଥରେ ଯାଇଥିଲେ କେନ୍ଦ୍ରାପଡ଼ା ବଳଦେବଜୀଙ୍କ ଦର୍ଶନ ପାଇଁ ? ମୋର ପୁଜନୀୟ ଗୁରୁଦେବଙ୍କ ଘରେ ଅତିଥି ହୋଇଥିଲେ । ତାଙ୍କ ବୃଦ୍ଧ ପିତା ଆମକୁ କେତେ ଆଦର ଅଭ୍ୟର୍ଥନା କରି ଆସିବାବେଳେ କେତେ ଆଶୀର୍ବାଦ କରିଥିଲେ । ତୁ ଥିଲୁ ସେତେବେଳେ ଅନ୍ତଃସତ୍ତ୍ଵା । ତେଣୁ ବଳଦେବଜୀଙ୍କ ମନ୍ଦିର ବେଢ଼ାରେ ମାନସିକ କରିଥିଲୁ ପୁଅଟିଏ ହେଲେ ଆଉ ଥରେ ଦର୍ଶନ କରି ଆସିବୁ–ଭୋଗରାଗ କରିବୁ । କେଡ଼େ ଆନନ୍ଦରେ ସେଦିନ ରସାବଳୀ ନେଇ ଫେରିଥିଲେ ।....ସେଦିନର ଆଉ ଗୋଟିଏ ଛୋଟ ଘଟଣା ମନେ ପଡ଼ୁଛି । ମନ୍ଦିର ବେଢ଼ା ଭିତରେ ମୁଁ ଗୋଟିଏ ସଜଫୁଟିଲା ଝିଅକୁ ଟିକିଏ ଦୁଷ୍ଟାମି କରି ଚାହିଁଥିଲି ଆଉ ତୁ ସେଇଟା ଲକ୍ଷ୍ୟ କରି ମୋ ଉପରେ ଅଭିମାନ କରିଥିଲୁ–ଦୁଇଦିନ ପର୍ଯ୍ୟନ୍ତ କଥା ସୁଦ୍ଧା କହି ନ ଥିଲୁ ।....ଇଚ୍ଛାଥିଲା ପ୍ରଭାତ ଆଉ ଟିକିଏ ବଡ ହୋଇ ଯାଇଥିଲେ ଆଉ ଥରେ କେନ୍ଦ୍ରାପଡ଼ା ଯାଇଁ ବଳଦେବଜୀଙ୍କ ଚରଣ ସରୋଜରେ ମଥା ନୁଆଇଁଥାନ୍ତେ ଆଉ ମୋ ଗୁରୁଦେବଙ୍କ ପାଖରେ ଅଳି କରି ରସାବଳୀ ଖାଇଥାନ୍ତେ । ଆଜି ଗୁରୁ ଅଛନ୍ତି । ତାଙ୍କର ସ୍ନେହ, ଶ୍ରଦ୍ଧା, ଆଦର ଠିକ୍‍ ପୂର୍ବ ଭଳି ଅଛି । ରସାବଳୀ ବି ପ୍ରଚୁର ମିଳୁଛି । କିନ୍ତୁ ଏ ସବୁ ଉପଭୋଗ କରିବାକୁ ନାହିଁ ଜଣେ । ମାନସିକ ଆଜି ତୋର ଅପୂର୍ଣ୍ଣ ରହିଗଲା ।

 

ସରସ ସଂଧ୍ୟା–

 

ଏହି ସମୟରେ ହଠାତ୍ ଚଉଦୁଆରରୁ ଅଫିସ ଆସିଲା କଟକ । ମୁଁ କିନ୍ତୁ ଚଉଦୁଆର ଛାଡ଼ି ନ ଥାଏ । ଛୋଟ ପଟୁଆ ଖଣ୍ଡିଏ ଭଡ଼ା ନେଇ ମୁଁ ନିତି ସକାଳେ କଟକ ଆସି ସଞ୍ଜକୁ ଫେରିଯାଏ । ଦିନେ ଦିନେ, ମନେ ଅଛି, ନଈ ମଝିରେ ସୂର୍ଯ୍ୟ ଅସ୍ତ ଯାଆନ୍ତି । ଦୁର ନରାଜ ପାହାଡ଼ର ସବୁଜ ମଥା ଉପରେ ନାଲିରଙ୍ଗ ଉକୁଟି ଉଠେ । ପକ୍ଷୀଗୁଡ଼ା ଅପୂର୍ବ କେଳାହଳ କରି ବାସକୁ ବାହୁଡ଼ନ୍ତି । ବରଡ଼ା ଛତାରେ ଭଦଭଦଳିଆ ପର ଖୋସି ଗଉଡ଼ ପିଲା ଗାଈ ନେଇ ନଈପଠାରୁ ଗାଁକୁ ଫେରେ । କେଉଁ ଦୂର ଦେଶର ବାଟୋଇଟି ଗୁଗୁଚିଆ ଡରେ ଲୁଗା ଟେକି ଟେକି ନଈ କୁଳେକୁଳେ ଫେରି ଯାଉଥାଏ ଘରକୁ । ମୋ ଛୋଟ ପଟୁଆଟି ଖୁବ୍ ଧୀରେ ଧୀରେ ଚଳଉଥାଏ ଭିକା । ମନଟା ମୋର କିନ୍ତୁ ଥାଏ ଖୁବ୍ ଚଞ୍ଚଳ । ଦିନଟା ଯାକର କାମ ସାରି ସମସ୍ତେ ଫେରୁଛନ୍ତି ଘରକୁ । ଆଉ ମୁଁ ବି ଦିନସାରା ଖଟି ଖଟି ଟିକିଏ ବିଶ୍ରାମ ନେବାକୁ ଫେରିଯାଉଛି ମୋ ପ୍ରିୟା କୋଳକୁ । ଏଥିରେ ମନ ଉଚ୍ଛନ୍ନ ହେବ ନି ? ମନ ଖୁସିରେ ଗାଉଥାଏ କବିଚନ୍ଦ୍ରଙ୍କର ସେହି ଅପାସୋରା ଗୀତ କେଇ ପଦ–

 

“ଆଖିରେ ତା’ର ମତ୍ତ ଅଳି ଗୋ ଘୁମାଏଁ ମଧୁ ଲୋଭେ

ଯୌବନ ତା’ଚରଣ ତଳେ ନାଲି ମୁଖେ ଚୁମ୍ବେ ।

ସାତମହଲା ଘରେ ଜଳେ ମଣିଦୀପ ତା’ର

ସପନପୁରୀ–ସରଗପରି–ଗୁନ୍ଥେ ବରଣ ହାର ।’’

 

.....ଏମିତି ସୁଖ ଆନନ୍ଦରେ ଉବେଇ ଟୁବେଇ ହୋଇ ଡଙ୍ଗା ମୋର କୁଳରେ ଲାଗେ । ଆଜି ସେ ସବୁ ଭାବିଲା ବେଳକୁ ଛାତିଫଟା ହାହାକାର ଉଠୁଛି । ରକ୍ତ ଝରି ଆସୁଛି ଆଖିବାଟେ ।।

 

ଆମ ଗାଁ–

 

ଚଉଦୁଆରର ସାଙ୍ଗସାଥୀ, ଖୋଲା ପବନ, ବିରୂପା ନଈ, ଆଈଙ୍କ ହାତତିଆରି ପିଠା, ମାଇଁଙ୍କ ହାତରନ୍ଧା ମାଂସ ତରକାରୀ, ମାମାଙ୍କ ସ୍ନେହଶ୍ରଦ୍ଧା, ଭାରତ–ସେବକ–ସମିତିର ଉପାଦେୟ ପୁସ୍ତକ ଆଉ ଶେଷରେ ଆମର ସେହି ଶତସ୍ମୃତିଭରା ବସାଟିକୁ ଛାଡ଼ି ଦିନେ ଆମେ ଫେରି ଆସିଲେ ଆମର ଏହି ପଲ୍ଲୀ ଗାଁର ଦୀନ କୁଟୀରକୁ । ଭାବିଥିଲି ପିଲାଟି ଦିନୁ ତୁ ସହର ଭୋଗ ବିଳାସ କୋଳରେ ବଢ଼ି ଆସିଛୁ–ହୁଏତ ଆମର ଏହି ମଫସଲ ଗାଁର ମାଟିଘରେ ଚଳି ପାରିବୁ ନାହିଁ । କିନ୍ତୁ ଦେଖିଲି ତୁ କେଡ଼େ ଆନନ୍ଦରେ ଆମ ଘରର ମୋଟା ବଗଡ଼ା ଭାତ ଖାଇଛୁ । ନିଜ ହାତରେ ବାଡ଼ିରେ ଜହ୍ନି, ଭେଣ୍ଡି, କଖାରୁ, ବାଇଗଣ ଲଗେଇ ବରଷଟାଯାକ ତରକାରି ଖର୍ଚ୍ଚ ଚଳେଇଛୁ । ତୁଚ୍ଛା ଶାଗଭଜା ଦେଇ କେତେ ଥର ହସିହସି ପଖାଳ ଭାତ ଖାଇଛୁ । ତୋତେ ସୁଖୀ କରିବାପାଇଁ ମୁଁ ମାଟିଘରକୁ ପକା କରିଛି । ବାପା ଯାହାକୁ ଅଧା କରି ଯାଇଥିଲେ ମୁଁ ତା’ର ଚୁଳି ମାରିଛି । ସବୁ ଆଜି ଅଛି । କିନ୍ତୁ ଯିଏ ଭୋଗ କରିବ ବୋଲି ଏତେ କଷ୍ଟ କରି ସବୁ ତିଆରି କଲି ସେ ଚାଲିଯାଇଛି । ଘର, ଦୁଆର, ବାଡ଼ିବଗିଚା ସବୁ ଆଜି ଖାଁ ଖାଁ ଗୋଡ଼ଉଛି ।

 

ଫୁଲକୁ ତୁ ଭଲ ପାଉ । କେତେ ଜାତିକା ଫୁଲ ଆଣି ମଥାରେ ଖୋସୁ, ବେଣୀରେ ବାନ୍ଧୁ । ଆଉ ସେହି ଫୁଲକୁ ଦେଖି ଏ ଭଅଁର ପାଗଳ ହୁଏ । ଗାଁରେ ଫୁଲ ମିଳିଲା ନାଇଁ ବୋଲି ଉଲା ହାତରେ ଏଠୁ ସେଠୁ କେତେ ଜାତିକା ଫୁଲ ଆଣି ବଗିଚାରେ ଲଗାଇଛୁ । ଆଜି ମୋର ସେ ଛୋଟ ବଗିଚାଟିରେ ତୋ’ ହାତଲଗା ତରାଟ, ଟଗର, ମଲ୍ଲୀ, ହେନା ଇତ୍ୟାଦିର ଗଛ ବଡ଼ ହୋଇ ଫୁଲ ଫୁଟିଲାଣି । କେଡ଼େ କେଡ଼େ ଥୋପା ଗେଣ୍ଡୁଫୁଲ ଫୁଟି ବଗିଚା ଆଜି ଫାଟି ପଡ଼ୁଛି । ତୁ ଥିଲେ କେତେ ଶରଧାରେ ଫୁଲ ଆଣି ମଥାରେ ଖୋସୁଥାନ୍ତୁ , ଗେଣ୍ଡୁଫୁଲର ହାର କରି ଘରଯାକ ସଜାଉଥାନ୍ତୁ । ପାଚିଲା ପପୟା ତୋତେ ଭଲ ଲାଗେ ବୋଲି ମଞ୍ଜି ପୋତିଥିଲୁ । ଆଜି ଗଛ ବଡ଼ ହୋଇ କେତେ ଫଳ ଫଳିଲାଣି । କିନ୍ତୁ କିଏ ଖାଇବ ? ବଗିଚାର ଶିରୀ ଆଜି ତୋ’ ପଛେ ପଛେ ତୁଟିଯାଇଛି । ଫୁଲଗଛ ମରିଯାଉଛି । ପାଣି ଦେଉଛି କିଏ ? ଆଉ ପାଣି ଦେଇ ଫୁଲ ଫୁଟାଇଲେ ବି ଫୁଲ ମୋର ହବ କ’ଣ ? ପିନ୍ଧିବ କିଏ ?–“ଉଡ଼ି ଯାଇଛି ଶାରୀ, ପଡ଼ିଛି ଆଜି ଖାଲି–ଖାଲି ଶୂନ୍ୟ ପଞ୍ଜୁରୀ...”

 

ତୋ’ ସ୍ନେହ–

 

ପିଲାଟିଦିନୁ ମଫସଲ ଗାଁରେ ବଢ଼ି ଆସିଥିଲେ ବି ଚଉଦୁଆରର ବାବୁଗିରି ମୋର ପୁରା ଛାଡ଼ି ନ ଥାଏ । ମୁଁ ଅଫିସକୁ ଯିବା ପୂର୍ବରୁ ପ୍ୟାଣ୍ଟ, ସୁଟ୍ ପିନ୍ଧି ଚେୟାରରେ ବସି ଖାଏ । ଆଗରେ ଆଉ ଗୋଟିଏ ଚେୟାରରେ ଭାତ ତରକାରୀ ଦେଇ ତୁ ପାଖରେ ଠିଆ ହୋଇ ବିଞ୍ଚି ଦେଉ ଆଉ ଏଇଟା ଖାଅ ସେଇଟା ଖାଅ ବୋଲି କେଡ଼େ ଶରଧାରେ କହୁ । ଭାତ ଖାଇସାରି ମୁଁ କିଛି ଫଳ ଖାଇବାକୁ ଭଲ ପାଏ । କିନ୍ତୁ ଗରିବ ଘର ଆମର, କମଳା ବେଦାନା ତ ଆମେ ପାଉନା । ବାଡ଼ିରେ ଫଳିଥିବା ପାଚିଲା ନେୱା, କାକୁଡ଼ି, କଦଳୀ, ଆମ୍ବ, ଅମୃତଭଣ୍ଡା–ଯୁଆଡ଼ୁ ହେଲେ କିଛି ଖାଇବା ସାଙ୍ଗକୁ ସଜାଇ ରଖିଥାଉ ।...ଆଜି ସେହି ଚେୟାର୍ ଅଛି । ଯୋଉ ବଡ଼ ବାଲେଶ୍ଵରୀ ଥାଳିରେ ମୁଁ ଖାଇବାକୁ ଭଲପାଏ ସେଇଟି ବି ଅଛି । ବାଡ଼ିରେ ହୁଏତ ନେୱା, କାକୁଡ଼ି ଫଳୁଛି । କିନ୍ତୁ ଆଉ ଖାଇବାରେ ସ୍ପୃହା ନାହିଁ, ତୃପ୍ତି ନାହିଁ । ଶାନ୍ତି ନାହିଁ କି ସରାଗ ନାହିଁ, ସବୁ ବାବୁଗିରି ସରି ଯାଇଛି ମୋର ।

 

ମୁଁ କେତେ ଝିଅଙ୍କ ହାତରନ୍ଧା ଖାଇଛି । କିନ୍ତୁ ଆମରି ସ୍ତରର କୌଣସି ଘରର ଝିଅ ଏତେ ଭଲ ରାନ୍ଧି ଜାଣେନା ଯା’ ତୁ ଜାଣୁ । ବାହାଦୁରି କରୁନାହିଁ, ପ୍ରକୃତରେ କଥାଟି ସତ । ତୁ ଖୁବ୍‍ ଭଲ ମାଂସ ରାନ୍ଧୁ । ତୋ ହାତର ଅଣ୍ଡାଭଜା, ମାଛ ଚଡ଼ିଚଡ଼ି ମୋତେ ଭାରି ଭଲ ଲାଗେ । ଗୁଲିପିଠା, ଚାଉଳଅଟା ରୁଟି, ଖେଚେଡ଼ି, ଆଳୁଦମ୍‍–ଦିନକୁଦିନ କେତେ କେତେ ନୂଆ ପ୍ରକାରର ତୁ ତିଆରି କରୁ । ପଇସା ବେଶୀ ଖର୍ଚ୍ଚ ହେଉଛି ବୋଲି ମୁଁ ତୋ ଉପରେ ବାହାରେ ବିରକ୍ତ ହୁଏ ସିନା ମନ ଭିତରେ କିନ୍ତୁ ଏଡ଼େ ସୁନ୍ଦର ରାନ୍ଧଣା ପାଇଁ ପ୍ରଶଂସା କରେ । କେଡ଼େ ଶରଧାରେ ତିଆରି କରି ତୁ ନିଜ ହାତରେ ମୋତେ ଖୋଇ ଦେଉ । ସବୁ ଖାଇ ସାରି ପାମ୍ପଡ଼ ଭଜା ଖଣ୍ଡେ ନ ଖାଇଲେ ତୁ କେତେ ଘୋଷା ହେଉ ।.... ଥରେ ମନେ ଅଛି–ହାତରେ ମୋର ଗୋଟିଏ ବଥ ହୋଇଥାଏ । ମୁଁ ନିଜେ ନିଜେ ଗାଧୋଇ ଖାଇ ପାରୁ ନଥାଏ । ତୁ କେତେ କଷ୍ଟ କରି କୁନି ପୁଅ ପରି ମୋତେ ଗାଧୋଇ ଦେଇଛୁ , ହାତରେ ଖୋଇ ଦେଇଛୁ । ସେ ସବୁ ମନେ ଅଛି–ମନେ ଥିବ ମଶାଣି କୋଳରେ ମିଳେଇ ଯିବା ଯାଏ ।

 

ଆଖି ଲୁହ–

 

କେତେଥର ମୁଁ ବନ୍ଧୁମାନଙ୍କୁ କହିଛି ଯେ ମୁଁ ପୁରୁଷ ହେଲେ ବି ମୋ ହୃଦୟ ଗୋଟିଏ ନାରୀର ହୃଦୟ । (I am a man with a woman’s heart) ଟିକିଏ ସାମାନ୍ୟ ଆଘାତ ପାଇଲେ, କେଉଁଠୁ ଟିକିଏ ସାମାନ୍ୟ କଡ଼ାକଥା ଶୁଣିଲେ ମୁଁ କାନ୍ଦି ପକାଏ । ତୁ ଟିକିଏ ଅବାଧ୍ୟ ହେଲେ ମୁଁ ଗାଳିଦିଏ ଆଉ ମନକୁ ମନ କାନ୍ଦେ । ମୋ ଆଖିରେ ଲୁହ ଦେଖିଲେ ତୋ’ର ସବୁ ରାଗ, ରୁଷା, ଅଭିମାନ ଘଡ଼ିକେ କୁଆଡ଼େ ଉଭେଇଯାଏ । ତୋ ଦୋଷ ପାଇଁ କେତେ କ୍ଷମା ମାଗୁ ଆଉ କୋଳରେ ବସାଇ ମୋର ସେ ଲୁହଧୁଆ ମୁହଁଟିରେ ମୁହଁ ରଖି କେତେ ସାନ୍ତ୍ଵନା ଦେଉ । ଅଞ୍ଚଳ କାନିରେ ଲୁହ ପୋଛି ଦେଉଁ ଦେଉଁ ତୁ ବି ବେଳେବେଳେ କାନ୍ଦି ଉଠୁ । ମନେ ଅଛି କେତେଥର କେତେ ରାତି ଆମେ ଏମିତି ଦୁହେଁ ଏହି ଖଟ ଉପରେ ଶୋଇ ଶୋଇ କାନ୍ଦିଛେ । ନାନୀ ଜାଣିବ ବୋଲି ତୁ ମୋ ପାଟିରେ ହାତ ଦେଇ କେତେ କାକୁତି ମିନତି କରି କହୁ–‘ଛି ମୋ ରାଣ, ମୋ ମୁଣ୍ଡ ଖାଆଟି , ଆଉ କାନ୍ଦ ନାହିଁ’ ....ମୁଁ ଆଖି ପୋଛେ । ଏଣୁତେଣୁ କଥା କହି ପୁଣି ମୋତେ ହସାଉ । ସବୁ ଅଭିମାନ ଭୁଲି ମୁଁ ପୁଣି ତୋତେ ଚୁମା ଦିଏ । ଘୁମାଇଁ ପଡ଼େ କୋଳରେ ତୋ’ର ।

 

ଫଟୋ ଉଠା–

 

ଥରେ ସମୁଦିଙ୍କୁ ଡାକି ଆଣିଥିଲି ଘରକୁ ଆମର ଫଟୋ ଉଠାଇବା ପାଇଁ । ସମୁଦି ଭାରୀ ମିଳାପୀ ଲୋକ । ଘଡ଼ିକେ ତୋତେ ସମୁଦୁଣୀ କରିନେଇ ଥଟ୍ଟା କରିବା ଆରମ୍ଭ କରିଦେଲେ । ତୁ, ମୁଁ, ଦାଦା, ପିଉସା, ନାନୀ, ବୋଉ, ହରି, ହରେକୃଷ୍ଣ ଭାଇ, ଉଲା, ଟିମ, ରେବ, ଦୁଃଖୀ–ସମସ୍ତେ ମିଳି ଗୋଟିଏ ଗ୍ରୁପ୍ ଫଟୋ ନେଇଥିଲେ । ଫଟୋ ନେବାର ମୋର ଉଦ୍ଦେଶ୍ୟ ଥିଲା ଯେ କିଏ କେଉଁଦିନ ମରିଯିବ ତା’ ଛବିଟା ଅନ୍ତତଃ ଆମେ ସାଇତି ରଖି ପାରିବା । କିନ୍ତୁ ଏଡ଼ିକି ଭାଗ୍ୟ ଖରାପ ଯେ ଏମାନଙ୍କ ଭିତରୁ ଆଗ ମଲା ରେବ, ତା’ପରେ ତୁ । ଯୋଉମାନେ ରହି ଘର କରିଥାନ୍ତେ , ଯୋଉମାନଙ୍କୁ ନେଇ ଘର ମୋର ପୁରି ଉଠୁଥିଲା ଆଉ ଯୋଉମାନେ ଭବିଷ୍ୟତରେ ମୋ ଅଦିନରେ ସାହାଭରସା ହୋଇଥାନ୍ତେ, ସେଇମାନେ ଆଗତୁରା ଚାଲିଗଲେ । ମୁଁ ତ ସ୍ଵପ୍ନରେ ବି ଦିନେ ଭାବି ନ ଥିଲି ଯେ ତୁ ଏତେଶୀଘ୍ର ଚାଲିଯିବୁ । ତା’ ହୋଇଥିଲେ ଗୋଟିଏ କାହିଁକି କେତେ କେତେ ସୁନ୍ଦର ଫଟୋ ତୋ’ର ସାଇତି ରଖିଥାଆନ୍ତି । ସମୁଦି ଆଜି ତୋ ଫଟୋ ଦେଖିଲେ ନିଶ୍ଚୟ ଦୁଃଖ କରିବେ । ଆଉ ସମୁଦୁଣୀଙ୍କୁ ସେ ଦଣ୍ଡବତ ଜଣାଇ ପାରିବେ ନାହିଁ–ଖାଲି ‘ବାବୁ’ କଥା ଯାହା ପଚାରିବେ ।

 

ହୁଣ୍ଡାରାମ–

 

ମନେ ଅଛି ନା ତୋ’ର ସେ ଆଠଗଡ଼ିଆ ହୁଣ୍ଡାରାମ କଥା ? କେତେଥର ତୋ ଆଗରେ କହିଛି ତା’ ଅସଭ୍ୟ ଚଉପଦୀ ସବୁ । ଲୋକଟାର ପେଟ ଭିତରେ କିଛି ନାହିଁ । କିନ୍ତୁ ମୁହଁରେ ଯାହାକୁ ତା’କୁ ଦେଶକାଳ ପାତ୍ର ନିର୍ବିଶେଷରେ ଶଳା ଠାରୁ ଆରମ୍ଭ କରି ମାଇପ....ପର୍ଯ୍ୟନ୍ତ ଚଳେଇ ଥିବ । ମୋତେ କେତେ ଥଟ୍ଟା କରି କହେ.... ‘ଶଳା ! ମାଇପକୁ ଭଡ଼ା ଲଗେଇ ଏଠି ଚାକର କରିଛୁ । ଗୁଡ଼ିଆଣୀକୁ ପଚାରିବୁ ତ ପରିଆ (ପ୍ରଭାତ) ବାପ କିଏ ?’ ମୁଁ ପ୍ରତିବାଦ କଲେ ସେ କହେ–‘ଆବେ । ମନ ଜାଣେ ପାପ, ମା’ ଜାଣେ ବାପ, ତୁ ଶଳା ମାଇଚିଆ କ’ଣ ବୁଝିବୁ ?’ ତୁ ତା’ କଥା ଶୁଣି ହସିହସି ଗଡ଼ିଯାଉ । କହୁ–‘ଏଡ଼େ ଫାଜିଲ ସିଏ । ଏଡ଼େ ବଜାରୀ । ତାଙ୍କ ‘ସୁଜି’ ତା’ ହେଲେ ତାଙ୍କର ନୁହେଁ ?.....ଥରେ ହୁଣ୍ଡାରାମ ପାଇଁ ତୁ ପରଟା ମାଂସତରକାରୀ କରି ପଠାଇଥିଲୁ । ସେ ଖାଇ କେତେ ଖୁସି ହୋଇଥିଲା । ତୋର ପ୍ରଶଂସା କରିବାକୁ ଯାଇଁ ମୋର ଚଉଦପୁରୁଷ ଉଝାଳିଥିଲା । ଏତେବଡ଼ ଫାଜିଲ୍ ଲୋକଟା ବି ଆଜି ତୋ’ ଖବର ଶୁଣି ଦୁଃଖ କରିଛି–ଲୁହବୋଳା ଚିଠି ଲେଖିଛି ମୋ ପାଖକୁ ।

 

ନାହାକ ପାଞ୍ଜି–

 

ପଦ୍ମପୁରର ବୁଢ଼ା ନାହାକ ଜଣେ ଆମ ଘରକୁ ଆସିଲେ ତୁ ଖିଆପିଆ ଛାଡ଼ି ଦେଇ ତା’ କଥା ଶୁଣୁ । ତା’କୁ ହାତ ଦେଖେଇ ଜାତକ ଦେଖେଇ ତୁ ଭବିଷ୍ୟତର ସୁଖଶାନ୍ତି, ପିଲାପିଲିଙ୍କ କଥା ଜାଣିବାକୁ କେତେ ଉତ୍କଣ୍ଠିତ ହେଉ । ମୁଁ ଯେତେ ମନା କଲେ ବି ତୋ’ର ତା’ କଥାରେ ପୂର୍ଣ୍ଣ ବିଶ୍ଵାସ । ସେ କହିଥିଲା–‘ତୁ ପଚାଶ ବରଷ ଯାଏ ବଞ୍ଚିବୁ । ତୋ’ର ଚାରୋଟି ପୁଅ ଓ ଦୁଇଟି ଝିଅ ହେବ । ବଡ଼ ମଝିଆ ଭାରି ଯୋଗା ହେବ ଏବଂ ତା’କୁ ବାବା ନେଇ ରଖିବେ ।...’ ଏମିତି କେତେ କ’ଣ । ମୁଁ କହିଛି–‘ନାହାକ ପାଞ୍ଜି–ଆମ୍ବର ବଉଳ, ମାଛର ମଞ୍ଜି–କେତେ ସତ କେତେ ମିଛ । ‘ତୁ କିନ୍ତୁ ମୋ କଥା ନ ଶୁଣି ତା’ କଥାକୁ ବେଦବାକ୍ୟ ମଣି ପୁଅଝିଅ ନାଁ ବାଛୁଥାଉଁ । କେଡ଼େ ଶରଧାରେ ଚାରିପୁଅଙ୍କ ନାଁ ବାଛିଥିଲୁ–ପ୍ରଭାତକୁମାର, ଅଶୋକକୁମାର, ଶରତକୁମାର, ସାଗରକୁମାର ଆଉ ଝିଅମାନଙ୍କ ନାଁ–ମେଘମାଳା, ମଣିମାଳା । ଏଡ଼େ ସୁନ୍ଦର ନାଁ ସବୁ ଶୁଣି ଅବଶ୍ୟ ମୁଁ ଖୁସି ହୋଇଥିଲି । କିନ୍ତୁ ଏ ସବୁଥିରେ ମୋର ବିଶ୍ୱାସ ଥିଲା ଖୁବ୍ କମ୍ । ଯାହାହେଉ ନାହାକ ସବୁ ସତ ହେବ ବୋଲି ଖଡ଼ି ପକାଇ ଶ୍ଳୋକ ପଢ଼ି ଗଛରୁ ତୋଳି ଆଣିବା ଭଳି କହିଥିଲା । ଆଉ ତୋ’ଠୁ ଚାଉଳ, ପଇସା ନେଇଥିଲା । କିନ୍ତୁ ଆଜି ପୁଅଝିଅ ତ ଦୂରର କଥା ମୁଳଗଛ ବି ଉପୁଡ଼ି ପଡ଼ିଲା । ଦୁଃଖିନି ! ମୋର ପୁଅଝିଅ ଲୋଡ଼ା ନଥିଲା କେବଳ ତୁ ଯଦି ଥାଆନ୍ତୁ ।

 

ବାଲେଶ୍ୱରରେ ପୂଜା

 

୧୯୪୬ ରେ ବାବା, ମା’ କେଡ଼େ ଶରଧାରେ ଆମକୁ ପୂଜା ଦେଖିବାକୁ ବାଲେଶ୍ଵର ଡକାଇଥିଲେ । ତୋତେ, କୁନିଆ ଓ ପିସାଙ୍କୁ ନେଇ ମୁଁ ପୁଜାଛୁଟିଟା ସେଥର ସେଇଠି କଟେଇଥିଲି । ତାଙ୍କୁ ଆଗରୁ ଖବର ନ ଦେଇ ଆମେ ହଠାତ୍ ଯେତେବେଳେ ଯାଇଁ ମା’ଙ୍କ ପାଖରେ ପହଞ୍ଚୁ , ସେତେବେଳେ ଆନନ୍ଦରେ ତାଙ୍କ ଗୋଡ଼ ତଳେ ଲାଗି ନ ଥିଲା । ସେ ଆଠଟିଦିନ ଆମକୁ କେତେ ନୂଆ ନୂଆ ଜଳଖିଆ, ଖିରିପୁରି କରି ଖୋଇଥିଲେ । କେତେ ଦାମିକା ଶାଢ଼ୀ, ଲୁଗା ଆମକୁ ପିନ୍ଧାଇ ବାବା, ମା’ ଖୁସି ହୋଇଥିଲେ । ମୁଁ ସେଥିରେ ଚାନ୍ଦିପୁର ବୁଲିଯାଇଁ ନୀଳ ସାଗରର ଉତ୍ତାଳ ତରଙ୍ଗମାଳା ଦେଖି ଆସିଥିଲି । ପୁଣି ରେମୁଣା ଯାଇଁ କ୍ଷୀରଚୋରା ଗୋପୀନାଥଙ୍କର ଚରଣ ଦର୍ଶନ କରିବା ସଙ୍ଗେ ସଙ୍ଗେ ସାନଶାଳୀ ଓ ସଢ଼ୁଙ୍କର ଅତିଥି ହୋଇଥିଲି । ପୂଜାର ହଟ୍ଟଗୋଳରେ ଆଠଟିଦିନ ବେଶ ଆରମରେ କଟିଥିଲା ।

 

ଏ ବର୍ଷ ପୂଜାକୁ ବି ବାବା ନିମନ୍ତ୍ରଣ କରିଥିଲେ । ମୋର ଇଚ୍ଛା ଥିଲା ଏବର୍ଷ ଖାଲି ନିଜେ ସୁଖ ଆନନ୍ଦ ନ କରି ବାବାଙ୍କୁ କହି ଗୋଟିଏ କାଙ୍ଗାଳ ଭୋଜନ କରାଇଥାନ୍ତି । ତମ ପରିବାରର ସମସ୍ତଙ୍କୁ ନେଇ ଗୋଟିଏ ଗ୍ରୁପ ଫଟୋ ଉଠାଇବାର ଇଚ୍ଛା ବି ଥିଲା । ସେଇଟି ଭବିଷ୍ୟତରେ ସମସ୍ତଙ୍କର ସ୍ମୃତି ମନେ ପକାଇଥାନ୍ତା । କିନ୍ତୁ ପୂଜା ପୂର୍ବରୁ ତୁ ବେମାର ପଡ଼ିଲୁ । ମୋର ସବୁ ଆଶା ମୂଳରେ ତୀବ୍ର କୁଠାରାଘାତ ହେଲା । କାଙ୍ଗାଳ-ଭୋଜନ ତ କରିବାର ସୁଯୋଗ ପାଇଲି ନାହିଁ ବରଂ ଆଜି ବସିବସି ତୋର ଶୁଦ୍ଧିକ୍ରିୟା କରୁଛି !!

 

ତୋ ଘରକରଣା–

 

ଘର ସଫାସୁତୁରା କରି ଜିନିଷପତ୍ର ସଜାଇ ରଖିବାରେ ତୁ ଅତି ନିପୁଣା । କେତେଥର ‘ଆଦର୍ଶ ଗୃହିଣୀ’ ‘ଗୃହଲକ୍ଷ୍ମୀ’, ‘ରନ୍ଧନ ପ୍ରଣାଳୀ’ ପ୍ରଭାତ ବହି ଆଣି ତୋତେ ପଢ଼ିବାକୁ ଦେଇଛି । ପ୍ରକୃତରେ ତୁ କ୍ରମେ କ୍ରମେ ସୁଗୃହିଣୀ ହୋଇ ଆସୁଥିଲୁ । ପ୍ରଥମେ ତୁ ଅମିତବ୍ୟୟୀ ଥିଲେ ବି ଆମ ଅଭାବ ଅସୁବିଧା ବୁଝି, ପାରିପାର୍ଶ୍ଵିକ ଅବସ୍ଥାକୁ ଚାହିଁ ପରେ ନିଜକୁ ସଜାଡ଼ି ନେଇଥିଲୁ । ଆଜି କାନ୍ଥଯାକ ଯେ ଏସବୁ ଫଟୋ ସୁସଜ୍ଜିତ ହୋଇ ଟଙ୍ଗା ହୋଇଛି ସେ ସବୁ ତୋ’ରି ହାତର କରଣି । ଆଲମାରି, ବାକ୍‍ସ, ଟ୍ରଙ୍କ–ସବୁଆଡ଼େ ତୁ ସାଇତି ଯାଇଥିବା ଛୋଟବଡ଼ କେତେ ଘରକରଣା ଚିଜ ଥୁଆ ହୋଇଛି । ଦରିଦ୍ର ମୁଁ–ରିଷ୍ଟୱ୍ୟାଚ୍ କିଣିବାର ଶକ୍ତି ମୋର ନ ଥିଲା । ତୁ କେତେ ବୁଝାଇ ଜୋର କରି ଟାଇମ୍‍ପିସ୍‍ଟିଏ ଚଉଦୁଆରରେ କିଣାଇ ଦେଇଥିଲୁ । ସେଇଟି ଆଜିପର୍ଯ୍ୟନ୍ତ ଅଛି । ଟିକ୍‍ଟିକ୍ କରି ସମୟ ଗଡ଼ି ଗଡି ଚାଲିଛି । ମୋର ଭଙ୍ଗା ସାଇକେଲଟିରେ ଅସୁବିଧା ହେଉଥିବାର ଦେଖି ତୁ ବାବାଙ୍କଠାରୁ ଟଙ୍କା ଆଣି ଏ ବି.ଏସ୍‍.ଏ ଗାଡ଼ିଟା କିଣାଇ ଦେଇଥିଲୁ । କାମ ନ ଥିଲା ବେଳେ ବସି ବସି କେତେ ରୁମାଲ କରି ଦେଇଯାଇଛୁ । ଶାଢ଼ୀ ଧଡ଼ିରେ ଗୋଟିଏ ତକିଆଖୋଳ ତିଆରି କରିଛୁ ଆଉ ଫୁଲ ପକାଇ ଗୋଟିଏ ସୁନ୍ଦର ଟେବୁଲକ୍ଳଥ କରି ଯାଇଛୁ । ତା’ ଛଡ଼ା ଗୋଟିଏ ସେଫ୍‍ଟି–ରେଜର ଓ ଚେନ୍‍ଲଗା ସୁନା ବୋତାମ ସେଟ୍ ମୋ ପାଇଁ ବାବାଙ୍କୁ କହି ବାଲେଶ୍ୱରରୁ ଆଣିଥିଲୁ ।

 

ଏହି ସ୍ନେହ ଦରଦମିଶା , ଉପହାର ସବୁ ଏବଂ ସର୍ବୋପରି ବିବାହ–ବେଦୀରେ ପାଇଥିବା ଶତସ୍ମୃତି ବୋଳା ସୁନାମୁଦିଟି ମୋତେ ତୋ’ କଥା ବାରମ୍ବାର ମନେ ପକାଇ ଦେଉଛି । ଏହି ଛୋଟବଡ଼ ଜିନିଷଗୁଡ଼ିକ ମୁଁ ଚିରଦିନ ଆଦରରେ ସାଇତି ରଖିବି ଏବଂ ତା’ରି ଭିତରେ ତୋ’ ସ୍ନେହ, ସହାନୁଭୂତି, ଭକ୍ତ, ପ୍ରୀତି କିଆଇ ବଞ୍ଚେଇ ରଖିବି ।

 

ତୋ’ ଅପୂର୍ଣ୍ଣ ଆଶା–

 

ତୁ ଏତେ ଜିନିଷ ଦେଇଥିଲେ ବି ମୁଁ ତୋର କୌଣସି ଇଚ୍ଛା ପୁରଣ କରି ପାରି ନାହିଁ । କେତେ ଆଗ୍ରହରେ ତୁ ମାଗିଥିଲୁ ଗୋଟିଏ ବଡ଼ ଅଇନା । ଆମ ଶୋଇବା ଘରେ ଟେବୁଲ୍ ଆଗରେ ରଖିଥାନ୍ତୁ ଆଉ ତା’ରି ଆଗରେ ବସି ବସି ତୋ’ର କୃଷ୍ଣ କେଶରେ ଜୁଡ଼ା ବାନ୍ଧି ଫୁଲ ଖୋସିଥାନ୍ତୁ–ପୁଣି ମୋ କୋଳରେ ବସି ମୋ ଛାତି ଉପରେ ମୁହଁ ରଖି ସେହି କାନ୍ଥଟଙ୍ଗା ବଡ଼ ଅଇନାଟିରେ ଏ ଅପୂର୍ବ ରାଧାକୃଷ୍ଣ ବେଶ ଦେଖି ଖୁସି ହୋଇଥାନ୍ତୁ । ମୁଁ ମୋର ଜଣେ ମୁସଲମାନ ବନ୍ଧୁଙ୍କୁ କଲିକତାରୁ ଅଇନାଟିଏ ଆଣିବାକୁ କହିଥିଲି । କିନ୍ତୁ ଟଙ୍କା ଅଭାବରୁ ପୁଣି ମନା କରିଦେଲି । ଗରିବର ମନୋଭାବ ଯୋଉଠି ଉଦୟ ସେଇଠି ଅସ୍ତ । ତୁ ଯେତେ ଅଳି କଲେ ବି, ଦରିଦ୍ର ମୁଁ, ତୋ ଆଶା ପୂର୍ଣ୍ଣ କରି ପାରିଲି ନାହିଁ ।

 

ଆଉ ଥରେ କହିଥିଲୁ ଗୋଟିଏ ଭଲ ଫଟୋ ଉଠେଇବାକୁ । କଟକ ଯାଇଁ ଉଠେଇବା କହି ମୁଁ ପ୍ରକୃତରେ ମଠେଇ ଦେଇଥିଲି । ପ୍ରଧାନ କଥା–ଚିରା ଖାଳେଇରେ ମୋର କଉଡ଼ି ରହେନା । ଥରକ ପାଇଁ ବି ତୋତେ ସିନେମା, ଥିଏଟର ନେଇ ପାରି ନାହିଁ । ଚନାଚୁର୍‍ ଖାଇବାକୁ ତୁ କେତେ ଭଲ ପାଉ । ନିତି କଟକ ଗଲାବେଳେ ଚନାଚୁର୍‍ ଆଣିବାକୁ ପଇସା ଦେଉ । ମୁଁ କିନ୍ତୁ ସେ ପଇସାରେ ତୋ ପାଇଁ ଚନାଚୁର୍ ନ ଆଣି ନିଜ ପେଟକୁ ଚା, ପକଡ଼ି କିଣି ଖାଏ । କିରାଣୀ ଜୀବନରେ ଅଭାବର ମାତ୍ରାଟା ଯେ କେତେ ବେଶୀ ତା’ ଅନୁଭବୀ ଛଡ଼ା ଆଉ କିଏ ବୁଝିବ ? ପୁଣି ମୋ ଉପରେ ଘରଗୋଟାକର ଭଲମନ୍ଦର ସବୁ ଦାୟିତ୍ଵ । ଛ’ସାତ ପ୍ରାଣୀ କୁଟୁମ୍ଭ ମୋ’ରି ବେକରେ ସବୁଦିନେ ବନ୍ଧା । ସେଥିରେ ପୁଣି ଆମ ଗରିବଗୁଡ଼ାଙ୍କ ପାଇଁ ରୋଗବଇରାଗ ଆଗରୁ ସାଇତା ହୋଇ ରହିଛି । ଏମିତି ହଇରାଣ ହରକତ ହୋଇ ବଡ଼ ଟାଣିଟୁଣି ହେଇ ମୁଁ ଚଳେ ।

 

ନୂଆନୂଆ ଶାଢ଼ୀରେ ତୋ’ର ଭାରି ଶରଧା । କେତେଥର କହିଛୁ ତୋ ସାନଭଉଣୀ ପିନ୍ଧିବା ଭଳି ଖଣ୍ଡିଏ ସିଲିକ୍ ଶାଢ଼ୀ ଅଣିବାକୁ । କିନ୍ତୁ ସିଲିକ୍‍ଶାଢ଼ୀ ତ ଦୂରର କଥା ଖଣ୍ଡେ ଭଲ ସୁତାଶାଢ଼ୀ ବି ମୁଁ ଆଣି ଦେଇ ପାରି ନାହିଁ । ବାଲେଶ୍ୱରରୁ ଭଲ ଶାଢ଼ୀ ଆଣି ତୁ ଘରସାର କରି ସାଇତି ରଖୁ ଆଉ ଆମ ଘରର ମୋଟାରୋଟା ଶାଢ଼ୀ ପିନ୍ଧି ଚଳୁ । ଏମିତି କେତେ ଦୁଃଖସୁଖରେ ଆମ ଜୀବନ କଟିଛି । ଏତେ ଅଣହେଳା କଲେ ବି ତୁ ଦିନେହେଲେ ଦୁଃଖ କରି ନାହୁଁ । ମୁଁ କାନ୍ଦିଲେ ତୁ କାନ୍ଦିଛୁ । ମୁଁ ହସିଲେ ତୁ ହସିଛୁ । ମୋ ମନରେ ଯେତେ ଦୁଃଖ ଥିଲେ ବି, ନ ଖାଇ ନ ପିଇ ମୁହଁ ମୋର ଯେତେ ଶୁଖି ଯାଇଥିଲେ ବି ଯେତେବେଳେ ପଦାକୁ ଆସି ତୋ ସୁନାମୁହଁଟିକୁ ଦେଖେ, ମୁଁ ଭୋକଶୋଷ ସବୁ ଭୁଲିଯାଏ । ପେଟ ମୋର ପୂରି ଉଠେ । ଏମିତି ଭଲା ଦୁଃଖେ କଷ୍ଟେ ଆଉ କେତୋଟି ଦିନ କଟି ଯାଇଥାନ୍ତା ! !

 

ବାଲେଶ୍ଵରୀ ଭାଷା–

 

ହାଇସ୍କୁଲରେ ନନ୍ଦକିଶୋରଙ୍କର ‘କନକଲତାରେ ପଢ଼ିଥିଲି–‘ଆଲୋ ସେ କିସ’ । ଏଇ ‘କିସ’ ଉପରେ ଏକା ମୁଁ କାହିଁକି କ୍ଳାସର ସବୁ ପିଲା ହୋ ହୋ ହୋଇ ହସି ଉଠିଥିଲୁ । କାରଣ ଆମେ ଏହା ଆଗରୁ ବାଲେଶ୍ୱରର ଏହି ‘କିସ’, ‘କେନେ’ ଭାଷା ଜାଣି ନ ଥିଲୁ । ଆମର ପ୍ରାତଃସ୍ମରଣୀୟ ପିତୃତୁଲ୍ୟ ଶିକ୍ଷକଙ୍କ ଘର ବାଲେଶ୍ଵର ଟାଉନ୍‍ରେ ହୋଇଥିଲେହେଁ ସେ ଅନେକଦିନ ପାରଳାଖେମୁଣ୍ଡିରେ ରହି ପୂରାପୂରି ଦକ୍ଷିଣୀ ଭାଷା କହୁଥିଲେ । ତେଣେ ‘କିସ’ ଶୁଣିବା ଆମର ଏହି ପ୍ରଥମ । କିନ୍ତୁ ପରେ ଯେତେବେଳେ ଚାକିରୀ କରିବାକୁ ୧୯୪୩ରେ ମୁଁ ପ୍ରଥମ କରି ବାଲେଶ୍ଵର ଯାଏ ସେତେବେଳେ ଏହି କେନେ , କିସ ଶୁଣି ଶୁଣି କାନ ବଧିରା ହୋଇଗଲା । ତଥାପି ମୋର ବିବାହ ପରେ ମୋର ସେହି ପୂରାତନ ହାଇସ୍କୁଲର ବନ୍ଧୁମାନେ ଯିଏ ଯୋଉଠି ଦେଖନ୍ତି ଆଗ ଏହି କିସ ଠାରୁ ଆରମ୍ଭ କରି ବହେ ହସନ୍ତି–ତା’ପରେ ତୋ ଗୁଣଗ୍ରାମ ପଚାରି ବସନ୍ତି ।

 

ହୁଏ ତ କେହି ବିଶ୍ୱାସ କରିବେ ନାହିଁ କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୁଏ ତୁ ଦିନେହେଲେ କେନେ, କିସ, କେଇଠିକି, ଖାଇତେ, ଯାଇତେ ଭୁଲ୍‍ରେ ବି କହିନାହୁଁ । ଅବଶ୍ୟ ଭାଇ, ଭଉଣୀଙ୍କୁ ବଙ୍ଗାଳୀ ଘର ଭଳି ଦାଦା, ଦିଦି କହୁ । ମୁଁ ବି ଏଣିକି ଲକ୍ଷ୍ୟ କରି ନ ପାରି ନିଜେ ବାପା, ବୋଉଙ୍କୁ ବାବା, ମା’ ବୋଲି ଡାକିଲି । ଏ ଭୁଲ୍‍ ଆମେ ଆସ୍ତେ ଆସ୍ତେ ସୁଧାରିଥାନ୍ତେ । କେନେ, କିସ ଯେମିତି ଭୁଲିଥିଲୁ, ଦାଦା, ଦିଦି ସେମିତି ଛାଡ଼ି ଆମ ଓଡିଆଘରର ଖାଣ୍ଟି ଭାଷାରେ ଭାଇ, ନାନୀ ଡାକିଥାନ୍ତୁ । ତୋତେ ଆଦର୍ଶ କରି ସୁନ୍ଦର କରି ଗଢ଼ିବା ଆଗରୁ ଭଗବାନ ତୋତେ ନେଇଗଲେ । କୁମ୍ଭାର ଭଳି କଞ୍ଚା ହାଣ୍ଡିକୁ ମୁଁ ଭାତିରେ ପକାଇ ଶକ୍ତ କରି ଆଣିବା ବେଳକୁ ହାଣ୍ଡି ଭାଙ୍ଗିଗଲା । ଯୋଉ ମାଟିକୁ ସେଇ ମାଟି । ମୁଁ ବୁଝୁଛି ଆଉ ମୁଣ୍ଡ କଚାଡ଼ି ଲାଭ ନାହିଁ । ତଥାପି ମାୟା ଛାଡ଼ୁ ନାହିଁ । ଅନ୍ତରରୁ ଖାଲି କୋହ ଉଠୁଛି ସିନା ମୋହ ତୁଟୁ ନାହିଁ ।

 

“ରଘୁ ଅରକ୍ଷିତ”–

 

ହେମନ୍ତର ଗୋଟିଏ ଧୁପଛାଇ ସନ୍ଧ୍ୟା । ବୃନ୍ଦାବତୀଙ୍କ ଚଉରା ପାଖରେ ତୁ ସନ୍ଧ୍ୟାବତୀ ଜାଳି ଦେଇ ମଥା ନୋଇଁଲୁ । ଆମ ଗାଁ ଭାଗବତ ଟୁଙ୍ଗୀରୁ ଘଣ୍ଟ ବାଜି ଉଠିଲା । ତୁ ତା’ ସାଙ୍ଗରେ ଶୁଭ ଶଙ୍ଖଟିଏ ଫୁଙ୍କି ଦେଇ ପୁଣି ଥରେ ପଣତ କାନି ବେକରେ ଦେଇ ପ୍ରଣାମ କଲୁ । ହଠାତ୍ ପଚାରି ଦେଲି–‘କହତ ମିଟ ! ତୁ ଠାକୁରଙ୍କ ପାଖରେ କ’ଣ ଜଣାଇଲୁ ? କେମିତି ଆଉ ଦୋ’ଟି ପୁଅ ହେବ–ଏଇଆ ନାଁ ?’ ହସି ଉତ୍ତର ଦେଲୁ–‘ହଁ, ସେ କଥା ଯେ ଏକାବେଳକେ ଭୁଲ୍ ତା’ ନୁହେଁ । ତେବେ ପୁଅଙ୍କ ସାଥିରେ ଆଉ ଜଣଙ୍କ ଶୁଭ ବି ମନାସିଛି । ତା’ ନେଇ ସିନା ମୋର ସବୁ ସୁଖ’ । ବୁଝିପାରୁଥିଲେ ବି ପୁଣି ପଚାରିଲି–‘ସେ ଜଣକ କିଏ ?’ କହିଲୁ–‘ମୋ ଦେବତା ।’ ମୁଁ ହସିଥିଲି । ତୁ ବି ହସିଥିଲୁ । ତା’ ପରେ ସାଙ୍ଗ ହୋଇ ଦୁହେଁ ଯାଇଁ ପଢ଼ିବସିଲେ କୁନ୍ତଳାକୁମାରୀଙ୍କର ‘ରଘୁଅରକ୍ଷିତ’ ।

 

ଶୀତ ପଡ଼ି ଆସୁଥାଏ ଅଳ୍ପ ଅଳ୍ପ । ଜାକିଜୁକି ହୋଇ ତୁ ମୋ ଦେହ ସାଙ୍ଗରେ ଜଡ଼ି ହୋଇ ବସିଲୁ । ଖଣ୍ଡିଏ ଚଦର ଦୁହେଁଯାକ ଘୋଡ଼ି ହୋଇ ସେଦିନ ପଢ଼ିଥିଲେ ସେଇ ଉପନ୍ୟାସଟି । ରଘୁନାଥ ମାୟା ଓ ଛୁଆଗୁଡ଼ିଙ୍କୁ ସାଙ୍ଗରେ ନେଇ ଛୋଟ ଡଙ୍ଗାଟିରେ ନଈ ଉପରେ ବୁଲୁଛି । କେତେଗୁଡ଼ିଏ କର୍ମୀ ଯୁବତୀ ନଈ କୂଳେ କୂଳେ ହାଓ୍ୟା ଖାଇ ବୁଲୁଛନ୍ତି । ଶରତ ଋତୁ । ମେଘମୁକ୍ତ ନିର୍ମଳ ଆକାଶ । ଛୁଆମାନଙ୍କ ସାଙ୍ଗରେ ହସ କୌତୁକ କରୁ କରୁ ମାୟା ହଠାତ୍ କହିଲା–‘ମୁଁ ଯଦି ମରିଯାଏ, ଏ ଛୁଆମାନଙ୍କର ଅନ୍ତତଃ ଯତ୍ନ ନେବ,....ରଘୁନାଥର ସବୁ ଆନନ୍ଦ, ଫୁର୍ତ୍ତି ଏଇ କଥାପଦକରେ ମିଳେଇଗଲା । ସେ ଶୂନ୍ୟରୁ ଖସି ପଡ଼ିଲା ପରି କହିଲା–‘ତମେ ମରିଗଲେ ମୋ କଥା ସରିଯିବ । ତମ ଛଡ଼ା ଛୁଆମାନଙ୍କୁ କିଏ ପାଳିବ ? ତମେ ଗଲେ ଯେ ମୁଁ ଅଥଳ ଦରିଆରେ ଭାସିବି’ ।

 

ତୁ ଏଇଠି ପଢ଼ା ବନ୍ଦ କରାଇ କହିଥିଲୁ–‘ଦେଖୁଛ ସ୍ତ୍ରୀମାନଙ୍କର କେତେ ଗୁଣ ? ତମେ ପରା କୁହ ଝିଅଗୁଡ଼ା ଖାଲି ଚୁଲୀମୁଣ୍ଡକୁ, ଆଉ ରଘୁନାଥ କାହିଁକି ମାୟାକୁ ଛାଡ଼ି ଦଣ୍ଡେ ରହିପାରୁ ନାହିଁ ;’ ଏହି ଚତୁର ଯୁକ୍ତିର କିଛି ପ୍ରତିବାଦ ନ କରି ମୁଁ ପଢ଼ି ଚାଲିଥିଲି । ସତକୁସତ କିଛିଦିନ ପରେ ମାୟା ମଲା । ରଘୁନାଥର ସୁନାର ସଂସାର ଚୁନା ହେଲା । ପିଲାଗୁଡ଼ିକ ଅନାଥ ହୋଇ ଏଣେ ତେଣେ ବୁଲିଲେ । ନିଜେ ରଘୁନାଥ ମାୟା ପାଇଁ ବାୟା ହୋଇ ଘର ସଂସାର ଛାଡ଼ି ଯୋଗୀ ହେଲା..... ।

 

ଏହି ଅପୂର୍ବ ସାମଞ୍ଜସ୍ୟ ଆଜି ମୋ ଜୀବନରେ ଘଟିଲା । ଚଉରା ପାଖରେ ସଞ୍ଜ ଦେଇ ତୁ ମୋ ଶୁଭ ପାଞ୍ଚିଥିଲୁ । କିନ୍ତୁ ଆଜି ଅଶୁଭର ଧୂମକେତୁ ମୋ ଭାଗ୍ୟରେ ଉଠିଲା । ଖାଲି ମଣିଷର ରକ୍ତମାଂସର ଦେହଟା ବଞ୍ଚି ରହିଲେ ତ ହୁଏନା, ତା’ ସାଙ୍ଗକୁ ତା’ ମନ ବଞ୍ଚିବା ଦରକାର–ତା’ ମନର ସୁଖ , ଶାନ୍ତି, ଆଶା, ଆନନ୍ଦ ଜୀଇ ଚେଇଁ ରହିବା ଦରକାର । ତା’ ନ ହେଲେ ମଣିଷ ବଞ୍ଚି ରହି ବି ମଲା ଭଳି । ଆଜି ମୋର ସେହି ଅବସ୍ଥା ।

 

“ଅଦେଖା ହାତ”–

 

କାହ୍ନୁଚରଣଙ୍କର ଏହି ‘ଅଦେଖା ହାତ’ ବହିଟି କେତେଥର ଆଣି ମୁଁ ତୋତେ ଦେଇଛି । ‘ଗୀତା’ର ଦୁଃଖ ଦୁର୍ଦ୍ଦଶା ପଢ଼ି କେତେଥର ଶୁଣେଇଛି । ବାସ୍ତବିକ ଗୀତାଟି କେଡ଼େ ସୁନ୍ଦର, କେଡ଼େ ସରଳ, କେଡ଼େ ସର୍ବସହଣୀ । ପିଲାଦିନରୁ ସେ ଦୁଃଖ ଅଭାବରେ ବଢ଼ିଛି । ଦୁନିଆଯାକର ନିନ୍ଦା ଅପବାଦ ସହିଛି । ବିନା ଦୋଷରେ ସାହିଯାକ ତା’କୁ ଘୃଣା କରିଛନ୍ତି, ଅପମାନ ଦେଇଛନ୍ତି । ତଥାପି ଦୁଃଖରେ ତା’ଛାତି ଫାଟିଯାଇଛି ପଛକେ ତୁଣ୍ଡ ଫିଟି ନାହିଁ । କାହ୍ନୁବାବୁ କେତେ ସ୍ନେହଶରଧା ଦେଇ ଗୀତାକୁ ଏଡ଼େ ସୁନ୍ଦର କରି ଗଢ଼ିଛନ୍ତି ଯେ ଯେକୌଣସି ଅବିବାହିତ ଯୁବକ ତା’କୁ ଦେଖିବ ସେ ଲୋଭ କରିବ । ଗୀତା ଗରିବ ହେଲେ ବି ମନଟା ତା’ ଆଡ଼କୁ ସ୍ଵତଃ ଢଳିପଡ଼େ ।

 

ମୋ ମୁହଁରେ ଗୀତାର ଏତେ ପ୍ରଶଂସା ଶୁଣି ତୁ ଅଭିମାନ କରୁ । ମୁଁ ବୁଝାଇ ଦେଇ କହେ–‘ନା’ ରେ ପାଗଳି ! ବଡ଼ ସାନ ଠାରେ କଥା ନାହିଁ । ଧନୀ ଘରେ ଜନ୍ମ ହୋଇ ବି ଗୀତା ଭଳି ସବୁ ଗୁଣ ହାସଲ କରି ହେବ ଯଦି ମନରେ ଅହଙ୍କାର ନ ଆଣି ସରଳ ମନରେ ସମସ୍ତଙ୍କୁ ଆପଣାର କରିପାର । ବଡଲୋକଙ୍କୁ ମୁଁ ଘୃଣା କରେ ନା କିନ୍ତୁ ଯେ ବଡ଼ଲୋକି ଦେଖେଇ ହୁଏ, ଧନ ଗର୍ବରେ ମଣିଷ ଚିହ୍ନେନା ବା ନିଜେ ସୁଖ ଶାନ୍ତିରେ ରହି ତା’ ପଡ଼ୋଶୀ ଭାଇଟିର ରୋଗ ଶୋକରେ ଟିକିଏ ସାହାଯ୍ୟ କରେନା, ସେହି ଲୋକଗୁଡ଼ାଙ୍କୁ ମୁଁ ପ୍ରକୃତରେ ଘୃଣାକରେ । ତୁ ଗୀତା ଭଳି ସରଳ ସୁନ୍ଦର ମିଳାପୀ ହେଲେ ଏକା ମୁଁ କାହିଁକି ଦୁନିଆଯାକ ତୋତେ ଆଦର କରିବେ ।

 

ତୁ ମୋ କଥାର ଅର୍ଥ କିଛି କିଛି ବୁଝିଥିଲୁ ଓ ଗୀତା ଭଳି କଷ୍ଟ ସହିଷ୍ଣୁ ଓ ପରଦୁଃଖମୋଚନତତ୍ପର ହେବାକୁ ଚେଷ୍ଟା କରିଥିଲୁ । ମୋର ଆଶା ଥିଲା ତୋତେ ସେବାଭାବରେ ଅନୁପ୍ରାଣିତ କରି ଏହି ଗାଉଁଲି ଦୁଃଖିନୀ ଝିଅ ଗୀତା ଭଳି ଗଢ଼ିଥାନ୍ତି । ତା’ହେଲେ ତୁ ସୁଗୃହିଣୀ ହୋଇଥାନ୍ତୁ, ଅଭିମାନ ଅହଙ୍କାର ଛାଡ଼ି ଧୀର ଶାନ୍ତ ବିନୟୀ ହୋଇଥାନ୍ତୁ ଓ ନିଜ ସୁଖସ୍ଵାଚ୍ଛନ୍ଦ୍ୟ ପ୍ରତି କେବଳ ଦୃଷ୍ଟି ନ ଦେଇ ପରର ଦୁଃଖଦୈନ୍ୟରେ ସାହାଯ୍ୟ କରିଥାନ୍ତୁ । ଗାଁଟା ଯାକର ସବୁ ଝିଅବୋହୁଙ୍କ ଭିତରେ ତୋତେ ମୁଁ କରିଥାନ୍ତି ଆଦର୍ଶ । ମୁଣ୍ଡରେ ଓଢ଼ଣା ଦେଇ, ନାକରେ ନୋଲକ ନାଇ କାଲି ସକାଳେ ଯୋଉ ବୋହୁମାନେ ଆସନ୍ତେ, ସେ ତୋ’ଠୁଁ ଅନେକ କଥା ଶିଖନ୍ତେ । ସେଇ ହୋଇଥାନ୍ତା ମୋର ଗର୍ବ–ସେଇ ହୋଇଥାନ୍ତା ମୋର ଶ୍ରେଷ୍ଠ ଗୌରବ । କିନ୍ତୁ ତା’ ହୋଇପାରିଲା ନାହିଁ । ଭଗବାନ ମୋର ଏତେବଡ଼ ଆଶାକୁ ଜାଳି ପୋଡ଼ି ଛାରଖାର କରିଦେଲେ !!

 

ଖଡ଼ଗପୁର–

 

୧୮–୫–୪୭ ଦିନ ତୋତେ ମୁଁ ନେଇ ଯାଇଥିଲି ଖଡ଼ଗପୁର । ପଦ୍ମପୁରର ସେହି ବନ୍ଧୁ, ତା’ ସହଧର୍ମିଣୀ, ତୁ, ମୁଁ–ଗୋଟିଏ ଘରେ ଏକା ପରିବାର ଭଳି ଦେଢ଼ଟି ମାସ ଚଳିଥିଲେ । କେନ୍ଦ୍ରପଡ଼ାରେ ମୋର ସେଇ ଗୁରୁଦେବ ଯାଇଁ ଆମ ପାଖରେ କିଛି ଦିନ ରହିଥିଲେ । ବନ୍ଧୁପତ୍ନୀ ଥିଲେ ଅନ୍ତଃସତ୍ତ୍ଵା । ବଜାରରୁ ନିତି ଶାଗ ଆଣି ତାଙ୍କୁ ଥଟ୍ଟା କରି କହେ–‘ନେଉଟିଆ ଶାଗ ଖାଇଲେ ପୁଅ ମୁଣ୍ଡର ବାଳ ବଢ଼ିବ’ । ତୁ ହସୁ, ବନ୍ଧୁ ହସନ୍ତି । ସହଧର୍ମିଣୀ କିନ୍ତୁ ଲାଜରେ ସଢ଼ି ଯାଆନ୍ତି । ମନେଅଛି ଗୁରୁଜୀଙ୍କ ପାଇଁ ତୁ ଦିନେ ଲୁଚି ଭାଜି ମାଂସ ରାନ୍ଧିଥିଲୁ । ସେ କେଡ଼େ ଆଗ୍ରହରେ ଖାଇ ଖୁସି ହୋଇଥିଲେ ଓ ଆଶୀର୍ବାଦ କରିଥିଲେ । ଆମେ ମାଲିଅଞ୍ଚାର ବାଲାଜୀ ମନ୍ଦିର ବୁଲିଥିଲେ, ରଥ ଦେଖିଥିଲେ, ପଣସ ଖାଇଥିଲେ । ମୁଁ ଆଈଙ୍କୁ ନେଇ ମେଦିନୀପୁର, ଟାଟା ବୁଲେଇ ଆଣିଥିଲି । ହଠାତ୍ ବନ୍ଧୁପତ୍ନୀ ଚାଲି ଆସିବାରୁ ତୁ ଆସିବାକୁ ଏକ ଜିଦ୍ ଧରିଲୁ । ମୁଁ ରାଗିଥିଲି, ମନା କରିଥିଲି । ମୋ ମନା ନ ମାନି, ମୋ ଖାଇବା–ପିଇବା ସୁବିଧାକୁ ନ ଚାହିଁ ତୁ ବାବାଙ୍କ ସାଙ୍ଗରେ ବାଲେଶ୍ଵର ଚାଲି ଆସିଲୁ । ମୁଁ ଖୁବ୍ ଘୋଷା ହୋଇଛି, ଅଭିମାନ କରିଛି, ମାସେକାଳ ଚିଠି ଦେଇ ନାହିଁ କି ଘରକୁ ଆସିନାହିଁ । ପୁଣି ଦୋଷ କ୍ଷମା ମାଗି ଚିଠି ଲେଖିଲୁ । ତୋ ଚିଠି ପାଇ ମୁଁ ବାଉଳା ହୋଇ ଘରକୁ ଫେରିଲି । ସବୁ ମାନ ଅଭିମାନ ପରେ ପୁଣି କଥାଭାଷା ହସଖେଳ ଲାଗିଲା । ସବୁ କାଲି ଭଳି ମନେ ହେଉଛି ।

 

୧୯୪୭ ଅଗଷ୍ଟ ପନ୍ଦର ତାରିଖ ଦିନ ସ୍ଵାଧୀନତା ଦିବସ ଉପଲକ୍ଷେ ଗାଁରେ ଗୋଟିଏ ସଭା ହେଲା । ତୁ ହାତରେ ଫୁଲମାଳା ଗୁନ୍ଥି ବାପୁଜୀ, ଜବାହରଲାଲ, ସୁଭାଷ ଓ ଆଜାଦଙ୍କର ଫଟୋଟିକୁ ଖଟୁଲୀରେ ସୁନ୍ଦରଭାବେ ସଜାଇ ଦେଇଥିଲୁ । ଜାତୀୟ ପତାକା ହାତରେ ଧରି ଏହି ମହାପୁରୁଷମାନଙ୍କ ଫଟୋ ନେଇ ଏକ ଶୋଭାଯାତ୍ରାରେ ଆମେ ସଭାସ୍ଥଳକୁ ଯାଇଥିଲୁ । ମହାଦେବଙ୍କ ପାଖରେ ହରିଜନ ସେବା ହୋଇଥିଲା । ଏସବୁ ଅତୀତର କଥା । ଆଜି ଭାବି ବସିଲେ ଆଉ ଏ ସୁଖଦୁଃଖ, ରାଗ ଅଭିମାନର ଦିନ ଫେରିବ ନାହିଁ–ଫେରିବ ନାହିଁ ।

 

ସାନ୍ତ୍ଵନା–

 

ଥରେ ଲେଖିଥିଲି–

 

“ରବି ସୌଦାମିନୀ ନଳିନୀକି ଚାହିଁ

ଛୁଟି ମାଗେ ରବି ରାତି ଗୋଟା ପାଇଁ,

ଚକୋରୀ ପାଖରୁ ଚକୋରଟି ପାଇଁ

ଦିବା ଅବସାନେ ସେପାରି ଯାଏ....”

 

ରବି ବୁଡ଼ିଲେ ନଳିନୀ ଦୁଃଖରେ ପାଖୁଡ଼ା ମୁଦେ । ଚକୋର ନଈ ଆରପାରିକୁ ଉଡ଼ିଗଲେ ଚକୋରୀ ଦୁଃଖରେ ଆଖିରୁ ଲୁହ ଗଡ଼ାଏ । ବିରହ ଏଡ଼େ ଦାରୁଣ ! ତଥାପି ରାତି ପାହିଲେ ପୁଣି ଦୁହିଁଙ୍କର ମିଳନ ହୁଏ । ଉଷା କୋଳରେ ନଳିନୀର ଭରା ଯୌବନ ଚୁମିବାକୁ ପୁଣି ତରୁଣ ଅରୁଣ ଉଇଁ ଆସେ । ରାତି ଗୋଟାକର ବିରହବେଦନା ସହି ସହି ପ୍ରଭାତର ସୁନା ଆଲୁଅ ସାଥିରେ ଚକୋର ପୁଣି ପ୍ରିୟା ପାଖକୁ ଫେରିଆସେ । କିନ୍ତୁ ଆମର ଏ ବିଚ୍ଛେଦ ଦିନେ ଅଧେ ପାଇଁ ନୁହେଁ କି ମାସେ ବର୍ଷେ ପାଇଁ ନୁହେଁ । ଏହା ଚିରଦିନ ପାଇଁ–ଚିରକାଳ ପାଇଁ । ଏହାର ଶେଷ ନାହିଁ, ସୀମା ନାହିଁ, ମିଳନର ଅବକାଶ ନାହିଁ, ଏ ଦୁଃଖ ରାତି ଆଉ ପାହିବାର ସମ୍ଭାବନା ନାହିଁ । ସେବା ! ତୁ ତ ଯାଇଁ ସୁଖରେ ରହିଲୁ । କହ କେମିତି ରକ୍ତମାଂସର ଦେହ ଧରି ମୁଁ ଏ ଦାରୁଣ ବିରହ ସହିବି ? ଆଜି କେତେ ବନ୍ଧୁ ଏ ଧକ୍‍କା ସହିଯିବାକୁ କେତେ ସାନ୍ତ୍ଵନା ଦେଇ ଚିଠି ଲେଖୁଛନ୍ତି । କିଏ ଉପଦେଶ ଛଳରେ ଲେଖୁଛି–

 

‘ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତିମଧ୍ୟାନି ଭାରତ

ଅବ୍ୟକ୍ତ ନିଧନାନ୍ୟେବ ତନ୍ତ୍ର କା ପରିଦେବନା ।’

 

କିଏ ଲେଖୁଛି–

 

‘କର୍ମଣ୍ୟେ ବାଧିକାରସ୍ତେ ମା’ ଫଳେଷୁ କଦାଚନ ।’

 

ପୁଣି କିଏ ଲେଖୁଛି–

 

‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହ୍‍ଣାତି ନରୋପରାଣି ।

ତଥା ଶରୀରାଣି ବିହାୟ ଜୀର୍ଣ୍ଣା

ନ୍ୟନ୍ୟାନି ସଂଯାତି ନବାନି ଦେହୀ ।’

 

“ଆଉ କିଏ କିଏ ଲେଖୁଛନ୍ତି–

 

‘The world is a stage and Every one plays his part.’

 

ପୁଣି କିଏ ଅତି ସାନ୍ତ୍ଵନା ଦେଇ ଲେଖୁଛି–

 

‘Thy will must be done . I and you are simply toys in his hands.’

 

ସାଇ ପଡ଼ିଶାଏ କହୁଛନ୍ତି–‘ବ୍ୟସ୍ତ ହେଲେ କ’ଣ ହେବ ? ତା’ର ଯିବାର କଥା । ସେ ହାଟ ସାରି ଚାଲିଗଲା’.....ଅବଶ୍ୟ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ବିପଦ ବେଳର ବନ୍ଧୁହିଁ ପ୍ରକୃତ ବନ୍ଧୁ । କିନ୍ତୁ ମୁଁ କହେ–ଏଇ କ’ଣ ସାନ୍ତ୍ଵନା ? ଏଇଥିରେ କ’ଣ ମୋ ଦୁଃଖ ଲାଘବ ହେବ ? ବାପାଙ୍କ ମଲାବେଳକୁ ସାଲେପୁରର ସ୍ଵପ୍ନ ବିଭୋର କବି ଲେଖିଥିଲେ–‘ଭାଇରେ । ଦୁଃଖରେ ମ୍ରିୟମାଣ ହୋଇ ଯେତେ ପାରୁଛୁ କାନ୍ଦ୍ । ଆଖିରୁ ଯେତେ ଲୁହ ଗଡ଼ାଇ ପାରିବୁ, ବାପାଙ୍କ ଋଣ ସେତିକି ପରିଶୋଧ କରିପାରିବୁ । ଏପରି କି କାନ୍ଦି କାନ୍ଦି ଯଦି ତୁ ମରିଯାଇ ପାରୁ ତେବେ ତୁ ହେବୁ ତାଙ୍କର ଉପଯୁକ୍ତ ପୁଅ । ଲୋକେ କହିବେ–ପାଗଳା ପୁଅ । ‘ବଡ଼ ଦୁର୍ବଳ ହୃଦୟ....କିନ୍ତୁ ମୁଁ କହେ ତା’ଠୁଁ ସବଳ ଆଉ କେହି ନାହିଁ । ସଂସାରର ନୀଚ ସ୍ଵାର୍ଥ ଆଶାରେ ସେ ସ୍ନେହର ପରିଶୋଧ ନ କରି ପଛେଇ ବଞ୍ଚି ରହେ ନାହିଁ ଋଣୀ ହୋଇ । ସେ ମରେ ନାହିଁ, ସେ ଜୀଏ ଇତିହାସର ପୃଷ୍ଠା ଭିତରେ....।’

 

ଏଇ ସିନା ଆଶ୍ଵାସନା । ଏଇ ସିନା ଉପଯୁକ୍ତ ସାନ୍ତ୍ଵନା । ଖାଲି ନୀତି ବାକ୍ୟ ଶୁଣିଲେ ଏ ଦୁର୍ଦ୍ଦିନରେ ମନରେ ଶାନ୍ତି ଆସିବ କି ? ବରଂ ଯଦି କେଉଁଠୁ ଦରଦମିଶା କଥା ଦି’ପଦ ଶୁଣିବାକୁ ମିଳେ, ସହାନୁଭୂତି ଦେଖେଇ ଆହା ବୋଲି ଯଦି କିଏ କହେ, ତେବେ ଆଖିରୁ ବେଶୀ ଲୁହ ଝରିଲେ ବି ମନରେ ଟିକିଏ ପରିବର୍ତ୍ତନ ଆସେ । ବାସ୍ତବିକ ବିପଦବେଳେ ଅଶ୍ରୁ ଅପେକ୍ଷା ଏଡ଼େ ଦରଦୀ ଓ ଆପଣାର ବନ୍ଧୁ ଆଉ କିଏ ଅଛି ? ମନରେ ଯେତେ ଦୁଃଖ ଥିଲେ ବି ଟିକିଏ କାନ୍ଦି ପାରିଲେ ହୃଦୟ ନରମ ହୋଇଆସେ । ଅବଶ୍ୟ ମୋ ଦୁଃଖରେ ବନ୍ଧୁମାନେ ଏହି ନୀତିବାକ୍ୟ ଛଡ଼ା ଆନ୍ତରିକ ସମବେଦନା ମଧ୍ୟ ଜଣାଇଛନ୍ତି । ସେଥିପାଇଁ ମୁଁ ଋଣୀ । ତଥାପି ମନ କ’ଣ ବୁଝେ ? ମନ କ’ଣ ଚାହେଁ ତୋତେ ଚିରଦିନ ପାଇଁ ହରାଇ ଏହି ସାନ୍ତ୍ଵନା କେଇପଦରେ ସବୁ ଭୁଲିଯିବାକୁ ? ସତରେ ମନ ଚାହେଁ ବେଶୀ ବେଶୀ କାନ୍ଦିବାକୁ । କେହି ଆତ୍ମୀୟ ବନ୍ଧୁଙ୍କୁ ଦେଖିଲେ ସ୍ଵତଃ କାନ୍ଦ ମାଡ଼େ । ଛାତି ପଥର କଲେ ବି ଆଖିରୁ ଲୁହ ଝରୁଛି । ପାଷାଣି ! ଏଡ଼େ ସୁଖସରାଗଭରା ଦୁନିଆଟାରେ ମୋତେ ଚିରଦିନ ପାଇଁ କନ୍ଦାଇ କନ୍ଦାଇ ଚାଲିଗଲୁ ନା ?

 

ହଁ ହୁଏତ କିଛିଦିନ ପରେ ମୁଁ ଆସ୍ତେ ଆସ୍ତେ ଭୁଲିଯିବି । ଜଣେ ବନ୍ଧୁ ଲେଖିଛନ୍ତି–‘It is only time that can help you.’ କଥାଟି ସତ । କାଳର ଦୁର୍ଦ୍ଦମନୀୟ ପ୍ରଭାବରେ ମଣିଷ କ୍ରମେ କ୍ରମେ ସବୁ ଭୁଲେ । ସବୁ ଜିନିଷ ପୁରୁଣା ହେଲେ ମନ ଛାଡ଼ିଆସେ । କିନ୍ତୁ ଯୋଉ ମୁହୂର୍ତ୍ତରେ ମୋତେ ତୋ ଅଭାବ ଅସହ୍ୟ ହେଉଛି ସେହି ମୁହୂର୍ତ୍ତଟିର ମୂଲ୍ୟ ତ କମ ନୁହେଁ, ସେହି ମୁହୂର୍ତ୍ତରେ ମୂଲ୍ୟ ତ କମ ନ ନୁହେଁ , ସେହି ମୁହୂର୍ତ୍ତଟି ମୋ ପାଖରେ ବାସ୍ତବ, ସତ୍ୟ, ଜୀବନ୍ତ । ସେହି ମୁହୂର୍ତ୍ତରେ ମୁଁ ଚାହେଁ–ସାରା ସୃଷ୍ଟି ପ୍ରଳୟ ହୋଇଯାଉ ପଛକେ ମୁଁ ତୋତେ ଫେରିପାଏ । ଧନ, ମାନ, ଜୀବନ–ସବୁ ଦେଇ ମୁଁ ଚାହେଁ ତୋତେ । କିନ୍ତୁ କାହିଁ–ପାଉଛି କି ? ପାଇବି କି ? ଗୋଟାଏ ଜୀବନର ବିନିମୟରେ ବି ତୋତେ ଆଉ ପାଇବାର ଆଶା ଅଛି କି ?

 

କଲ୍ୟାଣି ! ତୋ’ ରକ୍ତମାଂସର ଗଢ଼ା ଲାବଣ୍ୟ ତନୁଟିକୁ ଫେରି ପାଇବାକୁ ଆଶା କରିବା ଆକାଶ–କୁସୁମ । ଜୀବନରେ ଆଉ କେବେ ତୋ’ ସ୍ନେହ, ଶ୍ରଦ୍ଧା ପାଇବି ନାହିଁ; ତୋ’ ମଧୁର କଥା ଶୁଣି ପାରିବି ନାହିଁ ; ତୋ’ ହସହସ ମୁହଁଟିକୁ ଦେଖିପାରିବି ନାହିଁ କି ରକ୍ତ ଗୋଲାପ ଅଧରରେ ଚୁମା ଦେଇ ପାରିବି ନାହିଁ । ତେବେ କେମିତି ମୁଁ ବଞ୍ଚିବି ? କିଏ ମୋତେ ଦୁନିଆର ଏ ଦୁର୍ଗମ ପଥରେ ଆଶା ଆଶ୍ଵାସନା ଦେଇ ବାଟ କଢ଼ାଇ ନେବ ? କିଏ ମୋର କର୍ମକ୍ଳାନ୍ତ ଜୀବନରେ ସାହା ହୋଇ ଆହା ବୋଲି ପଦେ କହିବ ? ଆଉ କିଏ ମୋର ଯୌବନର ସ୍ଵପ୍ନକୁ ବାସ୍ତବତାରେ ରୂପ ଦେଇ ସାଧନାର ଗରିମାମୟ କୋଣାର୍କ ଗଢ଼ିବ ? ସତେ, ତୋ ବିନା ଆଜି ମୁଁ ଦୁନିଆରେ କେଡ଼େ ଦୀନ, ହୀନ, କାଙ୍ଗାଳ !!

 

ଶେଷ କଥା–

 

ରାଣି ମୋର ! ଏତେ କଥା ଲେଖିଲି । ଅତୀତର କେତେ ସୁଖଦୁଃଖ, ହସଖେଳ, ମାନ ଅଭିମାନ, ସ୍ନେହ ପ୍ରୀତି ସବୁ ମିଶାଇ ନିରୋଳ ସତକଥା ଗୁଡ଼ା ହୃଦୟର ଆବେଗ ସମ୍ଭାଳି ନ ପାରି ଲେଖିଗଲି । ମୁଁ ଜାଣେ ତୁ ଏ ଚିଠି ପାଇବୁନି, ପଢ଼ି ଖୁସି ହେବୁନି କି ହସିହସି ଉତ୍ତର ଲେଖିବୁନି । ତଥାପି ମୁଁ ଉଦ୍‍ଭ୍ରାନ୍ତଙ୍କ ଭଳି ମନରେ ଶାନ୍ତି ପାଇବାକୁ ଲେଖିଯାଉଛି । ତୋ’ ସୁନ୍ଦର ଦେହ ମନ ଆଜିଠଉଁ ସାତ ସପନ । ତେଣୁ ଏଇ କାଗଜ କଲମରେ, ଏଇ ନୀରସ ଚିଠି ଭିତରେ ସରସ ଭାଷା ଦେଇ ତୋତେ ଜେଇ ବଞ୍ଚେଇ ରଖିବାକୁ ମୁଁ ଚେଷ୍ଟା କରିଛି । ଏ ଲେଖାର ପ୍ରତ୍ୟେକ ଧାଡ଼ିଟିରେ ପ୍ରତ୍ୟେକ ଶବ୍ଦ ଭିତରେ କେତେ ସ୍ନେହ ସ୍ମୃତି ଜଡ଼ି ରହିଲା ।

 

କେଡ଼େ ସୁଖଶାନ୍ତିର ଅତୀତ ଆମର । ଆଜି ସିନା ତୁ ହା ହା କରି ମରିଗଲୁ ଆଉ ମୁଁ ବଞ୍ଚି ରହି ବି ହା ହା କରୁଛି । କିନ୍ତୁ ପଛକୁ ଫେରି ଚାହିଁଲେ କେତେ ସୁଖର ଚିତ୍ର ଆଖି ଆଗରେ ନାଚି ଉଠେ । ସେ ସବୁ କି ଜୀବନରେ କେବେ ଭୁଲି ହୁଏ ? ତୁ ଥିଲୁ ମୋର ସବୁ ସୁଖଶାନ୍ତିର ଆଧାର–ଆନନ୍ଦ କୋଳାହଳର ବାସ୍ତବ ପ୍ରତିମୂର୍ତ୍ତି । ଆଜି କିନ୍ତୁ ବାସ୍ତବତା ମୋଠୁଁ ବହୁତ ଦୂରରେ–ସୀମାହୀନ ଦିଗ୍‍ବଳୟର ପରପାରରେ । ଆଜି ମତେ ବାସ୍ତବତାକୁ ଭୁଲି ଯାଇଁ ଏହି କଳ୍ପନାରୁହିଁ ଆନନ୍ଦ ପାଇବାକୁ ହେବ । କାନ୍ଦିଲେ ଏଇ ଦେବ ସାନ୍ତ୍ଵନା ; ଦୁଃଖ କଲେ ଏଇ ଦେବ ଆଶ୍ଵାସନା ; ବିପଦରେ ଭାଙ୍ଗି ପଡ଼ିଲେ ଏଇ ଦେବ ଶକ୍ତି ; ଯୌବନରେ ସ୍ଵପ୍ନ ଦେଖିଲେ ଏଇ ଦେବ ପ୍ରେରଣା । କିଏ ଜାଣିଥିଲା ଏତେ ସ୍ନେହ, ଶ୍ରଦ୍ଧା, ଭକ୍ତି, ପ୍ରୀତି–ମାନ, ଅଭିମାନ, ଆଲିଙ୍ଗନ, ଚୁମ୍ବନ ପୁଣି ସୁଖ, ଶାନ୍ତି, ଆଶା, ଉଦ୍ଦୀପନା–ଦୁଃଖ, ଅଭାବ, କ୍ରୋଧ, ନିର୍ଯ୍ୟାତନା–ସବୁ ଏଇ ଶୁଷ୍କ କାଗଜର ନୀରସ ଅକ୍ଷର ଭିତରେହିଁ ପର୍ଯ୍ୟବ୍ୟସିତ ହୋଇ ରହିବ ।

 

କାଲି ପରି ସବୁ ମନେ ହୁଅଇ ତ

ସୁକୁମାରି ! ସୁନାଗୋରି !

କେଉଁ ସପନରେ ଲୀନ ହୋଇଗଲୁ ?

ମରୁଛି ମୁଁ ଝୁରି ଝୁରି ।

ଶେଫାଳି ଯେସନେ ହସି ଉଠୁଉଠୁ

ଝରଇ କାକର କୋଳେ

ଦୁଃଖିନୀ ତେସନେ ମଉଳିଲୁ ପରା

ଭରା ଯଉବନ ବେଳେ ।

କୁହୁଡ଼ି ଆସିଲା, କମଳ ପୋଡ଼ିଲା,

ଛାରଖାର ସରୋବର

ପୂନିଅଁ ଶଶୀରେ ରାହୁ ଗିରାସିଲା

ଦଶଦିଶ ଅନ୍ଧକାର ।

ଏଇ ବାଲେଶର ଗଗନ ପବନ

ତରୁଲତା ନଦନଦୀ

ସବୁରି କୋଳରେ ହଜିଗଲୁ ପରା

ସତେ ମୋ ହୃଦୟ ନିଧି ।

ଯେଣେ ଚାହେଁ ତେଣେ ଦିଶିଯାଏ ତୋ’ର

ହସ ହସ ସୁନା ମୁହଁ,

ପ୍ରତି ପଥରେଣୁ ବଜାଏ କି ବେଣୁ,

ଗୁମରି ଉଠଇ କୋହ ।

ସହକାର କୋଳେ ଗହଳ ବଉଳେ

ଚହଳ ପକାଏ ପିକ,

ଲୁଚିଲା ମୁହଁଟି ଭାସିଆସେ କାହୁଁ

ଦିଶିଯାଏ ଜକ ଜକ ।

 

ଲୁହ ଦିଶେ । ମୁହଁ ଦିଶେ । କୋହ ଉଠିଆସେ ଛାତି ଭିତରୁ । କାହିଁ ? କାହିଁ ? କାହିଁ ଗଲୁ ତୁ ପାଷାଣି ? ମତେ ଅନ୍ଧ କରି ଦେଇ, ପଙ୍ଗୁ କରି ଦେଇ, ପାଗଳ କରି ଦେଇ କେଉଁ ଅନ୍ଧାର କୋଳରେ ଲୁଚିଗଲୁ ତୁ କ୍ଷଣକେ ? ପ୍ରାଣ ଦେଇ ଯାହାକୁ ଭଲ ପାଉଥିଲୁ, କେମିତି ତୋ’ର ହାତଗଲା ତା’ର କଳା କଳା ଡୋଳା ଯୋଡ଼ାକ ଉପାଡ଼ି ଫୋପାଡ଼ି ଦବାକୁ ଦୂରକୁ ? ମୋର ଛାତି ଉପରେ ବନ୍ଧୁକ ରଖି ଢାଇକିନା ଗୁଳି ଫୁଟେଇ ଗୋଟାଏ ଫୁତ୍କାରରେ ଉଡ଼ାଇ ଦେଇଥିଲେ ବରଂ ଭଲ ହୋଇଥାନ୍ତା । ମୁଁ ଚିର କୃତଜ୍ଞ ହୋଇଥାନ୍ତି ତୋ’ ନିକଟରେ । କିନ୍ତୁ.....କିନ୍ତୁ ଏ ଜାଅଁନ୍ତା ମଣିଷକୁ ଗଛ ଅଗରେ ଟାଙ୍ଗି, ଗୋଛି କାଟି, ତା’ ଚମଡ଼ା ଉତାରି, ଚମଡ଼ାରେ ଚୂନଛିଟା ଦେଇ ତିଳତିଳ କରି ପଳପଳ କରି ଜଳେଇ ମାରୁଛୁ କାହିଁକି ? କାହିଁକି ଏ କଲବଲ ? କାହିଁକି ଏ ଡହଳବିକଳ ? କାହିଁକି ଏ ଶୋଣିତର ଝର ?

 

ଦିନେ ଦିନେ ତୋ’ରି କଥା ଭାବିଭାବି ଧାଇଁଯାଏ ନଈ କୂଳକୁ–ମଶାଣି କୋଳକୁ । ଅଙ୍ଗାର ପାଉଁଶବୋଳା ‘ବାଲିଘାଟ’ ଆଜି ଆଉ ମଶାଣି ହୋଇ ରହିନାହିଁ, ଆଜି ତା’ ମୋର ପରମ ପବିତ୍ର ତୀର୍ଥଭୂଇଁ–ବଦରିକା, ନୀଳାଚଳ, ଏକାମ୍ରକାନନ ! କାନ୍ଦେ । ବାଇଆ ଭଳି, ଅନ୍ଧ ଭଳି, ବୋକା ଭଳି ଭୂଇଁ ଦରାଣ୍ଡେ–ମାଟି ଅଣ୍ଡାଳେ–ମୁଠା ମୁଠା ଧୂଳି ପାଉଁଶ ଆଣି ବଲବଲ ତା’ଆଡ଼କୁ ଚାହିଁରହେ । ତା’ପରେ ? ତା’ପରେ ଲୁହସିଂଘାଣି ଏକାକାର ହୋଇ ଲୋଟିପଡ଼େ–ଲୋଟିପଡ଼େ ଜୁଇଗାତ ଉପରେ ।.....ସବୁ ଅନ୍ଧାର, ସବୁ ଶୂନ୍ୟ, ସବୁ ଲୀନ, ଖାଲି ସେବା–ସେବା–ପ୍ରାଣର ସେବା ମୋର–ହୃଦୟର ରାଣୀ ମୋର–ଜୀବନର ଦେବୀ ମୋର । ଏ ବିଶ୍ଵବ୍ରହ୍ମାଣ୍ଡ ଜଳିପୋଡ଼ି ଧ୍ଵଂସ ହେଇ ଯାଇଥାନ୍ତା ପଛେ ଏକା ମୋର ସେଇ ଥାଆନ୍ତା କି ! ଏକା ସେଇ ଆସି ତା’ କଞ୍ଚା ଦେହରେ ନିବିଡ଼ଭାବେ ଜଡ଼ାଇ ଧରନ୍ତା କି ମତେ !! କାନି ପଣତରେ ଲୁହ ପୋଛି ଦେଇ ଲହୁ ପୋଛି ଦେଇ ଖାଲି କହନ୍ତା କି ପଦେ ମନର କଥା–ତା’ ଦୁଃଖ ଜୀବନର କାହାଣୀ !!!

 

ନୀତିବାଦୀ ଆଦର୍ଶବାଦୀ ହୋଇ ବଡ଼ ହେବାର ଗୌରବ ମୋର ଲୋଡ଼ା ନାହିଁ । ମୁଁ ମୂର୍ଖ ହୀନ ପାଷଣ୍ଡ ଅଧମ ହେବାକୁ ଚାହେଁ । ସାରା ଦୁନିଆଁ ମତେ ଘୃଣାକରୁ, ନିନ୍ଦା କରୁ, ଅପମାନ ଦେଉ । ସେ ଆଡ଼କୁ ମୁଁ ତିଳେହେଲେ ଭ୍ରୂକ୍ଷେପ କରିବି ନାହିଁ । ମୁଁ ଖାଲି ଚାହେଁ ତୋତେ–ମୋ ଜୀବନର ଧନ, ଅନ୍ଧର ଲଉଡ଼ି, ରଙ୍କୁଣୀର ଗଳାମାଳି ତୋତେ–ଯିଏ ହସୁଥିଲା, ଯିଏ ଖେଳୁଥିଲା, ଯିଏ ବସୁଥିଲା ମୋ କୋଳରେ....କିଏ ଦେଇପାରିବ ? କିଏ କହିପାରିବ କେଉଁଠି ଅଛି ମୋ ଦୁଃଖିନୀ ? ମୁଁ ତାକୁ ହୀରା ନୀଳା ମଣିମାଣିକ୍ୟ ଦେଇପାରିବି ନାଇଁ ସିନା ହସିହସି ଏ ଜୀବନକୁ ସମର୍ପି ଦେବି ତା’ ଚରଣରେ ।

 

ଆଜି ପଥର ଦେଉଳର ସେଇ ନିର୍ମମ, ନିଠୁର, ପ୍ରାଣହୀନ, ହୃଦୟହୀନ କାଠ ପାଷାଣ ଦିଅଁଙ୍କୁ ପ୍ରାର୍ଥନା କରୁନାଇଁ ଅଭିଶାପ ଦେଉଛି–ତାତିଲା ଲୁହ ଢାଳି ପଚାରୁଛି–ମୋର ହୃଦୟର ରତ୍ନକୁ ଯଦି ଛଡ଼ାଇ ନେବାରେ ତାଙ୍କର ଏତେ ଲୋଭ ହେଲା, ତେବେ ମୋତେ ଆଗରୁ ତାହା ଜଣାଇଲେ ନାଇଁ କାହିଁକି ? ଏମିତି ଚୋରଙ୍କ ଭଳି ଲୁଚି ଲୁଚି ଆସି ପଛରୁ ଛୁରା ଭୁଷିବାରେ କି ବାହାଦୁରୀ ? ମୁଁ ତ ତାଙ୍କର ମଙ୍ଗଳମୟ ରାଜ୍ୟରେ କାହାରି ଅମଙ୍ଗଳ କରି ନ ଥିଲି । କାହାରି ଗୃହରେ କରି ନ ଥିଲି ଅଗ୍ନି ସଂଯୋଗ କି କାହାରି ଗୃହିଣୀର କରି ନ ଥିଲି ଅଙ୍ଗସ୍ପର୍ଶ । ତେବେ ? ତେବେ ବିନା ଅପରାଧରେ କାହିଁକି ଏଡ଼େ ଗୁରୁଦଣ୍ଡ ? ନା ନା ସେ କଲ୍ୟାଣମୟ ନୁହନ୍ତି, ସେ କରୁଣାମୟ ନୁହନ୍ତି, ସେ ଅନ୍ଧ–ସେ ମୂଢ଼–ସେ ପାମର–ସେ ନରକର ଘୃଣ୍ୟ କୀଟ !! ସେ ମରନ୍ତୁ–ମରନ୍ତୁ ଭଗବାନ । ଜଳିପୋଡ଼ି ଉଚ୍ଛନ୍ନ ହେଇଯାଉ ତାଙ୍କର କମନୀୟ ଅଙ୍ଗ । ଅକାଳରେ ଜଳିଯାଉ–ମରିଯାଉ ତାଙ୍କର ପ୍ରାଣର ରା–ଧା.....

 

‘ବାଲିଘାଟ’ ଯାଏ । ଦିଗହରା ଉଦ୍‍ଭ୍ରାନ୍ତ ନାବିକ ଭଳି ଦିନକୁ ସତର ଥର ଧାଇଁଯାଏ ବାଲିଘାଟ । କିନ୍ତୁ ପାଏ କ’ଣ ? ମନ ଯାହା ଚାହେଁ ତା’ କ’ଣ ପାଏ ? ଯୋଉ ହଜିଲା ଧନକୁ ଖୋଜିବୁଲେ ଦିନରାତି–ସଞ୍ଜ ସକାଳ–ଖରା ବରଷା, ତା’ କ’ଣ କେବେ ମିଳେ ? ଦିଶେ କ’ଣ କେବେ ସେଇ ଅଶରୀରୀ ଛାଇ ? ଫୁଟି ଉଠେ ତା’ କଅଁଳ ଓଠର ମିଠା ହସ ? ନାଇଁ–ନାଇଁ–ନାଇଁ–

 

ଜୁଇପାତ କୋଳେ ଭଙ୍ଗା ହାଡ଼ ତଳେ

ଖୋଜି ଖୋଜି ମରେ ମୁଇଁ,

ବାହୁନି ବାହୁନି ଲୋଟୁଥାଏ ସିନା

ପାଷାଣୀ ତ ଆସେ ନାଇଁ ।

ଆସଇ ବରଷା ଘନି ଘୋର ନିଶା

ବନ ପରବତ କାନ୍ଦେ

ନିରଜନ ଭୂଇଁ ଡାକେ ସାଇଁ ସାଇଁ,

ମରମେ ଶର କେ ବିନ୍ଧେ ।

ଧାରା ଶିରାବଣେ ଅଝରଝରାରେ

ଝରେ ମେଘ ଝାଇଁ ଝାଇଁ,

ଝୁରି ଝୁରି ମୁହିଁ ବାଇଆ ହୁଅଇ

ମାନିନୀ ତ ଆସେ ନାଇଁ !!

ଆସଇ ଭାଦର ଲୁଚଇ ବାଦଲ

ତୁଠ ହୁଏ ନିରିମଳ,

ଉଠ ଉଠ ବୋଲି ଅଳି କରେ ସିନା

ପୁରଇ କି କେବେ ଥାଳ ?

ଅଶିଣ ଆକାଶେ ରୂପାଥାଳି ଚାନ୍ଦ

ଆସେ ଯେବେ ଧୀରେ ଉଇଁ,

ତୁହାଇ ତୁହାଇ ମନେ ପଡ଼େ ପ୍ରିୟା

କାନ୍ଦି ଉଠେ କଇଁ କଇଁ !!

କାରତିକ ଆସେ ଅତୀବ ହରଷେ,

ବଳଙ୍ଗେ ବସଇ ମେଳା,

‘ଆ କା ମା’ ଗୋଇ’ ଧୀରେ ଗାଇ ଗାଇ

ଟିକି ନାଆ ମେଳେ ବାଳା ।

ମଗୁଶିର ମାସେ ସୋରିଷ ଖେତରେ

ସୁନା ଫୁଲ ଫୁଟେ କାହିଁ,

ଗରିଝରୀ ଝରେ ଥରି ଥରି

ଗୋରୀ କିନ୍ତୁ ଆସେ ନାଇଁ !!

ଶଅର ସାଇର ‘ଗଉରା’ ମୁହଁରେ

ଉଛୁଳଇ ଯେବେ ହସ,

ପଉଷର ଝରା କାକର କୋଳରେ

ତୁଟଇ ସବୁ ପରାସ ।

ଦାଆ ଧରି ସେ ତ ମାଆଙ୍କୁ ଆଣଇ

କୁଡ଼ିଆ ଉଠଇ ପୂରି,

‘ଯମୁନା’ ହାତର ଜାଉ ଖାଇ ଖାଇ

ଖେଳେ ସେ ଚକାଚଉଁରୀ ।

ମାଘ ମାସ ଶୀତ ବାଧଇ ନାଇଁତ

ପ୍ରିୟା କୋଳେ ମାରେ ହାଇ,

ହାଇଁପାଇଁ ହୁଏ ହୀନ କାଙ୍ଗାଳ ମୁଁ

ତା’ର ପଥ ଚାହିଁ ଚାହିଁ !!

କେଉଁ କାରିଗର କାଉଁରୀ ଛୁଆଁଇ

ଫଗୁଣେ ଆସଇ ଏଥି,

ଅଅଁଳା ଗଛର କଅଁଳା ପତରେ

ହସି ଉଠେ ବନ ବୀଥି ।

ରାଇଜଯାକର ଫୁଲ ଫୁଟେ କି’ବା

ଉଠେ ବଉଳର ବାସ,

ଗୁଣୁ ଗୀତ ଗାଇ ଅଳିକୁଳ ଆସେ,

ମଳୟ ରଚଇ ରାସ ।

ନୁଆ ଭୁଆଷୁଣୀ ବସନ ଟାଣଇ

ଛାତି ଥରେ ଚାଇଁ ଚାଇଁ,

ମଥା ପିଟି ତଳେ ବିକଳେ ଲୋଟେ ମୁଁ

ପାଷାଣୀ ତ ଆସେ ନାଇଁ !!

ବଇଶାଖ ଖରା ନ ସହଇ ଧରା

ଡହ ଡହ ନିଆଁ ଜଳେ,

ତଟିନୀ ସଲିଳ ଥରି ଥରି ଶେଷେ

ମରଇ ବାଲୁକା କୋଳେ ।

ପାହାନ୍ତା ପହରେ ସରଗ ଦୁଆରେ

ଦିଅଇ କେ ଫଗୁ ବୋଳି,

ବିରହୀ ଚକୋରୀ କଳରୋଳ ତୋଳି

ପ୍ରିୟା ପାଶେ ଆସେ ଚଳି ।

ମାତର ହୀନ ମୁଁ ଦୀନ ଅକିଞ୍ଚନ

କିଏ ଶୁଣିବ ମୋ ଡାକ ?

ଝଲକା ଝଲକା ରକତ ଢାଳିଲେ

ଲିଭିବ କି ସତେ ଦୁଃଖ ?

କେତେ ହୀନିମାନ ଡହଳବିକଳ

ସହି ସହି ଆସେ ନିତି,

କେତକୀ ବରନା କତିକି ଆସିବ

ଏତିକି ଖାଲି ମିନତି ।

ଦିନେ ଦିନେ ଦେଖେ ଆସିଅଛି ପାଖେ

ବସିଅଛି ନିରିଜନେ,

ବାଇଆ ହୋଇ ମୁଁ ଧାଇଁଯାଏ ଯେବେ,

ଲୁଚିଯାଏ ପୁଣି କେଣେ ।

କାନ୍ଦି କାନ୍ଦି ଶେଷେ ଫୁଟିଯାଏ ଆଖି

ବିକଳେ ଅଣ୍ଡାଳେ ଭୂଇଁ

କାହିଁ କାହିଁ ବୋଲି ଖୋଜିଲା ବେଳକୁ

ଦୂରୁ ଶୁଭେ ନାହିଁ ନାହିଁ !!!

 

ଖାଲି ନାହିଁ ଆଉ ନାହିଁ । ଏଇ ନାହିଁରେ ହିଁ ଜୀବନର ସମାପ୍ତି । ମଥା ଫାଟି ଗଲେ ବି ଆଉ ହଁ ହେବାର ନୁହେଁ–ମୁହଁ ଦିଶିବାର ନୁହେଁ । ମାଟି ସାଙ୍ଗରେ ମାଟି ହେଇ ମିଳେଇ ନ ଯିବା ଯାଏ ଖାଲି ଅନ୍ଧାର–ଅନ୍ଧାର–ଘନଘୋର ନିବିଡ଼ ଅନ୍ଧାର ।

 

ଶେଷଇଚ୍ଛା–

 

ଗୋଟିଏ ପାଖରେ ନଈ, ଆର ପାଖରେ ମଶାଣି । ଗୋଟିକରେ ଜୀବନ କୁଳୁକୁଳୁ ହେଇ ବହି ଯାଉଛି, ଆନଟିରେ ମରଣର ଭୟାବହ ଛବି–ପାଉଁଶଗଦା, କଳା ଅଙ୍ଗାର, ମଣିଷମୁଣ୍ଡ । ସେଇଠି–ସେଇ ପୂଣ୍ୟ ଭୁଇଁ ସରଗର ଦ୍ଵାର ‘ବାଲିଘାଟ’ ମଶାଣିରେ ଗୋଟିଏ ସାନ–ଅତି ସାନ ସମାଧି ଗଢ଼ିବା ମୋର ପ୍ରାଣର ଏକାନ୍ତ ଇଚ୍ଛା । ଏ ଜୀବନରେ କରିପାରିବି କି ନାଇ ଜାଣେନା । କିନ୍ତୁ ଯଦି ନ ପାରେ, କର ଯୋଡ଼ି କରୁଣ ମିନତି କରୁଛି–ମୋର କେହି ବନ୍ଧୁ, ହିତାକାଙ୍‍କ୍ଷୀ, ସ୍ନେହୀ, ଦରଦୀ ବା ଆତ୍ମୀୟ ମୋ ପାଇଁ ଏତକ କରିଦେବ । ମୋ ଜୀବନ କାଳରେ ନ ହେଉ ପଛେ, ମରଣ ପରେ ବି ଏତକ ହେଲେ ମୁଁ ଶାନ୍ତି ପାଇବି । ସେଥିରେ କେବଳ ଗୋଟିଏ ଫଳକ ରହିବ–କବିଚନ୍ଦ୍ରଙ୍କର ସେଇ ଲୁହବୋଳା କଥା ପଦିକ–‘ସାଗରପାରେ ସପନପୁରେ ରାଜକୁମାରୀ ଘର’, ଆଉ ସେଇ ମାଟିର ଛୋଟ ସମାଧିଟି ଦେହରେ ପହିଲି ଫୁଲମାଳଟିଏ ଲମ୍ବାଇ ଦେବ ମୋର ମୂଷିଭାଇ–ସପନଭୋଳା କବି–ଯିଏ କହିଥିଲେ ତୋ’ କାଚ ବଜର ହେଉ.....ଏଇ ମୋ ଅନ୍ତିମ ଆଶା, ଏକମାତ୍ର ଆଶା, ଅନ୍ତରର ଆଶା ।

 

ଏତିକି.....ଏତିକିରେ ଆଜି ଶେଷ କରିଦେବି ବୋଲି ମନ ହେଉ ନାହିଁ । ସେବା ! ତୋତେ ହରାଇ ମୁଁ ଏମିତି ପାଗଳ ହୋଇ ଯାଇଛି ଯେ ମୁଁ ଚାହୁଁଛି ଖାଲି ଦିନରାତି ଏମିତି ପ୍ରଳାପ କରିବାକୁ । ମୋର ମନ ହେଉଛି ତୋ’ର ଅଶରୀରୀ ଛାଇ ପାଖରେ ବସି ଜୀବନର ଏହି ସୁଖଦୁଃଖର ସ୍ମୃତିଗୁଡ଼ିକ ବର୍ଷ ବର୍ଷ ଧରି ଖାଲି ଗପୁଥାନ୍ତି–ଗପୁଥାନ୍ତି । ଏତେ ଏତେ ଜୀଅଁନ୍ତା ସ୍ମୃତି ସହଜରେ କ’ଣ ମନଗହନରୁ ପୋଛି ଦେଇ ପାରିବି !

 

ତୁ ଯଦି ଆଜି ଥାଆନ୍ତୁ.....ବାଲେଶ୍ଵରରୁ ତୁ ଯଦି ଆଜି ଫେରି ଆସନ୍ତୁ, ମୁଁ ତୋତେ କେତେ ଆଦରରେ କୋଳରେ ବସେଇ ମୁହଁରେ ମୁହଁ ରଖି ଏ ଚିଠିଟି ଆମୂଳଚୂଳ ପଢ଼ନ୍ତି । ତୁ ହସନ୍ତୁ, ଆନନ୍ଦିତ ହୁଅନ୍ତୁ ଆଉ ମୋତେ ପ୍ରଶଂସା ବି କରନ୍ତୁ । କିନ୍ତୁ ତୋ’ ହସ ଆନନ୍ଦ ଦେଖିବାର ଦିନ ଆଉ ମୋର ନାହିଁ କି ତୋ’ ମୁହଁରୁ ପ୍ରଶଂସା ଶୁଣିବାର ଗୌରବ ମୋର ଆଉ ଏ ଜୀବନରେ ହେବ ନାଇଁ । ସେବା ଆଜି ସ୍ଵପ୍ନ.....

 

ଛାତି ଫାଟିଯାଉଛି ତୋତେ ଆଜି ଶେଷ ବିଦାୟ ଦେବାକୁ ପଡ଼ିବ । କ’ଣ କହି ତୋତେ ବିଦାୟ ଦେବି ଭାବି ପାରୁନାହିଁ । ପ୍ରତ୍ୟେକ ଚିଠିରେ ମୁଁ ତୋତେ ଚୁମ୍ବନ ଦେଇଥାଏ । ଏପରି କି କେବେ ଭୁଲ୍‍ରେ ଛାଡ଼ିଗଲେ ତୁ ସଙ୍ଗେ ସଙ୍ଗେ ଘୋଷା ହୋଇ ଲେଖୁ–‘ଏଥର ମୋତେ ଚୁମା ଦେବାକୁ ଭୁଲିଯାଇଛ’ .....ଆଜି ଏହି ଅନ୍ତିମ ବିଦାୟବେଳେ ସେଇ ଚୁମ୍ବନ–ସେଇ କୋଟିଏ ସେନେହବୋଳା ଗୋଟିଏ ଚୁମ୍ବନ ଖାଲି ଦେଇ ପାରିଲେ ମୋ ଡହଳବିକଳ ମନ ଶାନ୍ତି ପାଆନ୍ତା–ଶୀତଳ ହୁଅନ୍ତା । ନାଲି ପଦ୍ମପାଖୁଡ଼ା ଭଳି ତୋ ଛନଛନ କଅଁଳ ଓଠ ଦି’ଫାଳିରେ ଛୋଟ ଚୁମାଟିଏ ଥାପି ଦେବାକୁ ଆଜି କାହିଁକି ମନ ଭାରି ଉଚ୍ଛନ୍ନ ହେଉଛି । କିନ୍ତୁ....କିନ୍ତୁ ସାହସ ପାଉନି । ମୋଭଳି ପାପୀ, ହୃଦୟହୀନ, ଅମଣିଷ, ପଶୁ, ରାକ୍ଷସ–ଯିଏ ତୋ’ ମରଣ ଶେଯରେ ଟିକିଏ ମୁହଁକୁ ବି ଚାହିଁ ନାଇଁ, ଯିଏ କଂସେଇ ଭଳି ତୋ ତଣ୍ଟିରେ ଦେଇଛି ଶାଣ ଖୁର, ସିଏ ଆଉ ତୋ’ ଆଗରେ ଏ ନିର୍ଲଜ ମୁହଁ ଦେଖେଇବ କେମିତି ? କୋଉ ଦମ୍ଭରେ ସିଏ ଆଉ ହାତ ବଢ଼େଇବ ତୋତେ କୋଳ କରିବାକୁ ? ଚୁମା ଦେବାକୁ ? ନା, ନା, ଚୁମା ଆଉ ଦେଇ ପାରିବି ନାଇଁ । ଏ ଗରଳ ତୋ’ ସରଳ ମୁହଁରେ ଲାଗିଲେ ତୁ ଜଳିଯିବୁ । ଫୁଲ ପରି ଶୁଦ୍ଧ, ପୁତ, ନିର୍ମଳ, କୋମଳ ତୋ’ର ତନୁଟି ଘଡ଼ିକେ ପୋଡ଼ି ପାଉଁଶ ହୋଇଯିବ । ଥାଉ । ଚୁମା ଦେବାର ଭାଗ୍ୟ ଆଉ ମୋର ନାଇଁ ।

 

ଖାଲି ବୁନ୍ଦିଏ–ବୁନ୍ଦିଏ ଲୁହ–ତତଲା ଲୁହ ବୁନ୍ଦିଏ ଆଜି ତୋ’ ପାଇଁ ଢାଳି ଦେଉଛି । ଘେନିବୁ, ଘେନିବୁ ରାଣି ! ଅଭିମାନ କରି ତୁ ଯାଇଛୁ । ମୁଁ ତୋତେ କିଛି ଦେଇନି, ଦେଇ ପାରିବି ନାଇଁ ଜୀବନରେ । ଖାଲି ଏଇ ଲୁହ–ଏଇ ଆଖି ଲୁହହିଁ ମୋର ସମ୍ବଳ । ଭଗବାନଙ୍କୁ ଡାକୁଛି ଏଇ ଲୁହ ଅନ୍ତତଃ ଶୁଖି ନ ଯାଉ । ସବୁ ତ ଛଡ଼ାଇ ନେଇଛନ୍ତି । ଏଇତକ ଉପରେ ଯେପରି ଆଖି ନ ପଡ଼ୁ ତାଙ୍କର । ସବୁଦିନେ ତୋ’ ସୁନା ମୁହଁଟିକି ଏଇ ଆଖି ଲୁହରେ ମୁଁ ଧୋଇଦିଏଁ–ଧୋଇଦିଏଁ–

 

ତୋ’ର

ହତଭାଗା ଓ ଅଯୋଗ୍ୟ

ସ୍ଵାମୀ

Image